ଟିମ୍ ଇଣ୍ଡିଆକୁ ବଡ ଝଟକା, ପ୍ରଥମ ଟେଷ୍ଟରୁ ବାଦ୍ ପଡିଲେ ଶୁବମାନ ଗିଲ୍

Published By : Prameya-News7 Bureau | June 30, 2021 IST

ଲଣ୍ଡନ ୩୦।୦୬: ଭାରତୀୟ ଦଳକୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ବଡ ଝଟକା ଲାଗିଛି। ଓପନର ବ୍ୟାଟସମ୍ୟାନ ଶୁବମାନ ଗିଲ୍ ଆହତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ୍ ପଡିଛନ୍ତି। ଟେଷ୍ଟ ସିରିଜ୍ ଆରମ୍ଭ  ହେବାକୁ ଆହୁରି ଗୋଟିଏ ମାସର ସମୟ ରହିଛି। ଗତ ଇଂଲଣ୍ଡ ସିରିଜ୍ ଓ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍‌ରେ ଶୁବମାନ ଗିଲ୍‌ଙ୍କ ପ୍ରଦର୍ଶନ ନିରାଶଜନକ ଥିଲା।

କ୍ରିକବଜ୍‌ର ରିପୋର୍ଟ ଅନୁଯାୟୀ, ଶୁବମାନ ଗିଲ୍ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଟେଷ୍ଟରୁ ବାହାରି ଯାଇଛନ୍ତି। ହେଲେ ତାଙ୍କ ଆଘାତ କେତେ ଗୁରୁତର ରହିଛି ତାହା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ସେ ଲମ୍ବା ସମୟ ଧରି ଦଳରୁ ବାହାରି ଯାଇଛନ୍ତି। ସେ ସ୍ଵଦେଶ ନ ଫେରି ଦଳ ସହିତ ରହିବେ। ଟେଷ୍ଟ ସିରିଜ୍‌ ସମୟରେ  ସେ ସୁସ୍ଥ ହୋଇଯିବାର ସମ୍ଭାବନା ରହିଛି।

ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍‌ରେ ବିଫଳ ହେବା ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ ଶୁବମାନ ଗିଲ୍ ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ, ଫାଇନାଲ୍‌ରେ ବିଫଳ ହେବା କାରଣରୁ ଶୁବମାନ ଗିଲ୍‌ଙ୍କୁ ଟେଷ୍ଟ ପାଇଁ ଦଳରେ ଜାଗା ମିଳିବା ମୁସ୍କିଲ। କିନ୍ତୁ ଭାରତୀୟ ଦଳକୁ ଏଥିରେ ଅଧିକ ସମସ୍ୟା ହେବ। ତାଙ୍କ ଅନୁପସ୍ଥିତିରେ ମୟଙ୍କ ଅଗ୍ରଓ୍ଵାଲ କିମ୍ବା କେଏଲ ରାହୁଲଙ୍କୁ ଦଳରେ ସ୍ଥାନ ମିଳିପାରେ।

ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ପରେ ଭାରତୀୟ ଦଳର ଖେଳାଳିଙ୍କୁ ୨୦ ଦିନର ବିଶ୍ରାମ ଦିଆଯାଇଛି। ଖେଳାଳି ଜୁଲାଇ ୧୪ରେ ଏକାଠି ହେବେ। ଏହା ପରେ ଇଣ୍ଟ୍ରା ସ୍କ୍ଵାର୍ଡ ମୁକାବିଲା ଖେଳାଯିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ଅଗଷ୍ଟ ୪ରୁ ଖେଳାଯିବ। ୨୦୧୮ ଗସ୍ତରେ ଭାରତୀୟ ଦଳ ଇଂଲଣ୍ଡ ହାତରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୧-୪ରେ ପରାଜିତ ହୋଇଥିଲା। ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳକୁ ଏହାର ପ୍ରତିଶୋଧ ନେବାର ସୁଯୋଗ ରହିଛି। ସବୁଠୁ ଅଧିକ ନଜର ଚେତେଶ୍ଵର ପୂଜାରାଙ୍କ ଉପରେ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.