Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଥମିବ କି ବିବାଦ ! କାଲି ଭାରତ-ଚୀନ ମଧ୍ୟରେ ତୃତୀୟ କୋର କମାଣ୍ଡରସ୍ତରୀୟ ବୈଠକ, ଫିଙ୍ଗର-୪ରୁ ହଟିବାକୁ ପ୍ରସ୍ତୁତ ନୁହେଁ ଡ୍ରାଗନ

29/06/2020 at 6:53 PM

ନୂଆଦିଲ୍ଲୀ ୨୯।୦୬: ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସିରେ ଗତିରୋଧ ଏବଂ ଉତ୍ତେଜନା ସମାପ୍ତ କରିବା ପାଇଁ ପୁଣି ଥରେ ଭାରତ ଓ ଚୀନର ସେନା ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ହେବ। ଦୁଇ ଦେଶ ମଧ୍ୟରେ ଏହା ତୃତୀୟ ଥର ବୈଠକ ହେବାକୁ ଯାଉଛି।

ଚୁଶୁଲରେ ହେବ ବୈଠକ

ସୂତ୍ର ମୁତାବକ ଏଥର ବୈଠକ ଚୁଶୁଲରେ ହେବାର ଅଛି। ଏହା ଭାରତ ପକ୍ଷରେ ନିର୍ମିତ ବର୍ଡର ପର୍ସନାଲ ମିଟିଂ(ବିପିଏମ) ପଏଣ୍ଟରେ ରହିଛି। ଭାରତ କ୍ଷେତ୍ରରେ ବୈଠକ ହେବାର ଅର୍ଥ ଭାରତ ପକ୍ଷରୁ ହିଁ ବୈଠକ ପାଇଁ ପ୍ରୟାସ କରାଯାଇଛି। ଏହା ପୂର୍ବରୁ ଦୁଇ ଥର କୋର କମାଣ୍ଡରସ୍ତରୀୟ ବୈଠକ ହୋଇ ସାରିଛି। ଦୁଇ ଥର ବୈଠକ ଚୁଶୁଲ ସାମ୍ନାରେ ସ୍ଥିତ ମାଲଡୋରେ ହୋଇଛି। ମାଲଡୋ ଚୀନ କ୍ଷେତ୍ରରେ ଅବସ୍ଥିତ।

ଆଲୋଚନା ପରେ ମଧ୍ୟ ଗତିରୋଧ ଶେଷ ହୋଇ ନାହିଁ

ଜୁନ ୨୨ରେ ହୋଇଥିବା କୋର କମାଣ୍ଡରସ୍ତରୀୟ ବୈଠକରେ ଦୁଇ ପକ୍ଷ ସ୍ଥିର କରିଥିଲେ ଯେ, ଏଲଏସିରେ ଗତିରୋଧ ସମାପ୍ତ କରାଯିବ ଏବଂ ଧୀରେ ଧୀରେ ସୈନିକଙ୍କୁ ଏଲଏସିରୁ ପ୍ରତ୍ୟାହାର କରାଯିବ। ଏହା କେମିତି କାର୍ଯ୍ୟକାରୀ ହେବ ଆଲୋଚନା ପାଇଁ ସହମତି ମଧ୍ୟ ପ୍ରକାଶ ପାଇଥିଲା। ମାତ୍ର ଗୋଟିଏ ସପ୍ତାହ ବିତିଯିବା ପରେ ବି ଏଲଏସିରେ ସ୍ଥିତି ବଦଳି ନାହିଁ। ବରଂ ଆଲୋଚନା ପରେ ବି ଚୀନ ପକ୍ଷରୁ ଏଲଏସିରେ ସୈନିକ ଏବଂ ଯୁଦ୍ଧାସ୍ତ୍ର ଠୁଳ କରାଯାଉଛି। ଏପରିକି ଡ୍ରାଗନ ପାଙ୍ଗଙ୍ଗ ଅଞ୍ଚଳରେ ଫିଙ୍ଗର-୪ ରୁ ଫିଙ୍ଗର-୮ ମଧ୍ୟରେ ନିର୍ମାଣ କାମ ଜାରି ରଖିଛି।

ଚୀନ ଗତିରୋଧ ସମାପ୍ତ କରିବା ପରିବର୍ତ୍ତେ ଲଗାତାର ଗଲଓ୍ଵାନ ଉପତ୍ୟକା ଉପରେ ନିଜର ଆଧିପତ୍ୟ  ଜାହିର କରୁଛି। ଚୀନ ଡେପସାଙ୍ଗ ଅଞ୍ଚଳରେ ମଧ୍ୟ ସୈନିକ ଠୁଳ କରିବାରେ ଲାଗିଛି। ଭାରତ ମଧ୍ୟ ଏଲଏସିରେ ନିଜର ସୈନିକଙ୍କ ସଂଖ୍ୟା ଦୁଇ ଗୁଣ ବଢାଇ ଦେଇଛି। ସୂତ୍ର ଅନୁଯାୟୀ, ଚୀନ ଫିଙ୍ଗର-୪ରୁ ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ।

ଭାରତ ପକ୍ଷରୁ ମଧ୍ୟ କଡା ସନ୍ଦେଶ ଦିଆଯାଇଛି ଯେ, ଗତିରୋଧ ସମାପ୍ତ କରିବାର ଦାୟିତ୍ଵ ଚୀନ ଉପରେ ରହିଛି କାରଣ ଚୀନ  ହିଁ ବିବାଦ ଆରମ୍ଭ କରିଛି। ଚୀନୀ ସୈନିକ ଭାରତୀୟ ସେନାର ପାଟ୍ରୋଲିଂରେ ବାଧା ଦେଉଛି। ଏପରିକି ଏଲଏସିରେ ବାସ୍ତବ ସ୍ଥିତି ବଦଳାଇବାକୁ ଉଦ୍ୟମ ଜାରି ରଖିଛି। ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଭାରତ ନିଜ କ୍ଷେତ୍ରରେ ନିର୍ମାଣ କାମ ଜାରି ରଖିବ। ଚୀନକୁ ଏହା ଉପରେ ଆପତ୍ତି ଉଠାଇବାର କୌଣସି ଅଧିକାର ନାହିଁ।

   Related Posts