ଚେତେଶ୍ଵର ପୂଜାରାଙ୍କ ସ୍ଥାନ ନେଇ ପାରନ୍ତି ଏହି ୩ ଖେଳାଳି, ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଦମ୍ଭ ଦେଖାଇବେ !

Published By : Prameya-News7 Bureau | June 29, 2021 IST

ସାଉଥମ୍ପଟନ ୨୯।୦୬: ଭାରତୀୟ କ୍ରିକେଟ୍ ଦଳ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମୁକାବିଲାରେ ନ୍ୟୁଜିଲାଣ୍ଡ ହାତରୁ ପରାଜିତ ହୋଇଛି। ଏବେ ଦଳ ସମ୍ମୁଖରେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଚ୍ୟାଲେଞ୍ଜ ରହିଛି। ଭାରତୀୟ ଦଳ ପାଇଁ ଏହି ସିରିଜ୍‌ ସେତେଟା ସହଜ ହେବ ନାହିଁ, କାରଣ ଇଂଲଣ୍ଡକୁ ତାରି ଘରେ ହରାଇବା ମୁସ୍କିଲ। ଏମିତିରେ ଭାରତୀୟ ଦଳକୁ ନିଜର ଦୁର୍ବଳତା ଦୂର କରିବାକୁ ପଡିବ, ଯାହା ଫାଇନାଲ୍ ମୁକାବିଲାରେ ଉଜାଗର ହୋଇଛି। ଭାରତୀୟ ଦଳର ନୂତନ ଦିଓ୍ଵାଲ କୁହାଯାଉଥିବା ଚେତେଶ୍ଵର ପୂଜାରା ମଧ୍ୟ ଭାରତୀୟ ଦଳର ଦୁର୍ବଳତା ପାଲଟିଛନ୍ତି। ବିଶ୍ଵ ଟେଷ୍ଟ ସିରିଜ୍‌ରେ ତାଙ୍କର ପ୍ରଦର୍ଶନ ବହୁତ ନିରାଶଜନକ ରହିଛି। ଏବେ ଦଳରେ ତାଙ୍କ ସ୍ଥାନ ବିପଦରେ ପଡିଛି।

ଚେତେଶ୍ଵର ପୂଜାରା ବିଶ୍ଵ ଟେଷ୍ଟ ସିରିଜ୍‌ରେ ୧୮ଟି ମ୍ୟାଚ୍‌ରେ ୨୮.୦୩ ହାରରେ ୮୪୧ ରନ କରିଛନ୍ତି। ଏଥିରେ ୯ ଅର୍ଦ୍ଧଶତକ ସାମିଲ। ପୂଜାରା ବିଶ୍ଵ ଟେଷ୍ଟ ସିରିଜ୍‌ରେ ଗୋଟିଏ  ହେଲେ ଶତକ ହାସଲ କରି ପାରିନାହାନ୍ତି। ବିଶ୍ଵ ଟେଷ୍ଟ ସିରିଜ୍‌ର ଫାଇନାଲ୍‌ରେ ଉଭୟ ଇନିଂସରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ। ହେଲେ ଏବେ ତାଙ୍କ ସ୍ଥାନ ଉପରେ ବିପଦ ଘନେଇବାରେ ଲାଗିଛି। ଏବେ ଏମିତି ୩ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ଇଂଲଣ୍ଡ ସିରିଜ୍‌ରେ ପୂଜାରାଙ୍କ ସ୍ଥାନ ନେଇ ପାରନ୍ତି।

ହନୁମା ବିହାରୀ

ଡାହାଣହାତୀ ବ୍ୟାଟସମ୍ୟାନ ହନୁମା ବିହାରୀ ମଧ୍ୟ ଭାରତୀୟ ଟେଷ୍ଟ ଫର୍ମାଟ୍‌ରେ ସ୍ପେଶାଲିଷ୍ଟ ବ୍ୟାଟସମ୍ୟାନ। ତାଙ୍କ ନିକଟରେ ଲମ୍ବା ଇନିଂସ ଖେଳିବାର ସାମର୍ଥ୍ୟ ରହିଛି। ହନୁମା ଏ ପର୍ଯ୍ୟନ୍ତ ୧୨ଟି ଟେଷ୍ଟରେ ୩୨.୮୪ ହାରରେ ୬୨୪ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ୪ ଅର୍ଦ୍ଧଶତକ ସାମିଲ। ହନୁମା ବିହାରୀଙ୍କୁ ଭାରତୀୟ ଦଳ କ୍ରମାଗତ ସୁଯୋଗ ଦେଇ ନାହିଁ। ଦଳରେ ତାଙ୍କର ବ୍ୟାଟିଂ କ୍ରମ ସର୍ବଦା ବଦଳି ଆସିଛି। ସେ ଦଳ ପାଇଁ ଓପନିଂ ମଧ୍ୟ କରିଛନ୍ତି। ହନୁମା ବିହାରୀ ନମ୍ବର ୩ରେ ବ୍ୟାଟିଂ ପାଇଁ ଉପଯୋଗୀ ବ୍ୟାଟସମ୍ୟାନ ହୋଇ ପାରନ୍ତି। ଯଦି ଭାରତୀୟ ଦଳ ତାଙ୍କୁ ସୁଯୋଗ ଦିଏ ତେବେ ଦୀର୍ଘ ସମୟ ଧରି ଟେଷ୍ଟ ଦଳର ସଦସ୍ୟ ହୋଇ ପାରନ୍ତି। ହନୁମା ବିହାରୀ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୯୩ଟି ମ୍ୟାଚ୍‌ରେ ୫୪.୯୧ ହାରରେ ୭୧୯୪ ରନ କରିଛନ୍ତି। ସେଥିରେ ତ୍ରିଶତକ ମଧ୍ୟ ସାମିଲ୍। ସ୍ପଷ୍ଟ ଯେ, ହନୁମା ବିହାରୀଙ୍କ ଭିତରେ ପ୍ରତିଭା ଭରି ରହିଛି।

କେଏଲ ରାହୁଲ

ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଟେକନିକ୍ ଭାବେ କେଏଲ ରାହୁଲ ଭାରତର ସବୁଠୁ ମଜବୁତ  ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ। ରାହୁଲ ଭାରତ ପାଇଁ ୩୬ଟି ଟେଷ୍ଟ ଖେଳି ୨୦୦୬ ରନ କରିଛନ୍ତି। ଏଥିରେ ୫ ଶତକ ସାମିଲ। ରାହୁଲ ଓପନର ଭାବେ ଟେଷ୍ଟ କ୍ରିକେଟ୍ ଖେଳିଛନ୍ତି ଏବଂ ନମ୍ବର ୩ରେ ମଧ୍ୟ ସେ ଦାୟିତ୍ଵ ସମ୍ଭାଳି ପାରିବେ। ରାହୁଲ ଶେଷ ଥର ୨୦୧୯ରେ ଟେଷ୍ଟ ଖେଳିଥିଲେ। ହେଲେ ଇଂଲଣ୍ଡ ଗସ୍ତରେ ଚୟନକର୍ତ୍ତା ତାଙ୍କୁ ଦଳରେ ସୁଯୋଗ ଦେଇଛନ୍ତି।

ମୟଙ୍କ ଅଗ୍ରଓ୍ଵାଲ

ମୟଙ୍କ ଅଗ୍ରଓ୍ଵାଲ ନିଜର ୧୪ଟି ଟେଷ୍ଟ ମ୍ୟାଚ୍‌ର ଛୋଟ କ୍ୟାରିୟରରେ ୨ଟି ଦ୍ଵିଶତକ ହାସଲ କରିବାର କାରନାମା କରିଛନ୍ତି। ସେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପରେ ୧୨ଟି ଟେଷ୍ଟ ମ୍ୟାଚ୍‌ରେ ୪୨ରୁ ଅଧିକ ହାରରେ ୮୫୭ ରନ କରିଛନ୍ତି। ଏହା ପରେ ବି ତାଙ୍କ ଦଳରୁ ବାଦ୍ ଦିଆଯାଇଛି। ଭାରତୀୟ ଦଳ ମୟଙ୍କ ସ୍ଥାନରେ ଶୁବମାନ ଗିଲ୍‌ଙ୍କୁ ଗୁରୁତ୍ଵ ଦେଇଥିଲା। ଯେମିତି ଭାରତୀୟ ଦଳ ଗିଲ୍‌ଙ୍କ ଉପରେ ଭରସା କରିଛି, ସେମିତି ମୟଙ୍କ ଅଗ୍ରଓ୍ଵାଲଙ୍କୁ ନମ୍ବର ୩ରେ ସୁଯୋଗ ଦିଆଯାଇ ପାରିବ। ଅଗ୍ରଓ୍ଵାଲଙ୍କ ଏହି କ୍ରମରେ ରନ କରିବାର ସାମର୍ଥ୍ୟ ମଧ୍ୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.