ଲଦାଖରେ ଭାରତୀୟ ବାୟୁସେନାର ରେକର୍ଡ, ଜାଣିଲେ ଆପଣ ହେବେ ଗର୍ବିତ

Published By : Prameya-News7 Bureau | October 09, 2020 IST

ନୂଆଦିଲ୍ଲୀ ୦୯।୧୦: ଗୁରୁବାର ଭାରତୀୟ ବାୟୁସେନାର ୮୮ତମ ସ୍ଥାପନା ଦିବସ ଅବସରରେ ଭାରତୀୟ ବାୟୁସେନା ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ଭାରତୀୟ ବାୟୁସେନା ନିଜର ପୂର୍ବ ରେକର୍ଡକୁ ଭାଙ୍ଗି ୧୭,୯୮୨ ଫୁଟ୍‌ ଉଚ୍ଚରୁ ଲେହର ଖାରଦୁଙ୍ଗଲ ପାସରେ ସବୁଠୁ ଅଧିକ ସ୍କାଇଡାଇଭ ଲ୍ୟାଣ୍ଡିଂର ନୂତନ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜର ବିଜ୍ଞପ୍ତିରେ କହିଛି ୨୦୨୦ ଅକ୍ଟୋବର ୮ ତାରିଖରେ ଓ୍ଵିଙ୍ଗ କମାଣ୍ଡର ଗଜାନନ୍ଦ ଯାଦବ ଓ ଓ୍ଵାରେଣ୍ଟ ଅଧିକାରୀ  ଏକେ ତିଓ୍ଵାରୀ ସି-୧୩୦ ଜେ ବିମାନରୁ ସଫଳ ସ୍କାଇଡାଇଭିଂ କରିଛନ୍ତି ଏବଂ ଲେହର ଧାରଦୁଙ୍ଗାଲ ପାସରେ ଓହ୍ଲାଇଛନ୍ତି।

ବାୟୁସେନାର ପ୍ରେସ୍ ରିଲିଜ୍‌ରେ କୁହାଯାଇଛି, ଅମ୍ଳଜାନର ଅଭାବ ସହିତ ବାୟୁର ଆଦ୍ରତା ଓ ଦୁର୍ଗମ ପାହାଡିଆ ଅଞ୍ଚଳରେ ଏତେ ଉଚ୍ଚରୁ ଓହ୍ଲାଇବା ବହୁତ କଷ୍ଟକର ବ୍ୟାପାର। ଦୁଇ ଲଢୁଆ ଯବାନ ପ୍ରତିକୂଳ ପରିସ୍ଥିତିରେ ଧୈର୍ଯ୍ୟର ପରିଚୟ ଦେଇ ଦୃଢ ସଂକଳ୍ପ ଦେଖାଇ ନୂତନ ରେକର୍ଡ ସ୍ଥାପନ କରିବାରେ ଏକ ବିରାଟ ଉପଲବ୍ଧି ହାସଲ କରିଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ, ଭାରତୀୟ ବାୟୁସେନା ସର୍ବଦା ନିଜର କର୍ମଚାରୀଙ୍କ ସାହାସିକ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଦେଇ ଆସିଛି, ଯାହାର ଉଦ୍ଦେଶ୍ୟ ସୌହାର୍ଦ୍ଦ୍ୟ, ଦଳଗତ ଭାବନା ଓ ଶାରୀରିକ ଓ ମାନସିକ ସାହାସ ପରି ଗୁଣକୁ ସାମିଲ କରେ।

ଲଦାଖରେ ଏଲଏସିରେ ଭାରତ ଓ ଚୀନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ବାୟୁସେନା ପ୍ରମୁଖ ଏୟାର ଚିଫ ମାର୍ସାଲ ଆରକେ ଏସ ଭଦୌରିଆ ଗୁରୁବାର କହିଥିଲେ ଯେ, ଭାରତୀୟ ବାୟୁସେନା ଆବଶ୍ୟକ ପଡିଲେ ଶତ୍ରୁର ମୁକାବିଲା ପାଇଁ ନିଜର ଦୃଢ ସଂକଳ୍ପ ଓ ପରାକାଷ୍ଠା ଦେଖାଇବାକୁ ପ୍ରସ୍ତୁତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.