ଟିମ୍ ଇଣ୍ଡିଆକୁ ଝଟକା : ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ଅବଶିଷ୍ଟ ମ୍ୟାଚରୁ ବାଦ ପଡିଲେ ଉମେଶ ଯାଦବ
31/12/2020 at 3:20 PM

ନୂଆଦିଲ୍ଲୀ ୩୧/୧୨ : ତୃତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ଶକ୍ତ ଝଟକା ଲାଗିଛି । ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ଟେଷ୍ଟ ସିରିଜର ଅବଶିଷ୍ଟ ମ୍ୟାଚ୍ରୁ ବାଦ ପଡିଛନ୍ତି ଦ୍ରୁତ ବୋଲର ଉମେଶ ଯାଦବ । ସେ ସିରିଜର ବାକି ଥିବା ୨ଟି ଟେଷ୍ଟ ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।
ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନରେ ଉମେଶ ବୋଲିଂ କରୁଥିବା ବେଳେ ମାଂସପେଶୀରେ ଆଘାତ ଲାଗିଥିଲା । ଏହା ପରେ ସେ ପଡିଆ ଛାଡିଥିଲେ । ବର୍ତ୍ତମାନ ସେ ଟେଷ୍ଟ ମ୍ୟାଚର ଅବଶିଷ୍ଟ ମ୍ୟାଚରୁ ବାଦ ପଡିବା ପରେ ଟିମ୍ ଇଣ୍ଡିଆ ପାଇଁ ସମସ୍ୟା ବଢିଯାଇଛି । କାରଣ ପୂର୍ବରୁ ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ଆହତ କାରଣରୁ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି । ଏବେ ଉମେଶ ଯାଦବ ସିରିଜରୁ ବାଦ ପଡିବା ପରେ ଦଳ ପରବର୍ତ୍ତୀ ମ୍ୟାଚ ପାଇଁ କାହାକୁ ସାମିଲ କରିବ ତାହା ସବୁଠୁ ବଡ ପ୍ରଶ୍ନ ।
ବର୍ତ୍ତମାନ ଉମେଶ ଯାଦବ ଟିମରୁ ବାଦ ପଡିବା ପରେ ଆଗାମୀ ମ୍ୟାଚଗୁଡିକ ପାଇଁ କିଏ ଦଳରେ ସାମିଲ ହେବେ ତାହା ଟିମ ପାଇଁ ପ୍ରମୁଖ ସମସ୍ୟା ହୋଇପାରେ । ମେଲବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୮ ଓ୍ବିକେଟରେ ହରାଇବା ସହ ସିରିଜକୁ ୧-୧ରେ ବରାବର ରଖିଛି ଭାରତ ।
ସେପଟେ ରୋହିତ ଶର୍ମା ଫିଟ୍ ଘୋଷିତ ହେବା ପରେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି । ତୃତୀୟ ଟେଷ୍ଟ ପାଇଁ ଜୋରଦାର ଅଭ୍ୟାସ ଚଳାଇଛନ୍ତି ରୋହିତ । ତୃତୀୟ ଟେଷ୍ଟ ୭ ଜାନୁୟାରୀରୁ ସିଡନୀରେ ଖେଳାଯିବ । ତେବେ ବିକଳ୍ପ ଭାବେ ଦଳରେ କାହାକୁ ସାମିଲ କରିବ ତାହା ଏବେ ସବୁଠୁ ବଡ ଚ୍ୟାଲେଞ୍ଜ ।