ଏଜାଜଙ୍କ ଐତିହାସିକ ସଫଳତା ପରେ ବି ନ୍ୟୁଜିଲାଣ୍ଡ ନାଁରେ ଲଜ୍ଜାଜନକ ରେକର୍ଡ, ୬୨ ରନରେ ଅଲଆଉଟ୍ ହେଲା କିଓ୍ଵି ଦଳ

Published By : Prameya-News7 Bureau | December 04, 2021 IST

ମୁମ୍ବାଇ ୦୪।୧୨: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦ୍ଵିତୀୟ ତଥା ଶେଷ ଟେଷ୍ଟ ମୁମ୍ଵାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ଆଜି ଦ୍ଵିତୀୟ ଦିନରେ ଅନେକ ରେକର୍ଡ ଏବଂ କୀର୍ତ୍ତିମାନ ପ୍ରତିଷ୍ଠା ହୋଇଛି। କିଓ୍ଵି ବୋଲର ଏଜାଜ ପଟେଲ୍ ଗୋଟିଏ ଇନିଂସରେ ୧୦ ଓ୍ଵିକେଟ୍ ନେଇ ଇତିହାସ ରଚିଛନ୍ତି। ତେବେ ଭାରତୀୟ ବୋଲର ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ନ୍ୟୁଜିଲାଣ୍ଡକୁ ୬୨ ରନରେ ଅଲଆଉଟ୍ କରିଛନ୍ତି। ଏହି ସ୍କୋର ସହିତ ନ୍ୟୁଜିଲାଣ୍ଡ ନାମରେ ଏକ ଲଜ୍ଜାଜନକ ରେକର୍ଡ ରହି ଯାଇଛି। ଭାରତ ମାଟିରେ ଟେଷ୍ଟ ମ୍ୟାଚ୍‌ରେ କୌଣସି ଦଳ ଦ୍ଵାରା ଏହା ହେଉଛି ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ଏହି ରେକର୍ଡ ଭାରତ ନାଁରେ ଥିଲା। ୧୯୮୭ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୭୫ ରନ କରିଥିଲା। ଏହା ପରେ  ଭାରତ ୨୦୦୮ରେ ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ଇନିଂସରେ ୭୬ ରନ କରିଥିଲା। ପୁଣି ୨୦୧୫ରେ ନାଗପୁରରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୭୯ ରନ କରିଥିଲା।

ନ୍ୟୁଜିଲାଣ୍ଡର ଟେଷ୍ଟ କ୍ରିକେଟ୍ ଇତିହାସରେ ଭାରତ ବିପକ୍ଷରେ ଏହା ହେଉଛି ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ୨୦୧୫ରେ ନାଗପୁରରେ ଭାରତ ବିପକ୍ଷରେ ସବୁଠୁ ସର୍ବନିମ୍ନ ସ୍କୋର ୭୯ ରନ ଥିଲା।  ଭାରତ ବିପକ୍ଷରେ ଟେଷ୍ଟରେ ତୃତୀୟ ସବୁଠୁ ସର୍ବନିମ୍ନ ସ୍କୋର ଇଂଲଣ୍ଡ ନାମରେ ରହିଛି। ଦଳ ୨୦୨୧ରେ ଅହମ୍ମଦାବାଦରେ ୮୧ ରନ କରିଥିଲା। ଏହା ପୂର୍ବରୁ ଶ୍ରୀଲଙ୍କା ୧୯୯୦ରେ  ଚଣ୍ଡିଗଡରେ ୮୨ ରନ କରିଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ ପ୍ରଥମ ଇନିଂସରେ କାଇଲ ଜେମିସନ ସର୍ବାଧିକ ୧୭ ରନ କରିଥିଲେ। ଅଧିନାୟକ ଟମ ଲାଥମ ୧୦ ରନ କରିଥିଲେ। ବାକି କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ଚାରି, ମହମ୍ମଦ ସିରାଜ ତିନି, ଅକ୍ଷର ପଟେଲ୍ ଦୁଇ ଏବଂ ଜୟନ୍ତ ଯାଦବ ଗୋଟିଏ ଓ୍ଵିକେଟ୍ ନେଇଥିଲେ। ଏହା ପୂର୍ବରୁ  ଭାରତ ପ୍ରଥମ ଇନିଂସରେ ୩୨୫ ରନରେ ଅଲଆଉଟ୍ ହୋଇଥିଲା। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ୨୬୩ ରନର ଅଗ୍ରଣୀ ହାସଲ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.