ସ୍ୱାଧିନତା ଦିବସ ଉତ୍ସବ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍, ପରେଡ୍-ମାର୍ଚ୍ଚପାଷ୍ଟ ମନା, ସାମାଜିକ ଦୂରତା ସହ ମାସ୍କ ବାଧ୍ୟତାମୂଳକ

Published By : Prameya-News7 Bureau | August 11, 2020 IST

ଭୁବନେଶ୍ୱର, ୧୧|୦୮:  ସ୍ବାଧୀନତା ଦିବସ ପାଳନ ପାଇଁ ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ୍ । ଏନେଇ ଗୃହବିଭାଗ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି । କୋଭିଡ୍ କଟକଣା ସହ ଉଭୟ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ହେବ । ପରେଡ୍ ପ୍ରଦର୍ଶନ କିମ୍ବା ମାର୍ଚ୍ଚପାଷ୍ଟ ହେବନି । କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ  କରାଯାଇଛି। ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଆଜି ରିହରସଲ୍ କରାଯାଇଛି ।

କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ପାଳନ ହେବ ସ୍ବାଧୀନତା ଦିବସ । ଏଥିପାଇଁ ଗୃହବିଭାଗ ପକ୍ଷରୁ ସବୁ ଜିଲ୍ଲପାଳ ଓ ଏସପିଙ୍କୁ  ଚିଠି ଲେଖାଯାଇଛି । କୋଭିଡ୍‌ କଟକଣା ନିୟମକୁ ମାନି ଏଥର ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ହେବ । ସକାଳ ୯ଟା ପରେ ମୁଖ୍ୟ ଅତିଥି  ଜାତୀୟ ପତାକା ଉତ୍ତୋଳନ କରିବେ । ଏହାପରେ  ଜାତୀୟ ସଙ୍ଗୀତ ଗାନ କରାଯିବ । ଏଥର କୌଣସି ପ୍ରକାରର ପରେଡ କିମ୍ବା ମାର୍ଚପାଷ୍ଟ ହେବନାହିଁ । ଉତ୍ସବ ପାଳନ ବେଳେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ସ୍ବାଧୀନତା ଦିବସ ପାଳନରେ ସାଧାରଣ ଲୋକ  ସାମିଲ ହୋଇପାରିବେ ନାହିଁ । ଉତ୍ସବରେ ସୀମିତ ସଂଖ୍ୟକ ଅର୍ଥାତ୍‌ ୫୦ରୁ ୭୫ ଅତିଥିଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି ।

{"id":313219,"width":744,"height":469,"sizeSlug":"large"}

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଏଥର ୟୁନିଟ୍‌-୩ ପ୍ରଦର୍ଶନୀ ପଡିଆରେ  ପାଳନ ହେବ ।ଏଠାରେ  ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବେ । ଏଥିପାଇଁ ଆଜି ରିହରସଲ୍ ହୋଇଥିବା ବେଳେ କାଲି ବି ରିହରସଲ୍ ହେବ । ରିହରସଲ୍‌ରେ ଓ.ଏସ୍‌.ଏ.ପି, ଏସ୍‌.ଏସ୍‌.ବି, ଓଡ୍ରାଫ୍‌, ରିଜର୍ଭ ପୋଲିସ ବ୍ୟାଣ୍ଡ ଭାଗନେଇଛନ୍ତି । ଉତ୍ସବସ୍ଥଳକୁ ଭଲଭାବେ ସାନିଟାଇଜ କରାଯିବ ଓ ପ୍ରବେଶ ପଥରେ ସାନିଟାଇଜର ରଖାଯିବ । ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବରେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବ ।

ପ୍ରଦର୍ଶନୀ ପଡିଆର ଆଖପାଖ ଓ ଉତ୍ସବ ସ୍ଥଳକୁ ଯାଉଥିବା ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ଉତ୍ସବ ଯୋଗଦେବାକୁ ଥିବା ଅତିଥି ମାନଙ୍କୁ ଇ-ନମନ୍ତ୍ରଣ ପତ୍ର ପଠାଯାଇ ସାରିଛି । ସ୍ବାଧୀନତା ଦିବସ ଉତ୍ସବ ପାଳନ ପାଇଁ ବୃକ୍ଷରୋପଣ, ଅନଲାଇନରେ ପ୍ରବନ୍ଧ ଓ କ୍ବିଜ୍‌ ପ୍ରତିଯୋଗିତାକୁ ଅନୁମତି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.