ଟାର୍ଗେଟ୍‌ରେ ଚୀନ: ସ୍ପାଇସ୍-୨୦୦୦ ବୋମାର ନୂତନ ଭର୍ସନ କିଣିବାକୁ ପ୍ରସ୍ତୁତି କରୁଛି ଭାରତ, ଏୟାରଷ୍ଟ୍ରାଇକ୍‌ରେ ଧ୍ଵଂସ କରିଥିଲା ଆତଙ୍କୀ ଆଡ୍ଡା

Published By : Prameya-News7 Bureau | June 30, 2020 IST

ନୂଆଦିଲ୍ଲୀ ୩୦।୦୬:  ସ୍ପାଇସ୍‌-୨୦୦୦ର ନାମ ଆପଣଙ୍କର ମନେ ଅଛି ତ ? ଏ ହେଉଛି ସେହି ବୋମା ଯାହା ଜରିଆରେ ଭାରତୀୟ ବାୟୁସେନା ଗତ ବର୍ଷ ଫେବୃଆରୀ ୨୬ରେ ପାକିସ୍ତାନରେ ଆତଙ୍କବାଦୀଙ୍କ ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲେ। ଏୟାରଷ୍ଟ୍ରାଇକ୍‌ରେ ଆତଙ୍କବାଦୀଙ୍କ ଆଡ୍ଡା ଧ୍ଵଂସ ହୋଇ ଯାଇଥିଲା। ଆକାଶରୁ ଖସି ଭୂପୃଷ୍ଠରେ ଲକ୍ଷ୍ୟକୁ ଧ୍ଵଂସ କରିବାରେ ସକ୍ଷମ ଏହି ଶକ୍ତିଶାଳୀ  ବୋମାର ଆଡଭାନ୍ସ ଭର୍ସନକୁ ଭାରତ କିଣିବାକୁ ପ୍ରସ୍ତୁତି କରୁଛି। ଚୀନ ସହ ଉତ୍ତେଜନା ମଧ୍ୟରେ ବାୟୁସେନା ନିଜର ମାରକ କ୍ଷମତାକୁ ଆହୁରି ମଜବୁତ କରିବାକୁ ଚାହୁଁଛି।

ସ୍ପାଇସ୍‌-୨୦୦୦ ବୋମା ୭୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟକୁ ଧ୍ଵଂସ କରିବାରେ ସକ୍ଷମ। ଏହାର ନୂତନ ଭର୍ସନ ବଙ୍କର ଓ ବହୁତ ଶକ୍ତିଶାଳୀ କୋଠାକୁ ମଧ୍ୟ ଧ୍ଵଂସ କରିବାରେ ସକ୍ଷମ। ବାଲାକୋଟ୍ ଏୟାରଷ୍ଟ୍ରାଇକ୍‌ରେ ଯେଉଁ ଭର୍ସନର ବ୍ୟବହାର କରାଯାଇଥିଲା ଯେ, ତାହା ମଜବୁତ ସେଲଟର ଓ କୋଠାରେ ପଶି ଧ୍ଵଂସ  କରିବାରେ ସକ୍ଷମ ଅଟେ। ଏବେ ଭାରତ ଏହି ବୋମାର ନୂତନ ଭର୍ସନ କିଣିବାକୁ ପ୍ରସ୍ତୁତି କରୁଛି।

ଜରୁରୀକାଳୀନ ଅଧିକାର ଆଧାରରେ ନରେନ୍ଦ୍ର ମୋଦୀ ସରକାର ସେନାଙ୍କୁ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ କୌଣସି ବି ଅସ୍ତ୍ରଶସ୍ତ୍ର କିଣିବାକୁ ଅନୁମତି ଦେଇଛନ୍ତି। ତିନି ସେନାର ଉପ ମୁଖ୍ୟଙ୍କୁ ଆବଶ୍ୟକ ଯୁଦ୍ଧାସ୍ତ୍ର ଫାଷ୍ଟ ଟ୍ରାକ ପ୍ରକ୍ରିୟାରେ କିଣିବା ପାଇଁ ୫୦୦ କୋଟି ଟଙ୍କା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଜୁନ ୧୫ରେ ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକତାରେ ଚୀନ ସୈନିକଙ୍କ ସହିତ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଅନ୍ୟପକ୍ଷେ ଚୀନର ମଧ୍ୟ ୪୦ରୁ ଉର୍ଦ୍ଧ୍ଵ ସୈନିକ ନିହତ ହୋଇଥିଲେ। ଏହା ପରଠୁ ଏଲଏସିରେ ଦୁଇ ଦେଶ ମଧ୍ୟରେ ବିବାଦ ଚରମରେ ରହିଛି। ପୁଣି ଥରେ ସଂଘର୍ଷ ଆଶଙ୍କା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ସ୍ଥଳ ସେନା, ବାୟୁସେନା ଓ ନୌସେନାକୁ ପ୍ରସ୍ତୁତି ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.