୧୯୮୮ ରାଜିନାମା ପାଳନ କଲେ ଭାରତ ଓ ପାକ୍, ପରସ୍ପରକୁ ଦେଲେ ନ୍ୟୁକ୍ଲିୟର ଇନଷ୍ଟାଲେସନ ଓ ଫାସେଲିଟି ସମ୍ପର୍କିତ ସୂଚନା
1/01/2021 at 5:27 PM

ନୂଆଦିଲ୍ଲୀ ୧।୧: ଭାରତ ଓ ପାକିସ୍ତାନ ପରସ୍ପର ଆଣବିକ ପ୍ରତିଷ୍ଠାନ ଓ ଫାସେଲିଟି ଉପରେ ଆକ୍ରମଣ ନ କରିବା ଲାଗି ୩୧ ଡିସେମ୍ବର ୧୯୮୮ର କରିଥିବା ରାଜିନାମା ପାଳନ କରିଛନ୍ତି। ସେହି ଅନୁସାରେ ଉଭୟ ଦେଶ ନିଜନିଜ ଆଣବିକ ଅସ୍ତ୍ରଶସ୍ତ୍ର ଓ ପ୍ରତିଷ୍ଠାନ ନେଇ ସୂଚନା ଆଦାନ ପ୍ରଦାନ କରିଥିବା ବୈଦେଶିକ ମନ୍ତ୍ରାଳୟ ଶୁକ୍ରବାର ସୂଚିତ କରିଛନ୍ତି।
କୂଟନୈତିକ ସ୍ତରରେ ଏହି ସୂଚନା ଆଦାନପ୍ରଦାନ ହୋଇଥିବା ଉଭୟ ଦେଶଙ୍କ ବୈଦେଶିକ ମନ୍ତ୍ରାଳୟ କହିଛନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ ପାକିସ୍ତାନ ଅଧିକାରୀକ ଭାବେ ୧ ଜାନୁୟାରୀ ସ୍ଥାନୀୟ ସମୟ ପୂର୍ବାହ୍ନ ୧୧ଟା ବେଳେ ଭାରତୀୟ ବୈଦେଶିକ ମନ୍ତ୍ରାଳୟଙ୍କ ପ୍ରତିନିଧିଙ୍କୁ ନିଜ ଆଣବିକ ସୂଚି ହସ୍ତାନ୍ତର କରିଥିଲେ। ଅପରପକ୍ଷେ ଭାରତ ମଧ୍ୟ ସ୍ଥାନୀୟ ସମୟାନୁସାରେ ପୂର୍ବାହ୍ନ ସାଢେ ୧୧ଟାରେ ନୂଆଦିଲ୍ଲୀରେ ପାକ୍ ପ୍ରତିନିଧିଙ୍କୁ ନିଜର ଆଣବିକ ସମ୍ପର୍କିତ ସୂଚନା ହସ୍ତାନ୍ତର କରିଛନ୍ତି।
ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ପ୍ରକ୍ରିୟା ୧ ଜାନୁୟାରୀ ୧୯୯୨ ମସିହାରୁ ଆରମ୍ଭ ହୋଇଛି। ଉଭୟ ଦେଶଙ୍କ ମଧ୍ୟରେ ଉତ୍ତେଜନା ସତ୍ତ୍ୱେ ଆଣବିକ ସୂଚନା ଆଦାନ ପ୍ରଦାନରେ ଏପର୍ଯ୍ୟନ୍ତ ଚୁକ୍ତି ଖିଲାପ କରିନାହାନ୍ତି। ଭାରତରେ ଜୈସ ଆତଙ୍କବାଦୀଙ୍କ ଦ୍ୱାରା ୧୪ ଫେବୃଆରୀ ପୁଲୱାମା ଆତଙ୍କବାଦୀ ଆକ୍ରମଣ ସତ୍ତ୍ୱେ ୧ ଜାନୁୟାରୀ ୨୦୧୯ରେ ଭାରତ ଓ ୨୬ ଫେବୃଆରୀ ୨୦୧୯ ବାଲାକୋଟ ବିମାନ ଆକ୍ରମଣ ସତ୍ତ୍ୱେ ପାକିସ୍ତାନ ୧ ଜାନୁୟାରୀ ୨୦୨୦ରେ ପାକିସ୍ତାନ ଆଣବିକ ସୂଚନା ଆଦାନ ପ୍ରଦାନ ହୋଇଥିବାର ରେକର୍ଡ ରହିଛି।