ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଆଜି ଭାରତୀୟ ଦଳର ଘୋଷଣା, କଣ ଦଳରେ ରହିବେ କି ରାହାଣେ ?

Published By : Prameya-News7 Bureau | December 08, 2021 IST

ନୂଆଦିଲ୍ଲୀ ୦୮।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ବୁଧବାର ଭାରତୀୟ ଦଳର ଘୋଷଣା କରାଯିବ। ଭାରତୀୟ କ୍ରିକେଟ୍ ଦଳ ଡିସେମ୍ବର ୨୬ ଅର୍ଥାତ ବକ୍ସିଂ ଡେରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍‌ର ପ୍ରଥମ ମ୍ୟାଚ୍ ଖେଳିବ। ଏହି ଗସ୍ତରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା ପରେ ହୋଇପାରେ। କାରଣ ଦିନିକିଆ ସିରିଜ୍ ଜାନୁଆରୀ ୧୯ରେ ଆରମ୍ଭ ହେବ।

ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ମଙ୍ଗଳବାର ନିଜର  ୨୧ ଜଣିଆ ଟେଷ୍ଟ ଦଳ ଘୋଷଣା କରି ସାରିଛି। ଜୈବ ନିରାପତ୍ତା ବଳୟ କାରଣରୁ ବୋର୍ଡ ପକ୍ଷରୁ  ବଡ ସଂଖ୍ୟାରେ ଖେଳାଳିଙ୍କୁ ଦଳରେ ସାମିଲ୍ କରାଯାଇଛି। ଏହି ଟେଷ୍ଟ ସିରିଜ୍‌ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଅଂଶବିଶେଷ। ସିରିଜ୍‌ ତିନୋଟି ମ୍ୟାଚ୍ ସେଞ୍ଚୁରିୟନ, ଓ୍ଵାଣ୍ଡରର୍ସ ଓ ନ୍ୟୁଲାଣ୍ଡ୍ସରେ ଖେଳାଯିବ। ଉଲ୍ଲେଖନୀୟ ଭାରତୀୟ ଦଳ କେବେ ବି ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ୍ ଜିତି ନାହିଁ।  ତେଣୁ ପ୍ରଥମ ସିରିଜ୍ ଜିତିବା ପାଇଁ ବିରାଟ କୋହଲିଙ୍କ ଉପରେ ବଡ ଦାୟିତ୍ଵ ରହିଛି।

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଯେତେବେଳେ ଚୟନକର୍ତ୍ତା ଦଳ ଘୋଷଣା କରିବେ ତେବେ ଦଳରେ ଆଜିଙ୍କ୍ୟ ରାହାଣେ ରହିବେ କି ନାହିଁ ତା ଉପରେ ନିଷ୍ପତ୍ତି ନିଆଯିବ। କିନ୍ତୁ ତାଙ୍କ ସ୍ଥାନ ସୁରକ୍ଷିତ ଥିବା ଲାଗୁଛି। କେବଳ ଦେଖିବା ବାକି ରହିଲା ଯେ, ଦଳରେ ସେ ଉପ ଅଧିନାୟକ ରହିବେ କି ନାହିଁ।  କ୍ରମାଗତ ବିଫଳ ପରେ ରାହାଣେ ଉପ ଅଧିନାୟକ ପଦରେ ରହିବା ମୁସ୍କିଲ  ଲାଗୁଛି। ଏହି କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍‌ରେ ଫିଟନେସ୍‌ର କାରଣ ଦର୍ଶାଇ ତାଙ୍କୁ ଦଳରୁ ବାହାରେ ରଖାଯାଇଥିଲା।

ଯଦି ରାହାଣେଙ୍କୁ ଉପ ଅଧିନାୟକ ପଦରୁ ହଟାଯାଏ ତେବେ ରୋହିତ ଶର୍ମା ତାଙ୍କ ସ୍ଥାନ ନେଇ ପାରନ୍ତି। ରୋହିତ ନିକଟରେ ଟି-୨୦ ଦଳର ଅଧିନାୟକ ସମ୍ଭାଳିଛନ୍ତି ଏବଂ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ନ୍ୟୁଜିଲାଣ୍ଡକୁ ୩-୦ରେ ପରାଜିତ କରିଛନ୍ତି। ସେହି ପରି ୧୦୦ରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିଥିବା ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ମଧ୍ୟ ଦଳରେ ରହିବା ମୁସ୍କିଲ ଲାଗୁଛି। ଦୀର୍ଘ ସମୟ ହେବ ଇଶାନ୍ତ ଶର୍ମା ଫର୍ମରେ ନାହାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.