ଚୀନକୁ ରୋକଠୋକ୍ ଶୁଣାଇଲା ଭାରତ- 'ପଛକୁ ହଟିଲେ ଶାନ୍ତି ଫେରିବ'

Published By : Prameya-News7 Bureau | January 25, 2021 IST

ନୂଆଦିଲ୍ଲୀ,୨୫/୦୧:   ଭାରତ ଓ ଚୀନ ମଧ୍ୟରେ ଦୀର୍ଘ ମାସ ଧରି ପୂର୍ବ ଲଦାଖରେ ସୀମା ବିବାଦ ଲାଗି ରହିଛି । ଉଭୟ ଦେଶର ଯବାନ ମୁହାଁମୁହିଁ ହୋଇଛନ୍ତି । ଉତ୍ତେଜନାକୁ କମ୍ କରିବା ପାଇଁ ସୋମବାର ଉଭୟ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ ବସିଥିଲା । ଏହା ଥିଲା ଉଭୟ ଦେଶ ମଧ୍ୟରେ ନବମ ପର୍ଯ୍ୟାୟର ବୈଠକ ।

୧୧ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଭାରତ ଚୀନକୁ ରୋକଠୋକ ଶୁଣାଇଛି । ଚୀନ ପଛକୁ ହଟୁ । ଏହାଦ୍ୱାରା ହିଁ ଶାନ୍ତି ସମ୍ଭବ ବୋଲି ଭାରତ କହିଛି । ପୂର୍ବରୁ ମଧ୍ୟ ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶ ବୈଠକ କରିଥିଲେ ବି ସମାଧାନର ବାଟ ବାହାରି ନଥିଲା ।

ଏହି ବୈଠକ ପୂର୍ବ ଲଦାଖରେ ଚୀନର ମୋଲ୍ଡୋରେ ଆୟୋଜିତ ହୋଇଥିଲା । ସୂତ୍ରାନୁସାରେ, ଭାରତ ବୈଠକରେ କହିଥିଲା ଯେ, ଉଭୟ ଦେଶ ଉତ୍ତେଜନା ହ୍ରାସ ପାଇଁ ପ୍ରୟାସ କରିବା ଦରକାର । ଏକତରଫା ଭାବେ କୌଣସି ନିଷ୍ପତ୍ତି ଗ୍ରହଣୀୟ ନୁହେଁ । ଏପ୍ରିଲ ୨୦୨୦ ପୂର୍ବରୁ ଏଲଏସିରେ ଥିବା ସ୍ଥିତି ଫେରି ଆସୁ ବୋଲି ଭାରତ ଜୋର୍ ଦେଇଛି ।

ସୂଚନାଯୋଗ୍ୟ, ଗତ ବର୍ଷ ମେ ୫ ତାରିଖରୁ ଉଭୟ ଦେଶର ସୈନିକ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ପ୍ରତିକୂଳ ପାଗ ସତ୍ତ୍ୱେ ଲଦାଖରେ ୫୦ ହଜାରରୁ ଅଧିକ ଯବାନଙ୍କୁ ମୁତୟନ କରାଯାଇଛି । ଯବାନମାନେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.