ରବିବାର ପ୍ରଥମ ଦିନିକିଆ, ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ଏମିତି ହୋଇପାରେ ଭାରତୀୟ ଦଳର ପ୍ଲେଇଙ୍ଗ ଇଲେଭେନ

Published By : Prameya-News7 Bureau | July 16, 2021 IST

ନୂଆଦିଲ୍ଲୀ ୧୬।୦୭:  ଭାରତୀୟ କ୍ରିକେଟ୍ ଦଳର ଶ୍ରୀଲଙ୍କା ଗସ୍ତ  ଜୁଲାଇ ୧୮ରୁ ଦିନିକିଆ ସିରିଜ୍ ସହ ଆରମ୍ଭ ହେବ। ରବିବାର ଉଭୟ ଦଳ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ। ହେଲେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଓ ଅଧିନାୟକ ଶିଖର ଧାଓ୍ଵନଙ୍କ ପାଇଁ ସବୁଠୁ ବଡ ଚିନ୍ତା ଶ୍ରୀଲଙ୍କା ବିପକ୍ଷରେ ଏକ ଆଦର୍ଶ ଚୂଡାନ୍ତ ଏକାଦଶ ଚୟନ କରିବା। ଭାରତ ନିକଟରେ ଅନେକ ନବାଗତ ଖେଳାଳି ଅଛନ୍ତି, ଯେଉଁମାନେ ନିଜ ପ୍ରଦର୍ଶନ ଜରିଆରେ ସ୍ଵତନ୍ତ୍ର ଛାପ ଛାଡିବାକୁ ବ୍ୟଗ୍ର। ଏଥିସହ ଆଗାମୀ ଟି-୨୦ ବିଶ୍ଵ କପ୍‌ରେ ନିଜର ସ୍ଥାନ ସୁନିଶ୍ଚିତ କରିବାକୁ ଚାହିଁବେ। ଭାରତ ଶ୍ରୀଲଙ୍କା ଗସ୍ତ ପାଇଁ ୨୦ ଜଣିଆ ଦଳ ଘୋଷଣା କରିଛି। ତେଣୁ ଦଳ ପ୍ରବନ୍ଧକଙ୍କୁ ୨୦ ଜଣିଆ ଦଳ ଘୋଷଣା କରିବାକୁ ପରିଶ୍ରମ କରିବାକୁ ପଡିବ। ହେଲେ ଏହି ୧୧ ଖେଳାଳିଙ୍କ ପ୍ରଥମ ଦିନିକିଆରେ ଖେଳିବାର ସମ୍ଭାବନା ଅଧିକ ରହିଛି। ଆସନ୍ତୁ ଜାଣିବା ଭାରତୀୟ ଦଳର ଚୂଡାନ୍ତ ଏକାଦଶ।

ଓପନର- ଶିଖର ଧାଓ୍ଵନ ଓ ପୃଥ୍ଵୀ ସ

ଅଧିନାୟକ ଶିଖର ଧାଓ୍ଵନଙ୍କ ଓପନିଂ ଭାବେ ଖେଳିବା ନିଶ୍ଚିତ। ଦିନିକିଆରେ ଦମଦାର ପ୍ରଦର୍ଶନ କରି ଧାଓ୍ଵନ ଟି-୨୦ ବିଶ୍ଵ କପରେ ନିଜକୁ ପ୍ରବଳ ଦାବିଦାର ଭାବେ ଉପସ୍ଥାପନ କରିବାକୁ ଚାହିଁବେ। ଅନ୍ୟପଟେ ପୃଥ୍ଵୀ ସ ଧାଓ୍ଵନଙ୍କ ସହ ଓପନିଂ କରିବା ପ୍ରାୟ ନିଶ୍ଚିତ। ଅଷ୍ଟ୍ରେଲିଆରେ ଖରାପ ପ୍ରଦର୍ଶନ ପରେ ସ ବିଜୟ  ହଜାରେ ଟ୍ରଫିର ଗୋଟିଏ ସିଜିନରେ ୮୦୦ ରନରୁ ଅଧିକ ରନ କରିଛନ୍ତି। ଯଦି ସେ ୫୦ ଓଭରିଆ କ୍ରିକେଟରେ ଚମକନ୍ତି ତେବେ ଟି-୨୦ ସିରିଜରେ ସ୍ଥାନ ମିଳିପାରେ।

ମଧ୍ୟକ୍ରମ- ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ ଓ ସଞ୍ଜୁ ସାମସନ

ଯାଦବ ଏ ପର୍ଯ୍ୟନ୍ତ ନିଜ କ୍ୟାରିୟରରେ କେବଳ ତିନୋଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। କିନ୍ତୁ ମଧ୍ୟକ୍ରମରେ ସେ ଯେଉଁଭଳି ବ୍ୟାଟ୍ କରନ୍ତି ତେବେ ଦଳକୁ ମଜବୁତ ପ୍ରଦାନ କରିବ। ଲାଗୁଛି  ଯାଦବ ଶ୍ରୀଲଙ୍କା ବିପକ୍ଷରେ ସମସ୍ତ ୬ଟି ମ୍ୟାଚ୍ ଖେଳିବେ। ଯଦି ସେ ଭଲ ପ୍ରଦର୍ଶନ କରନ୍ତି ତେବେ ଭାରତର ସିନିୟର ଦଳରେ ସ୍ଥାନ ନିଶ୍ଚିତ କରି ପାରନ୍ତି। ଅନ୍ୟପଟେ ମନୀଷ ପାଣ୍ଡେଙ୍କ ପାଇଁ ଏହା ଶେଷ ସୁଯୋଗ। ବେଙ୍ଗାଲୁରୁ ଏହି ବ୍ୟାଟସମ୍ୟାମ ଅନେକ ବର୍ଷ ଧରି ଦଳରେ ସାମିଲ୍ ହେଉଛନ୍ତି ଏବଂ ବାଦ୍ ପଡୁଛନ୍ତି। ମାତ୍ର ଦଳରେ ନିଜର ସ୍ଥାନ ସୁନିଶ୍ଚିତ କରିବା ପାଇଁ ସେ କମ ପରିଶ୍ରମ କରିଛନ୍ତି। ତାଙ୍କର ଭବିଷ୍ୟତ ଏହି ସିରିଜ୍‌ ଉପରେ ଅଧିକାଂଶ ନିର୍ଭର କରେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସାମସନ ଦେଶର ସବୁଠୁ ପ୍ରତିଭାଶାଳୀ ଖେଳାଳିଙ୍କ ମଧ୍ୟରୁ ଜଣେ। ହେଲେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସେ ଏ ପର୍ଯ୍ୟନ୍ତ ବିଫଳ ରହିଛନ୍ତି। ସାମସନ ସମସ୍ତ ଦିନିକିଆରେ ଖେଳିବାର ସମ୍ଭାବନା ରହିଛି।

ଅଲରାଉଣ୍ଡର- ହାର୍ଦ୍ଦିକ ଓ କୃଣାଲ ପାଣ୍ଡ୍ୟା

ସମସ୍ତଙ୍କ ନଜର ଛୋଟ ଭାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ରହିଛି। ଆଶା କରାଯାଉଛି ଏହି ସିରିଜ୍‌ରେ ହାର୍ଦ୍ଦିକ ବୋଲିଂ କରିବେ। ଯଦି  ବୋଲିଂ କରି ସେ ନିଜର ଫିଟନେସ୍ ସାବ୍ୟସ୍ତ କରନ୍ତି ତେବେ ଭାରତୀୟ ଦଳ ପାଇଁ ଏହା ସବୁଠୁ ବଡ ଖୁସି ଖବର ହେବ। ଶ୍ରୀଲଙ୍କା ବିପକ୍ଷ ସମସ୍ତ ମ୍ୟାଚ୍ ଖେଳିବା ତାଙ୍କର ନିଶ୍ଚିତ। ହେଲେ ଏହା ଦଳ ପ୍ରବନ୍ଧକଙ୍କ ଉପରେ ନିର୍ଭର କରେ ଯେ ତାଙ୍କୁ ମ୍ୟାଚ୍‌ରେ କେଉଁଭଳି ଦାୟିତ୍ଵ ଦେବ। କୃଣାଲ ପାଣ୍ଡ୍ୟା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ଏବେ ସେ ଏହି ପ୍ରଦର୍ଶନକୁ ଏହି ସିରିଜ୍‌ରେ ଦୋହରାଇବାକୁ ଚାହିଁବେ। ସେ ମଧ୍ୟ ସବୁ ଏକଦିବସୀୟ ମ୍ୟାଚ୍ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ଦ୍ରୁତ ବୋଲର- ଭୁବନେଶ୍ଵର କୁମାର ଓ ନବଦୀପ ସାଇନି

ଆହତଜନିତ ସମସ୍ୟାରୁ ମୁକୁଳିବା ପରେ ଉଭୟ ବୋଲର ଦଳକୁ ଫେରିଛନ୍ତି। ଦଳର ଉପ ଅଧିନାୟକ ଭୁବନେଶ୍ଵର କୁମାର ଟେଷ୍ଟ ଦଳରେ ପୁନର୍ବାର ନିଜକୁ ସାମିଲ କରାଇବା ପାଇଁ ଚୟନକର୍ତ୍ତାଙ୍କୁ ଏହି ସିରିଜ୍‌ ମାଧ୍ୟମରେ ପ୍ରଭାବିତ କରିବାକୁ ଚେଷ୍ଟା କରିବେ। ସେ ମଧ୍ୟ ସମସ୍ତ ମ୍ୟାଚ୍ ଖେଳି ପାରନ୍ତି। ସାଇନି ମଧ୍ୟ ସଭିଙ୍କୁ ପ୍ରଭାବିତ କରିଛନ୍ତି, ହେଲେ ଦଳରେ ନିୟମିତ ରହିବାକୁ ହେଲେ ତାଙ୍କୁ ଓ୍ଵିକେଟ୍ ନେବାକୁ ପଡିବ। ଏମିତି ନହେଲେ ତାଙ୍କ ସ୍ଥାନ ଦୀପକ ଚହର ନେଇ ଯିବେ।

ସ୍ପିନର- କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ

ଗତ ଦୁଇ ବର୍ଷ ଧରି ଫର୍ମ ପାଇବାକୁ ସଂଘର୍ଷ କରୁଥିବା ଯାଦବଙ୍କ ପାଇଁ ଏହି ସିରିଜ୍ କର ବା ମର  ସାବ୍ୟସ୍ତ ହୋଇପାରେ। ଯଦି ସେ ନିଜର ଆତ୍ମ ବିଶ୍ଵାସ ଫେରି ପାଆନ୍ତି ତେବେ ଟି-୨୦ ବିଶ୍ଵ କପରେ ଗେମ ଚେଞ୍ଜର ସାବ୍ୟସ୍ତ ହୋଇ ପାରନ୍ତି। ସେହି ପରି ଚହଲ ମଧ୍ୟ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି। ଯଦି ତାଙ୍କୁ କିଛି ଓ୍ଵିକେଟ୍ ମିଳେ ତେବେ ସେ ପୁଣି ଥରେ ସେ ଭାରତ ଏକ ନମ୍ବର ସ୍ପିନର ହୋଇଯିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.