Image Courtesy : zeenews
ନୂଆଦିଲ୍ଲୀ ୦୭/୦୧ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଜାରି ରହିଛି । ପ୍ରଥମ ଦିନ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨ ଓ୍ବିକେଟ୍ ହରାଇ ୧୬୬ ରନ ସଂଗ୍ରହ କରିଛି । ତେବେ ମ୍ୟାଚ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ସମୟରେ ମହମ୍ମଦ ସିରାଜଙ୍କ ଦେଶ ପ୍ରେମ ସମସ୍ତଙ୍କ ମନ ଜିଣି ନେଇଥିଲା ।
ଉଭୟ ଦଳ ନିଜନିଜ ଦେଶର ଜାତୀୟ ସଙ୍ଗୀତ ଗାନ କରିବାକୁ ପଡିଆ ମଧ୍ୟକୁ ପ୍ରବେଶ କରିଥିଲେ । ତେବେ ଭାରତର ଜାତୀୟ ସଙ୍ଗୀତ ଗାନ ଚାଲିଥିବା ବେଳେ ମହମ୍ମଦ ସିରାଜ ଭାବବିହ୍ବଳ ହୋଇ ପଡିଥିଲେ । ତାଙ୍କ ଆଖିରୁ ଅଜାଣତରେ ଝରିଆସିଥିଲା ଦେଶ ମାତୃକାର ଅଶ୍ରୁ । ଏହି ପୁରା ଘଟରା କ୍ୟାମେରାରେ କଏଦ ହୋଇଯାଇଥିଲା ।
ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କର ଏହା ହେଉଛି ଦ୍ବିତୀୟ ଟେଷ୍ଟ ମ୍ୟାଚ୍ । ଗୁରୁବାର ମ୍ୟାଚ ଆରମ୍ଭ ହେବା ପୂର୍ବରୁ ସେ କିଛି ସମୟ ପାଇଁ ଭାବବିହ୍ବଳ ହୋଇପଡିଥିଲେ । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ସମସ୍ତ ଖେଳାଳୀଙ୍କ ସହ ମହମ୍ମଦ ସିରାଜ ମଧ୍ୟ ପଡିଆ ମଧ୍ୟକୁ ଆସିଥିଲେ । ସିରାଜଙ୍କ ପାଇଁ ଏହି ମୂହୁର୍ତ୍ତ ସର୍ବଦା ସ୍ମରଣୀୟ ହୋଇ ରହିବ ।
ମହମ୍ମଦ ସାମୀ ଆହତ ହେବା ପରେ ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ମେଲବର୍ଣ୍ଣ ଟେଷ୍ଟରେ ଡେବ୍ୟୁ ସୁଯୋଗ ମିଳିଥିଲା । ଏହି ମ୍ୟାଚରେ ନିଜକୁ ପ୍ରମାଣିତ କରି ଦେଖାଇବା ସହ ୫ଟି ଓ୍ବିକେଟ ହାସଲ କରିଥିଲେ ମହମ୍ମଦ ସିରାଜ । କିଛି ଦିନ ପୂର୍ବରୁ ସିରାଜଙ୍କ ପିତାଙ୍କ ଦେହାନ୍ତ ହୋଇଛି । ତେବେ ସେ ଅଷ୍ଟ୍ରେଲିଆ ଗସ୍ତରେ ଥିବାରୁ ଭାରତ ପ୍ରତ୍ୟାବର୍ତ୍ତନ କରିପାରିନଥିଲେ । ଏବେ ପିତାଙ୍କ ସ୍ବପ୍ନକୁ ସାକାର କରିବା ପୂର୍ବକ ସେ ଟିମ ଇଣ୍ଡିଆର ସଦସ୍ୟ ଭାବେ ଜଣେ ସଫଳ ବୋଲର ଭାବେ ଉଭା ହୋଇଛନ୍ତି ।