IND vs SL: ଶ୍ରୀଲଙ୍କା ସିରିଜ୍‌ରେ ଓହ୍ଲାଇବା ମାତ୍ରେ ଇତିହାସ ରଚିଲେ ଧାଓ୍ଵନ, ଭାଙ୍ଗିଲେ ୩୭ ବର୍ଷର ପୁରୁଣା ରେକର୍ଡ

Published By : Prameya-News7 Bureau | July 18, 2021 IST

କଲୋମ୍ବୋ ୧୮।୦୭: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଶିଖର ଧାଓ୍ଵନ ଏକ ଖାସ୍ ରେକର୍ଡ ନିଜ ନାମରେ କରିଛନ୍ତି। ଧାଓ୍ଵନ ଭାରତର ଅଧିନାୟକ କରିବାରେ ସବୁଠୁ ବୟୋଜ୍ୟୋଷ୍ଠ କ୍ରିକେଟର ହୋଇଛନ୍ତି। ଧାଓ୍ଵନ ପଡିଆକୁ ଓହ୍ଲାଇବା ମାତ୍ରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି।

ଧାଓ୍ଵନଙ୍କ ବସୟ ୩୫ ବର୍ଷ ୨୨୫ ଦିନ। ସେ ମହିନ୍ଦର ଅମରନାଥଙ୍କ ରେକର୍ଡ ଭାଙ୍ଗିଛନ୍ତି। ଅମରନାଥ ୧୯୮୪ରେ ୩୪ ବର୍ଷ ୩୭ ଦିନ ବୟସରେ ପ୍ରଥମ ଥର  ଭାରତୀୟ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ। ଏହି ପରି ଧାଓ୍ଵନ ୩୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ଧାଓ୍ଵନଙ୍କ ନେତୃତ୍ଵରେ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତରେ ଅଛି। ଏହି ଗସ୍ତରେ ଦଳ ୩ଟି ଦିନିକିଆ ଓ  ୩ଟି ଟି-୨୦ ମ୍ୟାଚ୍ ଖେଳିବ।

ଧାଓ୍ଵନ ଅଧିନାୟକତ୍ଵରେ ଏକ ରେକର୍ଡ କରିବା ପରେ ତାଙ୍କ ପାଖରେ ବ୍ୟାଟିଂରେ ମଧ୍ୟ ଏକ ବଡ ରେକର୍ଡ କରିବାର ସୁଯୋଗ ରହିଛି। ଧାଓ୍ଵନ ଯଦି ଏମିତି କରିବାରେ ସଫଳ  ହୁଅନ୍ତି ତେବେ ସେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେବେ।

ଧାଓ୍ଵନ ଦିନିକିଆରେ ଏ ପର୍ଯ୍ୟନ୍ତ ୫୯୭୭ ରନ କରିଛନ୍ତି। ଯଦି ସେ ମ୍ୟାଚ୍‌ରେ ୨୩ ରନ କରି ନିଅନ୍ତି ତେବେ ୬ ହଜାର ଦିନିକିଆ ରନ ପୂରଣ କରିବେ। ଏହି ଉପଲବ୍ଧି ହାସଲ କରିବାରେ ସେ ୧୦ତମ ଭାରତୀୟ ଖେଳାଳି ହେବେ।

ଦିନିକିଆରେ ଦ୍ରୁତ ୬୦୦୦ ରନ କରିବାର ରେକର୍ଡ ବିରାଟ କୋହଲିଙ୍କ ନାମରେ ରହିଛି। କୋହଲି ୧୩୬ଟି ଇନିଂସରୁ ଏହି  ରେକର୍ଡ ହାସଲ କରିଛନ୍ତି। ଦ୍ଵିତୀୟରେ ଅଛନ୍ତି ଗାଙ୍ଗୁଲି। ସେ ୧୪୭ଟି ଇନିଂସରୁ ୬୦୦୦ ରନ ପୂରଣ କରିଛନ୍ତି। ଧାଓ୍ଵନ ଏ ପର୍ଯ୍ୟନ୍ତ ୧୩୯ଟି ଇନିଂସରେ ୫୯୭୭ ରନ କରିଛନ୍ତି। ଆଜିର ମ୍ୟାଚ୍‌ରେ ୨୩ ରନ କଲେ ସେ ୬୦୦୦ ରନ ପୂରଣ କରି ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେବେ।

ସବୁଠୁ ଅଧିକ ବୟସରେ ଅଧିନାୟକ ହୋଇଥିବା ଭାରତୀୟ ଖେଳାଳି

ମହିନ୍ଦର ଅମରନାଥ- ୩୪ ବର୍ଷ ୩୭ ଦିନ

ସୈୟଦ କିରମାନି- ୩୩  ବର୍ଷ ୩୫୩ ଦିନ

ଅଜିତ୍ ଓ୍ଵାଦେକର- ୩୩ ବର୍ଷ ୧୦୩ ଦିନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.