୧୦ଭାରତୀୟ ସୈନ୍ୟଙ୍କୁ ଚୀନ୍ ମୁକ୍ତ କରିଥିବା ଖବରକୁ ନେଇ ବିବାଦ : ଭାରତୀୟ ସେନାର ଜବାବ, କୌଣସି ଯବାନ ହୋଇନାହାନ୍ତି ଅପହୃତ

Published By : Prameya-News7 Bureau | June 19, 2020 IST

ନୂଆଦିଲ୍ଲୀ ୧୯।୦୬:  ଲଦାଖର ପୂର୍ବରେ ଥିବା ଗଲଓ୍ୱାନ ଘାଟିରେ ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ସୋମବାର ଦିନ ଘଟିଥିବା ହିଂସାତ୍ମକ ମୁକାବିଲାରେ ଉଭୟ ପକ୍ଷରୁ ସୈନ୍ୟ ମୃତାହତ ହୋଇଛନ୍ତି  । ଯାହାକୁ ନେଇ ଉଭୟ ଦେଶଙ୍କ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଦେଖାଦେଇଛି । ନିଜର ସବୁବେଳେ ବିସ୍ତାରବାଦୀ ନୀତି ଆପଣାଉଥିବା ବେଜିଂ ମଧ୍ୟ ଏଥର ଲଦାଖରେ ସେହି ଚାଲ୍‌ ଖେଳିଛି । ଯେଉଁ ଅଞ୍ଚଳରେ ଭାରତୀୟ ସେନା ପୂର୍ବରୁ ମୁତୟନ ଅଛନ୍ତି । ସେହି ଅଞ୍ଚଳ ଓ ସୀମା କ୍ଷେତ୍ରକୁ ନିଜ ଅଞ୍ଚଳ ବୋଲି ଦାବି କରିଛି ଚୀନ୍‌ । ଯାହାକୁ ନେଇ ସୋମବାର ଦିନ ଏଭଳି ଘଟଣା ଘଟିଥିଲା । ସୋମବାର ବିଳମ୍ବିତ ରାତିରେ ହୋଇଥିବା ଘଟଣାରେ ଭାରତର ୨୦ଜଣ ଯବାନ ସହିଦ ହୋଇଥିବା ବେଳେ  ଚୀନ୍‌ର ୪୦ରୁ ଅଧିକ ଯବାନ ମୃତାହତ ହୋଇଥିବା ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କିନ୍ତୁ ଚୀନ୍‌ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । କିନ୍ତୁ ଏବେ ଚୀନ୍‌ ଭାରତର ୧୦ଯବାନଙ୍କୁ ଛାଡିଥିବା କଥା କହିଛି । ଯାହାକି ଜାତୀୟ ଗଣମାଧ୍ୟମରେ ପୁଣି ଥରେ ଚର୍ଚ୍ଚା ହେଉଛି ।

ଚୀନ୍‌ ଏହା ମଧ୍ୟ ଦାବି କରିଛି ଯେ ସମସ୍ତ ଯବାନ ଗଲଓ୍ୱାନ ଘାଟିର ଘଟଣା ଦିନଠାରୁ ଚୀନ୍‌ କ୍ୟାମ୍ପରେ ରଖାଯାଇଥିଲା । ସମସ୍ତ ଯବାନଙ୍କୁ ବନ୍ଦ କରାଯାଇରହିଥିଲା । ସେମାନଙ୍କ ମଧ୍ୟରେ ଦୁଇ ଜଣ ମେଜର ରାଙ୍କର ଅଫିସର ରହିଛନ୍ତି । ସୋମବାର ଘଟଣା ପରେ ଦୁଇ ଦେଶ ମଧ୍ୟରେ ମେଜର ସ୍ତରୀୟ କଥାବାର୍ତ୍ତା ହୋଇଥିଲା । ଏବଂ ମେଜର ସ୍ତରୀୟ ଆଲୋଚନା ପରେ  ଦୁଇ ଜଣ ମେଜରଙ୍କ ସମେତ ୧୦ଜଣ ଯବାନଙ୍କୁ  ଛାଡିଦେଇଛି ବୋଲି ଚୀନ୍‌ ଦାବି କରିଛି । କିନ୍ତୁ ଚୀନ୍‌ ସେନାର ଏହି ଦାବିକୁ ଭାରତୀୟ ସେନା ଖାରଜ କରିଦେଇଛି । ଚୀନ୍‌ର ଏପରି କଥା କୌଣସି ସତ୍ୟତା ନାହିଁ । ଆମର କୌଣସି ଯବାନ ଚୀନ୍‌ ସେନା ନିୟନ୍ତ୍ରଣରେ ନଥିଲେ ବୋଲି ଭାରତୀୟ ସେନା ସ୍ପଷ୍ଟ କରିଦେଇଛି ।

ସୂଚନାଯୋଗ୍ୟ ଯେ, ଗଲଓ୍ୱାନ୍‌ ଘାଟିକୁ ନେଇ ଚୀନ୍‌ ନିଜର କହୁଛି । କିନ୍ତୁ ଗଲଓ୍ୱାନ୍‌ ଘାଟିଟି ହେଉଛି ଭାରତ ବୋଲି ଚୀନ୍‌ ଭୁଲିଯାଇଛି । ଚୀନ୍‌ର ସଦାସର୍ବଦା ନିଜର ବିସ୍ତାରବାଦୀ ନୀତି ଓ ଅନ୍ୟ ଦେଶର ସୀମାରେ ପ୍ରବେଶ କରି ନିଜ ଅଞ୍ଚଳ ବୋଲି ଦାବି କରିବା ଏଇଟା କିଛି ନୂଆ କଥା ନୁହେଁ । ନିକଟ ଅତୀତରେ ଏପରି ଅନେକ ଘଟଣା ରହିଛି । ଭାରତ ସହିତ ମଧ୍ୟ ଆଗରୁ ଏପରି ଅନେକ ଥର ଘଟଣା ଘଟିଯାଇଛି । ଡୋକଲାମ୍‌ , ମଣିପୁର, ଆସାମ, ଆରୁଣାଚଳ ପ୍ରଦେଶରେ କିଛି ଅଞ୍ଚଳକୁ ଚୀନ୍‌ ସର୍ବଦା ନିଜର ବୋଲି ଦାବି କରିଆସୁଛି । ଏପରିକି ଭାରତୀୟ ସୀମାରେ ଭାରତ ଯେକୌଣସି କାର୍ଯ୍ୟ ସବୁବେଳେ ବାଧା ଦେଇସାଇଛି ବେଜିଂ । କିନ୍ତୁ ଭାରତ ସବୁବେଳେ ଏହାର ଦୃଢ ଜବାବ ଦେଇଛି ।  ଚୀନ୍‌ ଏବେ ନୂଆ ଚାଲ୍‌ ଖେଳୁଛି । ବିଶ୍ୱରେ ଭାରତ ଅଲଗା ଛବି ଓ ଏବଂ ନିଜର ଭାବମୃତ୍ତି ଭଲ କରିବାକୁ ଉଦ୍ୟମ କରୁଛି । କିନ୍ତୁ ଭାରତ ତାର ସମସ୍ତ ଉଦ୍ୟମକୁ ବିଫଳ କରିଦେଉଛି । ଯେଉଁଥିପାଇଁ ଚୀନ୍‌ ସବୁବେଳେ ରକ୍ତଚାଉଳ ଚୋବାଉଛି ।

ସେହିପରି ନିଜର ମିତ୍ର ରାଷ୍ଟ୍ର ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ସବୁବେଳେ ସମର୍ଥନ ଦେଇଆସିଛି । ବିଭିନ୍ନ ଫୋରମ୍‌ରେ ପାକିସ୍ତାନର ପ୍ରକୃତ ମୁଖା ଖୋଲିଛି ଭାରତ । କିନ୍ତୁ ଚୀନ୍‌ ତାକୁ ସଦାସର୍ବଦା ଘୋଡାଇବାକୁ ହୀନ ଉଦ୍ୟମ କରୁଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.