ଏନଡିଏ-ମହାମେଣ୍ଟ ମଧ୍ୟରେ ଜାରି ରହିଛି କଡା ଟକ୍କର, ବିହାରରେ କିଙ୍ଗ ମେକର ହୋଇ ପାରନ୍ତି ନିର୍ଦ୍ଦଳୀୟ

Published By : Prameya-News7 Bureau | November 10, 2020 IST

ପାଟନା ୧୦।୧୧: ବିହାର ବିଧାନସଭା ନିର୍ବାଚନରେ ଏବେ ବି ବିଜେପି-ଜେଡିୟୁ ଏନଡିଏ ଏବଂ ଆରଜେଡି-କଂଗ୍ରେସର ମହାମେଣ୍ଟ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି। ପ୍ରତି ମୁହୂର୍ତ୍ତରେ ବଦଳୁଥିବା ସମୀକରଣ ଦେଖି ଦୁଇ ପକ୍ଷଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ବିଳମ୍ବିତ ରାତ୍ର ସୁଦ୍ଧା ଚୂଡାନ୍ତ ଫଳାଫଳ ଆସିବାର ସମ୍ଭାବନା ରହିଛି। ଯଦି ମୁକାବିଲା ବରାବର ସ୍ଥିତିରେ ରହେ ତେବେ ନିର୍ଦ୍ଦଳୀୟ ପ୍ରାର୍ଥୀ କିଙ୍ଗ ମେକର ଭୂମିକାରେ ଅବତ୍ତୀର୍ଣ୍ଣ ହୋଇ ପାରନ୍ତି।

ନିର୍ବାଚନ ଆୟୋଗ ଅନୁଯାୟୀ, ବର୍ତ୍ତମାନ ଚକରି ବିଧାନସଭା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ସୁମିତ କୁମାର ସିଂହ ଆଗରେ ଅଛନ୍ତି। ଏହି ଆସନରେ ଦ୍ଵିତୀୟରେ ଆରଜେଡି ପ୍ରାର୍ଥୀ ସାବିତ୍ରୀ ଦେବୀ ଅଛନ୍ତି। ୨୦୧୫ ନିର୍ବାଚନରେ ସାବିତ୍ରୀ ଦେବୀ ଏଠାରେ ୧୨  ହଜାରରୁ ଅଧିକ ଭୋଟ୍‌ରେ  ଜିତିଥିଲେ। ସେହି ପରି ସିକଟା ବିଧାନସଭାରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଦୀଲିପ ବର୍ମା ଅଗ୍ରଣୀ ହାସଲ କରିଛନ୍ତି। ଏହି ଆସନରେ ଦ୍ଵିତୀୟରେ ରହିଛନ୍ତି ସିପିଆଇ ପ୍ରାର୍ଥୀ ବୀରେନ୍ଦ୍ର ପ୍ରସାଦ ଗୁପ୍ତା। ଗତ ବିଧାନସଭା ନିର୍ବାଚନରେ ଏହି ଆସନରେ ଜେଡିୟୁର ଖୁର୍ସିଦ ଓରଫ ଫିରୋଜ ଅହମ୍ମଦ ବିଜୟୀ ହୋଇଥିଲେ। ଯଦି ଏନଡିଏ ଓ ମହାମେଣ୍ଟ ମଧ୍ୟରେ ଆସନ ସମାନ ରହେ ତେବେ ଏହି ଦୁଇ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ଗୁରୁତ୍ଵ ବହୁତ ବଢିଯିବ। ଯାହାଙ୍କୁ ସମର୍ଥନ ଦେବେ ସେ ହିଁ ସରକାର ଗଢିବ।

ବିହାର ବିଧାନସଭା ନିର୍ବାଚନରେ ପୂର୍ବେ କେବେ ନିର୍ଦ୍ଦଳୀୟ ବିଧାୟକଙ୍କ ମହତ୍ଵ ନଥିଲା। ହେଲେ ୧୯୯୦ର ବିଧାନସଭା ନିର୍ବାଚନରେ ୩୦ ଆସନ ନିର୍ଦ୍ଦଳୀୟଙ୍କ ଖାତାକୁ ଯାଇଥିଲା। ସେହି ସମୟରେ ମୋଟ୍ ଆସନ ସଂଖ୍ୟା ୩୨୪ ରହିଥିଲା। ହେଲେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ନମିଳିବାରୁ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ କେହି ପଚାରିନଥିଲେ। କିନ୍ତୁ କଂଗ୍ରେସକୁ ବିରୋଧ କରିବା ନାମରେ ଲାଲୁଙ୍କ ସହିତ ମିଶି ସମସ୍ତ ଦଳ ସରକାର ଗଢିଥିଲେ।

୨୦୦୦ରେ ନିର୍ଦ୍ଦଳୀୟଙ୍କ ସାହାଯ୍ୟରେ ହୋଇଥିଲା ସରକାର

୨୦୦୦ ବିଧାନସଭା ନିର୍ବାଚନରେ ପ୍ରଥମ ଥର ନିର୍ଦ୍ଦଳୀୟ ବିଧାୟକଙ୍କ ସାହାଯ୍ୟରେ ନୀତିଶ କୁମାର କେବଳ ସାତ ଦିନ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ସରକାର ଭାଙ୍ଗିବା ପରେ ରାବଡୀ ଦେବୀ ବିହାରର  ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହି ସମୟରେ ସ୍ଵାଧୀନ ବିଧାୟକଙ୍କ ଗୁରୁତ୍ଵ ଏତେ ରହିଥିଲା ଯେ, ମନ୍ତ୍ରୀ ପଦ ମଧ୍ୟ ଯଚା ଯାଉଥିଲା।

ବର୍ତ୍ତମାନର ସ୍ଥିତି ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ ଆନୁଷ୍ଠାନିକ ସୂଚନା ଅନୁଯାୟୀ, ବିଜେପି ୭୩, ଜେଡିୟୁ ୪୧, ଆରଜେଡି ୭୫, କଂଗ୍ରେସ ୨୦, ଏମଆଇଏମଆଇଏମ ୫, ବହୁଜନ ସମାଜ ପାର୍ଟି ୧, ସିପିଆଇ ୩, ସିପିଆଇଏମ ୩, ସିପିଆଇ ଏମଏଲ ୧୩, ହମ ୩, ନିର୍ଦ୍ଦଳୀୟ ୨, ଭିଆଇପି ୫ ଆସନରେ ଅଗ୍ରଣୀ ହାସଲ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.