ଟେଷ୍ଟ କ୍ରିକେଟ୍‌ରେ ଇତିହାସ ରଚିଲେ ଅଶ୍ଵିନ, କୁମ୍ବଲେ-କପିଲଙ୍କୁ ପଛରେ ପକାଇଲେ

Published By : Prameya-News7 Bureau | December 05, 2021 IST

ମୁମ୍ବାଇ ୦୫।୧୨:  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦ୍ଵିତୀୟ ଟେଷ୍ଟ ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ଆଜି ହେଉଛି ମ୍ୟାଚ୍‌ର ତୃତୀୟ ଦିନ।  ଭାରତ ଦ୍ଵାରା ଧାର୍ଯ୍ୟ ୫୪୦ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ନ୍ୟୁଜିଲାଣ୍ଡ ୫ ଓ୍ଵିକେଟ୍ ହରାଇ ୧୪୦ ରନ କରିଛି। ଏଥିରୁ ୩ଟି ଓ୍ଵିକେଟ୍ ଅଶ୍ଵିନ ନେଇଛନ୍ତି। ଏଥିସହ ଭାରତର ଏହି ଷ୍ଟାର  ବୋଲର ଟେଷ୍ଟ କ୍ରିକେଟ୍‌ରେ ନୂତନ ଇତିହାସ ରଚିଛନ୍ତି। ଅଶ୍ଵିନ ଟେଷ୍ଟ କ୍ରିକେଟ୍‌ରେ ଗୋଟିଏ ବର୍ଷରେ ଚତୁର୍ଥ ଥର ୫୦ କିମ୍ବା ସେଥିରୁ ଅଧିକ ଓ୍ଵିକେଟ ନେବାର ରେକର୍ଡ କରିଛନ୍ତି। ଟେଷ୍ଟ କ୍ରିକେଟ୍ ଇତିହାସରେ କୌଣସି  ଭାରତୀୟ ବୋଲରଙ୍କ ଦ୍ଵାରା ଏକ ବର୍ଡ ରେକର୍ଡ। ଏହି ମାମଲାରେ ଅଶ୍ଵିନ ଅନିଲ କୁମ୍ବଲେ ଓ କପିଲ୍ ଦେବଙ୍କ ପରି ଦିଗ୍‌ଜ  ବୋଲରଙ୍କୁ ପଛରେ ପକାଇଛନ୍ତି।

wp:html /wp:html

ଅଶ୍ଵିନ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନରେ ନ୍ୟୁଜିଲାଣ୍ଡର ଦ୍ଵିତୀୟ ଇନିଂସରେ ୩ ଓ୍ଵିକେଟ୍ ହାସଲ କରିବା ସହ ଏହି ରେକର୍ଡ ନିଜ ନାମରେ କରିଛନ୍ତି। ଅଶ୍ଵିନ ଟେଷ୍ଟ କ୍ରିକେଟ୍‌ରେ ଗୋଟିଏ ବର୍ଷରେ ଚତୁର୍ଥ ଥର ୫୦ କିମ୍ବା ସେଥିରୁ ଅଧିକ ଓ୍ଵିକେଟ୍ ନେବାର ଉପଲବ୍ଧି ହାସଲ କରିଛନ୍ତି। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଅଶ୍ଵିନ ୫୦ ଓ୍ଵିକେଟ୍ ନେଇ ସାରିଛନ୍ତି। ଏହା ପୂର୍ବରୁ ସେ ୨୦୧୫, ୨୦୧୬ ଓ ୨୦୧୭ରେ  ଟେଷ୍ଟ କ୍ରିକେଟ୍‌ରେ ୫୦ କିମ୍ବା ସେଥିରୁ ଅଧିକ ଓ୍ଵିକେଟ୍ ନେଇଥିଲେ। ଏପରିକି ୨୦୨୧ରେ ପ୍ରଥମ ବୋଲର ଭାବେ ଅଶ୍ଵିନ ୫୦ ଓ୍ଵିକେଟ୍ ନେଇଛନ୍ତି।

wp:html /wp:html

ଅଶ୍ଵିନଙ୍କ ପୂର୍ବରୁ ଅନିଲ୍ କୁମ୍ବଲେ ତିନି ଥର ଏହି କାରନାମା କରିଥିଲେ। ଟେଷ୍ଟ କ୍ରିକେଟ୍‌ର ଗୋଟିଏ ଇନିଂସରେ ସମସ୍ତ ୧୦ ଓ୍ଵିକେଟ୍ ନେବାର ରେକର୍ଡପ କରିଥିବା କୁମ୍ବଲେ ୧୯୯୯, ୨୦୦୪ ଓ ୨୦୦୬ରେ ଟେଷ୍ଟ କ୍ରିକେଟ୍‌ରେ ୫୦ କିମ୍ବା ତଦୁର୍ଦ୍ଧ୍ଵ ଓ୍ଵିକେଟ୍ ନେଇଛନ୍ତି। ତାଙ୍କ ବ୍ୟତୀତ ହରଭଜନ ସିଂହ ତିନି ଏବଂ କପିଲ୍ ଦେବ ଦୁଇ ଥର ଏହି ସଫଳତା ହାସଲ କରିଛନ୍ତି। ହରଭରଜନ ୨୦୦୧, ୨୦୦୨ ଓ ୨୦୦୮ରେ ଏହି ସଫଳତା ହାସଲ କରିଥିବା ବେଳେ କପିଲ୍ ଦେବ ୧୯୭୯ ଓ ୧୯୮୩ରେ ଏହି ରେକର୍ଡ ନିଜ ନାମର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.