ଅଷ୍ଟ୍ରେଲିଆରେ ରାହାଣେଙ୍କ ଧମାକାଦାର ଶତକ, ପୂଜାରାଙ୍କ ଅର୍ଦ୍ଧଶତକ, ନିରାଶ କଲେ ଯୁବ ଖେଳାଳି

Published By : Prameya-News7 Bureau | December 06, 2020 IST

ସିଡନୀ ୦୬।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତୀୟ ଦଳର ଖେଳାଳି ସିଡନୀରେ ତିନି ଦିନିଆ ଓ୍ଵାର୍ମ ଅପ୍ ମ୍ୟାଚ୍‌ ଖେଳୁଛନ୍ତି। ଅଷ୍ଟ୍ରେଲିଆ ଏ ଓ ଭାରତ ଏ ମଧ୍ୟରେ ଏହି ମୁକାବିଲା  ଖେଳାଯାଉଛି। ପ୍ରଥମ ଦିନର ଖେଳରେ ଭାରତର ଅନେକ ଯୁବ ଖେଳାଳି ନିରାଶ କରିଛନ୍ତି। କିନ୍ତୁ ଭାରତୀୟ ଦଳର ଅନୁଭବି ବ୍ୟାଟସମ୍ୟାନ ଆଜିଙ୍କ୍ୟ ରାହାଣେ ଓ ଚେତେଶ୍ଵର ପୂଜାରା ନିଜର  ଖ୍ୟାତି ଅନୁଯାୟୀ ଦମଦାର ବ୍ୟାଟିଂ କରିଛନ୍ତି। ରାହାଣେ ଶତକୀୟ ଇନିଂସ ଖେଳିଥିବା ବେଳେ ପୂଜାରା ୫୪ ରନ କରିଛନ୍ତି। ଏହି ମ୍ୟାଚ୍‌ରେ ରାହାଣେ ଅଧିନାୟକତ୍ଵ ଦାୟିତ୍ଵ ସମ୍ଭାଳିଛନ୍ତି।  ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୮ ଓ୍ଵିକେଟ୍  ହରାଇ ୨୩୭ ରନ କରିଛି। ରାହାଣେ ୧୦୮ ରନ କରି କ୍ରିଜ୍‌ରେ ଅପରାଜିତ ଅଛନ୍ତି।

ପ୍ରଥମ ଦିନରେ ଦଳର ଯୁବ ବ୍ୟାଟସମ୍ୟାନ ଆତ୍ମ ସମର୍ପଣ କରିଛନ୍ତି। ଓପନର ପୃଥ୍ଵୀ ସ ଓ ଶୁଭମାନ ଗିଲ୍‌ ଖାତା ମଧ୍ୟ ଖୋଲି ପାରି ନାହାନ୍ତି। ଦୁଇ ବ୍ୟାଟସମ୍ୟାନ ଦଳକୁ ନିରାଶ କରିଛନ୍ତି। ଭାରତ ତୃତୀୟ ଓ୍ଵିକେଟ୍ ମଧ୍ୟ ସଅଳ ହରାଇଥିଲା। ହନୁମା ବିହାରୀ କେବଳ ୧୫ ରନ କରି ପାଭିଲିୟନ ଫେରିଥିଲେ। ଭାରତ ୪୦ ରନରେ ୩ ଓ୍ଵିକେଟ୍ ହରାଇ ସାରିଥିଲା। ମାତ୍ର ଏହା ପରେ ଚେତେଶ୍ଵର ପୂଜାରା ଓ ଆଜିଙ୍କ୍ୟ ରାହାଣେ ସତତ୍କତାର ସହ ଇନିଂସ ଆଗକୁ ବଢାଇଥିଲେ।

{"id":373616,"sizeSlug":"large"}

ଚତୁର୍ଥ ଓ୍ଵିକେଟ୍ ପାଇଁ ରାହାଣେ ଓ ପୂଜାରା ୭୬ ରନର ଭାଗିଦାରୀ କରିଥିଲେ। ପୂଜାରା ୫୪ ରନ କରି ପାଟିନସନଙ୍କ ଶିକାର ହୋଇଥିଲେ। ୧୪୦ ବଲର ଇନିଂସରେ ସେ ୫ ଚୌକା ମାରିଥିଲେ। ରିଦ୍ଧିମାନ ଶାହା ମଧ୍ୟ ଖାତା ଖୋଲି ପାରିନଥିଲେ। ଆର ଅଶ୍ଵିନ କେବଳ ୫ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ରାହାଣେ କ୍ରିଜ୍‌ରେ ଜମି ରହି ଇନିଂସ ସମ୍ଭାଳିଥିଲେ। ସେ ସପ୍ତମ ଓ୍ଵିକେଟ୍‌ରେ କୁଲଦୀପ ଯାଦବଙ୍କ ସହ ମିଶି ୬୯ ରନ ଯୋଡିଥିଲେ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଡିସେମ୍ବର ୧୭ରେ ଆଡିଲେଡ୍‌ରେ ଖେଳାଯିବ। ସିରିଜ୍ ପୂର୍ବରୁ ରାହାଣେ ଫର୍ମକୁ ଫେରିବା ଦଳ ପାଇଁ ଭଲ ଖବର। ରାହାଣେ ଗତ କିଛି ସମୟ ହେବ ଭଲ ଫର୍ମରେ ନଥିଲେ। ଗତ ଅଷ୍ଟ୍ରେଲିଆ ଗସ୍ତରେ ରାହାଣେ ୪ ମ୍ୟାଚ୍‌ର ୭ଟି ଇନିଂସରୁ ମାତ୍ର ୩୧ ହାରରେ କେବଳ ୨୧୭ ରନ କରିଥିଲେ। କିନ୍ତୁ ୨୦୧୪-୧୫ ଗସ୍ତରେ ରାହାଣେ ୫୭ ହାରରେ ୩୯୯ ରନ କରିଥିଲେ। ରାହାଣେ ଫର୍ମକୁ ଫେରିବା ବିରାଟଙ୍କ ପାଇଁ ଆଶ୍ଵସ୍ତିଭର ଖବର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.