Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଶ୍ରୀଲଙ୍କାକୁ ବିସିସିଆଇର ଚେତାବନୀ ! ସିରିଜ୍ ପାଇଁ ବ୍ୟାକ୍ ଅପ୍‌ ଟିମ୍ ପ୍ରସ୍ତୁତ ରଖନ୍ତୁ

10/07/2021 at 8:22 PM

ନୂଆଦିଲ୍ଲୀ ୧୦।୦୭: ଭାରତୀୟ  ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ। ଏହି ଗସ୍ତରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ଓ ଟି-୨୦ ସିରିଜ୍ ଖେଳାଯିବ। ଦିନିକିଆ ସିରିଜ୍ ଜୁଲାଇ ୧୩ରୁ ଆରମ୍ଭ ହେବାର ଥିଲା। ମାତ୍ର ଶ୍ରୀଲଙ୍କାର ଦୁଇ ଜଣ ସହାୟକ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ପୁଣି ନୂତନ ଖେଳସୂଚୀ ଜାରି କରାଯାଇଛି। ଏବେ ମୁକାବିଲା ଜୁଲାଇ ୧୮ରେ ଆରମ୍ଭ ହେବ। ବିସିସିଆଇ ମଧ୍ୟ କରୋନା ମଧ୍ୟରେ ସିରିଜ୍ ଖେଳିବାକୁ ରାଜି ହୋଇଛି। ଏହି ଗସ୍ତରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳାଯିବ।

ବିସିସିଆଇ ସଂପାଦକ ଜୟ ଶାହା ଶନିବାର ସିରିଜ୍‌ର ନୂତନ ଖେଳସୂଚୀ ବିଷୟରେ ସୂଚନା ଦେଇଛନ୍ତି। ଇଣ୍ଡିଆନ ଏକ୍ସପ୍ରେସର ଖବର ଅନୁଯାୟୀ, ବିସିସିଆଇ ଶ୍ରୀଲଙ୍କା ବୋର୍ଡକୁ କହିଛନ୍ତି, ଯଦି ଦଳରୁ ଅଧିକ କରେନା କେସ୍ ଚିହ୍ନଟ ହୁଏ ତେବେ ସେମାନେ ନିଜର ବ୍ୟାକଅପ୍ ଟିମ୍ ପ୍ରସ୍ତୁତ କରି ରଖନ୍ତୁ। ଏହା ମଧ୍ୟରେ ଖବର ଆସିଛି ଯେ, ଦ୍ଵିତୀୟ ଧାଡିର ଖେଳାଳିଙ୍କ ମଧ୍ୟରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିନ୍ତୁ ଏହାକୁ ନେଇ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। ଶ୍ରୀଲଙ୍କାର ଖେଳାଳିଙ୍କୁ ପ୍ରଥମରୁ ହିଁ ଭାରତୀୟ ଦଳ ରହୁଥିବା ହୋଟେଲ୍‌ରୁ ଦୂରେଇ ରଖାଯାଇଛି।

ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାଓ୍ଵାର ଓ ଡାଟା ଆନାଲିଷ୍ଟ ଜିଟି ନିରୋଶନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପରେ ଇଂଲଣ୍ଡରୁ ଫେରିଥିବା ଶ୍ରୀଲଙ୍କା ଦଳର ଖେଳାଳିଙ୍କୁ ଆଉ ଦୁଇ ଦିନିଆ ଆଇସୋଲେସନରେ ପଠାଇ ଦିଆଯାଇଛି। ସେମାନଙ୍କର ଆରଟି-ପିସିଆର ଟେଷ୍ଟ କରାଯିବ। ଏହା ପରେ ଯାଇ ସେମାନେ ଜୈବ ନିରାପତ୍ତା ବଳୟରେ ପ୍ରବେଶ କରିବେ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୧୮ରେ ଖେଳାଯିବ। ଦ୍ଵିତୀୟ ମ୍ୟାଚ୍ ଜୁଲାଇ ୨୦ ଓ ତୃତୀୟ ଜୁଲାଇ ୨୩ରେ ଖେଳାଯିବ। ଏହା ପରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୨୫, ଦ୍ଵିତୀୟ ଜୁଲାଇ ୨୭ ଓ ତୃତୀୟ  ଜୁଲାଇ ୨୯ରେ ଖେଳାଯିବ। ସମସ୍ତ ମ୍ୟାଚ୍ କଲୋମ୍ବୋରେ ଖେଳାଯିବ।

   Related Posts