ପଞ୍ଚମ ଟେଷ୍ଟ ବାତିଲ୍ ନେଇ ଆଇସିସିକୁ ଚିଠି ଲେଖିଲା ଇସିବି, ସିରିଜ୍ ଉପରେ ହୋଇପାରେ ଚୂଡାନ୍ତ ନିଷ୍ପତ୍ତି

Published By : Prameya-News7 Bureau | September 11, 2021 IST

ନୂଆଦିଲ୍ଲୀ ୧୧।୦୯: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ବାତିଲ ହେବା ପରେ ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ  କ୍ରିକେଟ୍ (ଇସିବି) ଆଇସିସିକୁ ଚିଠି ଲେଖିଛି। ଇସିବି ଟେଷ୍ଟ ସିରିଜ୍ ଉପରେ ନିଷ୍ପତ୍ତି ନେବାକୁ ଅପିଲ୍ କରିଛି। ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଏହି ସିରିଜ୍‌ ଟେଷ୍ଟ ଚାମ୍ପିଅନସିପର ଅଂଶବିଶେଷ ଥିଲା। ଆଇସିସି ଏହି ମୁକାବିଲାକୁ ନେଇ କଣ ନିଷ୍ପତ୍ତି ନେଉଛି ତାହା ଦେଖିବା ବାକି ରହିଲା। କିନ୍ତୁ ବିସିସିଆଇ ଏବଂ ଇସିବି ମିଳିତ ବୟାନ  ଜାରି କରି କହିଥିଲେ ଯେ, ଶେଷ ଟେଷ୍ଟ ମ୍ୟାଚ୍‌ର ଆୟୋଜନ ପାଇଁ ନୂଆ ତାରିଖ ନିର୍ଦ୍ଧାରଣ କରିବା ଉପରେ ବିଚାର କରାଯିବ। ମାତ୍ର ଇସିବିର ସିଇଓ ଟମ୍ ହ୍ୟାରିସନ ସଙ୍କେତ ଦେଇଥିଲେ ଯେ, ପରେ ଆୟୋଜିତ ହେବାକୁ ଥିବା ଟେଷ୍ଟ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜ୍‌ର ଅଂଶ ବିଶେଷ ହେବ ନାହିଁ।

କ୍ରିକବଜ୍‌ର ଖବର ଅନୁଯାୟୀ, ଆଇସିସି ଏହି ଟେଷ୍ଟ ମ୍ୟାଚ୍‌କୁ ନେଇ ଦୁଇ ଦଳ ମଧ୍ୟରୁ ଗୋଟିଏ ଦଳ ସପକ୍ଷରେ ନିଷ୍ପତ୍ତି ଶୁଣାଇପାରେ। ପ୍ରଥମେ ଆଇସିସି କୋଭିଡ୍ ନିୟମ ଅନୁସାରେ ଏହି ଟେଷ୍ଟ ବାତିଲ୍ ହୋଇଛି କି ନାହିଁ ତାହା ଦେଖିବ। ଯଦି କୋଭିଡ୍ ନିୟମ ଅନୁସାରେ ମ୍ୟାଚ୍ ବାତିଲ୍ ହୋଇଥାଏ ତେବେ ଭାରତ  ନାଁରେ ସିରିଜ୍ ୨-୧ ହେବ। ଏହି ଅନୁସାରେ ଦୁଇ ଦଳକୁ ଡବ୍ଲ୍ୟୁଟିସିର ପଏଣ୍ଟ ଦିଆଯିବ। ଦ୍ଵିତୀୟତଃ ଯଦି ଆଇସିସିର ବିବାଦ ନିବାରଣ ସମିତି ଏହା  ବୁଝି ନିଅନ୍ତି ଯେ, ଭାରତ ଏହି ମୁକାବିଲାରୁ ହଟି ଯାଇଛି  ତେବେ ଏମିତି ସ୍ଥିତିରେ ଇଂଲଣ୍ଡକୁ ବିଜୟୀ ଘୋଷିତ କରାଯିବ ଏବଂ ସିରିଜ୍ ୨-୨ରେ ସମାପ୍ତ ହେବ। ଡବ୍ଲ୍ୟଟିସିର ଖେଳ ସର୍ତ୍ତ ଅନୁଯାୟୀ, କିଛି ପରିସ୍ଥିତିରେ ଦଳକୁ ମ୍ୟାଚ୍ ନଖେଳିବାର ଅନୁମତି ରହିଛି, ମାତ୍ର ଆଇସିସିର ଅଧିକାରୀ ସେହି କାରଣ ପ୍ରତି ସନ୍ତୁଷ୍ଟ ହେବା ଉଚିତ୍।

ଆଇସିସି ଦ୍ଵାରା ବିଶ୍ଵ ଟେଷ୍ଟ ଚାମ୍ପିଅନସିପକୁ ନେଇ ତିଆରି ନିୟମରେ କୁହଯାଇଛି ଯେ, ଯଦି କରୋନା କୌଣସି ଦଳକୁ ମଇଦାନକୁ ଓହ୍ଲାଇବାରେ ସମସ୍ୟା ସୃଷ୍ଟି କରେ ତେବେ ଏମିତି ସ୍ଥିତିରେ ଦଳ ଖେଳିବାକୁ ମନା କରି ପାରିବ। ଅନ୍ୟପଟେ ବିସିସିଆଇ ଆଇସିସି ସାମ୍ନାରେ ନିଜର ପକ୍ଷ ରଖିବାକୁ ମଧ୍ୟ ଉଦ୍ୟମ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.