ଆଜିଠୁ ଟିଭିରେ ୨୦୦୭ ଟି୨୦ ବିଶ୍ୱକପ୍ ହାଇଲାଇଟ୍ସ: ଭାରତ ଖେଳିଥିବା ସମସ୍ତ ମ୍ୟାଚ ଦେଖିପାରିବେ ଦର୍ଶକ, ଜାଣନ୍ତୁ ପ୍ରସାରଣ ସମୟ
12/04/2020 at 11:42 AM

ନୂଆଦିଲ୍ଲୀ, ୧୨|୦୪: କରୋନା ଭାଇରସ ଓ ଲକଡାଉନ ପାଇଁ ସମସ୍ତେ ଏବେ ଘରେ ରହୁଛନ୍ତି । ପରିବାର ସହ ସମୟ କାଟୁଛନ୍ତି । ତେବେ ଦୁରଦର୍ଶନରେ ୧୯୯୦ର ପ୍ରମୁଖ ସିରିଏଲ ରାମାୟଣ, ମହାଭାରତ ଆଦି ପ୍ରଦର୍ଶିତ ହେଉଛି । ଏବେ କେବଳ ଦୁରଦର୍ଶନରେ ନୁହେଁ ଷ୍ଟାର୍ ସ୍ପୋର୍ଟରେ ମଧ୍ୟ ଦର୍ଶକ ମଜା ଉଠାଇ ପାରିବେ । ଏହା ମଧ୍ୟରେ ଷ୍ଟାର୍ ସ୍ପୋର୍ଟସ୍ ୨୦୦୭ରେ ଟି୨୦ ବିଶ୍ୱକପର ମ୍ୟାଚର ହାଇଲାଇଟସ୍ ପ୍ରସାରଣ କରିବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ପ୍ରଥମ ଟି୨୦ ବିଶ୍ୱକପ ବିଜୟୀ ହୋଇଥିଲା ।
୨୦୦୭ ମସିହା ଭାରତୀୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଧୋନୀ ଏହି ବର୍ଷ ପ୍ରଥମ ଥର ପାଇଁ ଦଳର ଅଧିନାୟକ ହୋଇଥିଲେ । ସେ ଟି୨୦ ବିଶ୍ୱକପରେ ପ୍ରଥମ ଥର ଦଳର ନେତୃତ୍ୱ ନେଇ ଚାମ୍ପିଅନ କରିଥିଲେ । ଯେଉଁମାନେ ଏହି ବିଶ୍ୱକପ ଲାଇଭ୍ ଦେଖି ନଥିଲେ ସେମାନଙ୍କ ପାଖରେ ଏବେ ଏହାର ହାଇଲାଇଟଟ୍ ଦେଖିବା ପାଇଁ ସୁଯୋଗ ରହିଛି ।ଷ୍ଟାର ସ୍ପୋର୍ଟସ୍ ୨୦୦୭ ବିଶ୍ୱକପର ଭାରତ ଖେଳିଥିବା ସମସ୍ତ ମ୍ୟାଚର ହାଇଲାଇଟ୍ ପ୍ରସାରଣ କରିବ ।

ଏହି ସମସ୍ତ ମ୍ୟାଚର ପୁନଃ ପ୍ରସାରଣ ଏପ୍ରିଲ ୧୨ରୁ ଏପ୍ରିଲ ୧୭ ମଧ୍ୟରେ ହେବ । ଦିନ ୩ଟାରେ ଏହି ମ୍ୟାଚ ପ୍ରସାରିତ ହେବ । ପ୍ରଥମ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଆଜି ଏହି ମ୍ୟାଚ ପ୍ରସାରିତ ହେବ । ସେହିପରି ୧୩ ତାରିଖରେ ନ୍ୟୁଜିଲାଣ୍ଡ ସହ ମୁକାବିଲା, ୧୪ରେ ଭାରତ-ଇଂଲଣ୍ଡ, ୧୫ରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପ୍ରସାରିତ ହେବ । ସେହିପରି ଏପ୍ରିଲ ୧୬ରେ ଭାରତ-ଅଷ୍ଟ୍ରେଲିଆ ଓ ଏପ୍ରିଲ ୧୭ରେ ଭାରତ- ପାକିସ୍ତାନ ଫାଇନାଲ ମ୍ୟାଚ ପ୍ରସାରଣ କରାଯିବ ।