ଆୟରଙ୍କ ଶତକ ବଢାଇଲା ଟିମ୍ ମ୍ୟାନେଜମେଣ୍ଟଙ୍କ ଚିନ୍ତା, ମୁମ୍ବାଇ ଟେଷ୍ଟରେ କୋହଲିଙ୍କ ପାଇଁ କେଉଁ ଖେଳାଳି ପଡିବେ ବାଦ୍ ?

Published By : Prameya-News7 Bureau | November 26, 2021 IST

କାନପୁର ୨୬।୧୧: କାନପୁର ଟେଷ୍ଟରେ ପଦାର୍ପଣ କରିଥିବା ଶ୍ରେୟସ ଆୟର ଦମଦାର ଶତକ ଅର୍ଜନ କରି ଦଳ ପ୍ରବନ୍ଧକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି। ଆୟର ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟର ପ୍ରଥମ ଇନିଂସରେ ୧୭୧ ବଲ୍‌ରୁ ୧୦୫ ରନର ଇନିଂସ ଖେଳିଛନ୍ତି। ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ। ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍‌ରେ ବିରାଟ କୋହଲି ଦଳକୁ ଫେରିବେ। ପ୍ରବନ୍ଧକଙ୍କ ସାମ୍ନାରେ ସବୁଠୁ ବଡ ପ୍ରଶ୍ନ କୋହଲିଙ୍କ ସ୍ଥାନରେ କେଉଁ ଖେଳାଳିଙ୍କୁ ନିଜର ସ୍ଥାନ ହରାଇବାକୁ ପଡିବ ? ଓପନିଂରେ ମୟଙ୍କ ଅଗ୍ରଓ୍ଵାଲଙ୍କ ସହିତ ଶୁଭମାନ ଗିଲ୍ ଖେଳିବା ନିଶ୍ଚିତ।

ଅନ୍ୟପଟେ ମଧ୍ୟ କ୍ରମରେ ଶ୍ରେୟସ ଆୟର ଶତକୀୟ ଇନିଂସ ଖେଳି ନିଜର ସ୍ଥାନ ନିଶ୍ଚିତ କରିଛନ୍ତି। ଓ୍ଵିକେଟ୍ କିପର ଭାବେ ଋଦ୍ଧିମାନ ଶାହା ଦଳରେ ରହିବେ। ଏମିତିରେ କେବଳ ଦୁଇ ଜଣ ଖେଳାଳି ଅଛନ୍ତି, ଯିଏ କୋହଲିଙ୍କ ପାଇଁ ନିଜର ସ୍ଥାନ ଛାଡିବାକୁ ପଡିପାରେ। ଏହି ଦୁଇ ଖେଳାଳି ହେଉଛନ୍ତି ଆଜିଙ୍କ୍ୟ ରାହାଣେ ଓ ଚେତେଶ୍ଵର ପୂଜାରା। ଦୁଇ ଖେଳାଳି ଦୀର୍ଘ ସମୟ ଧରି ବଡ ଇନିଂସ ଖେଳିବା ପାଇଁ ସଂଘର୍ଷ କରୁଛନ୍ତି। ତେଣୁ ଆଶା କରାଯାଉଛି ଯେ, କେହାଲିଙ୍କ ପାଇଁ ରାହାଣେଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ।

ରାହାଣେଙ୍କ ଗତ ୨୦ ଇନିଂସରେ ଖରାପ ପ୍ରଦର୍ଶନ

କୋହଲିଙ୍କ ଅନୁପସ୍ଥିତିରେ ରାହାଣେ ନ୍ୟୁଜିଲାଣ୍ଡ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ଵ ସମ୍ଭାଳିଛନ୍ତି। ପରବର୍ତ୍ତୀ ଟେଷ୍ଟରେ ନିଜର ସ୍ଥାନ  ବଞ୍ଚାଇବାକୁ ହେଲେ ରାହାଣେଙ୍କୁ କାନପୁର ଟେଷ୍ଟର ଦ୍ଵିତୀୟ ଇନିଂସରେ ଭଲ ବ୍ୟାଟିଂ କରି ନିଜକୁ ସାବ୍ୟସ୍ତ କରିବାକୁ ପଡିବ। ସେ ପ୍ରଥମ ଇନିଂସରେ ୬୩ ବଲ୍‌ରେ ୩୫ ରନ କରିଛନ୍ତି। ସେ ଗତ ୨୦ ଇନିଂସରେ ମାତ୍ର ୪୦୭ ରନ କରିଛନ୍ତି। ଏଥିରେ କେବଳ ଦୁଇଟି ଅର୍ଦ୍ଧଶତକ ସାମିଲ୍। ଏହି ସମୟରେ ତାଙ୍କର ବ୍ୟାଟିଂ ହାର ମାତ୍ର ୨୦.୩ ପ୍ରତିଶତ ରହିଛି।

୩୯ ଇନିଂସରେ ଗୋଟିଏ ବି ଶତକ ନାହିଁ

ଏମିତି କିଛି ଅବସ୍ଥା ଚେତେଶ୍ଵର ପୂଜାରାଙ୍କର। ପୂଜାରା  ନିଜର ଶେଷ ଟେଷ୍ଟ ଶତକ ୨୦୧୯ ଜାନୁଆରୀରେ ହାସଲ କରିଥିଲେ। ସେ ଗତ ୨୩ଟି ଟେଷ୍ଟ ଏବଂ ୩୯ ଇନିଂସରେ ଗୋଟିଏ ହେଲେ ଶତକ ହାଲସ କରି ପାରି ନାହାନ୍ତି। ଏହି ସମୟରେ ତାଙ୍କର ବ୍ୟାଟିଂ ହାର ୨୮.୭୮ ରହିଛି। ପୂଜାରା  କାନପୁର ଟେଷ୍ଟର ପ୍ରଥମ ଇନିଂସରରେ ୮୮ ବଲରେ ମାତ୍ର ୨୬ ରନ କରିଛନ୍ତି। ଏବେ ମଧ୍ୟ ପୂଜାରାଙ୍କ ପାଖରେ କାନପୁର ଟେଷ୍ଟର ଦ୍ଵିତୀୟ ଇନିଂସରେ ବଡ ପାଳି ଖେଳିବାର ସୁଯୋଗ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.