ବ୍ରିସବେନ୍ ଟେଷ୍ଟରେ ବୁମରାହ ଖେଳିବା ନେଇ ଆଶଙ୍କା, ଟିମ୍ ଇଣ୍ଡିଆ ପାଇଁ ମୁଣ୍ଡ ବିନ୍ଧାର କାରଣ ଆହତ ସମସ୍ୟା

Published By : Prameya-News7 Bureau | January 12, 2021 IST

ସିଡନୀ ୧୨/୦୧ : ଟିମ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ଫିଟ୍ ନାହାନ୍ତି । ପେଟ ସମସ୍ୟା​‌ ଯୋଗୁଁ ସେ ଚିନ୍ତାରେ ଅଛନ୍ତି । ଚତୁର୍ଥ ତଥା ଶେଷ ଟେଷ୍ଟରେ ବୁମରାହ ଖେଳିବା ନେଇ ଏବେ ଆଶଙ୍କା ଦେଖାଦେଇଛି । ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ସେ ସମ୍ପୂର୍ଣ୍ଣ ଫିଟ୍ ନାହାନ୍ତି । ତଥାପି ଯଦି ସେ ଚତୁର୍ଥ ଟେଷ୍ଟ ପାଇଁ ୫୦ ପ୍ରତିଶତ ଫିଟ୍ ଥିବେ ତେବେ ମ୍ୟାଚ୍‌ ଖେଳି ପାରିବେ ।

ବ୍ରିସବେନ୍‌ ଟେଷ୍ଟ ଆସନ୍ତା ଜାନୁୟାରୀ ୧୫ ରୁ ଆରମ୍ଭ ହେବାକୁ ଯାଉଛି । ଏହା ସହ ସିରିଜ୍ ୧-୧ରେ ବରାବର ଥିବାରୁ ଏହି ମ୍ୟାଚ୍‌ ନିର୍ଣ୍ଣାୟକ ସାବ୍ୟସ୍ତ ​‌ହେବ । ଟିମ ଇଣ୍ଡିଆର ଅନେକ ଖେଳାଳୀ ସିରିଜ ଆରମ୍ଭରୁ ହିଁ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ବର୍ତ୍ତମାନ ଏଥିରେ ଯଶପ୍ରୀତ ବୁମରାହଙ୍କର ନାଁ ମଧ୍ୟ ଯୋଡି ହୋଇଯାଇଛି । ଦ୍ରୁତ ବୋଲର ମହମ୍ମଦ ସାମୀ, ଉମେଶ ଯାଦବ ଏବଂ ଇଶାନ୍ତ ଶର୍ମା ଆହତ ହେବାକାରଣରୁ ଟିମରୁ ବାଦ ପଡିଛନ୍ତି ।

ଯଶପ୍ରୀତ ବୁମରାହ ଏହି ସିରିଜ୍‌ରେ ଏଯାଏଁ ମୋଟ ୩ଟି ଟେଷ୍ଟରୁ୨୯.୩୬ ହାରରେ ୧୧ଟି ଓ୍ବିକେଟ୍‌ନେଇଛନ୍ତି । ତେବେ ବୁମରାହ ଶେଷ ଟେଷ୍ଟ ଖେଳିପାରିବେ କି ନାହିଁ ସେ ନେଇ ବିସିସିଆଇ କୌଣସି ସ୍ପଷ୍ଟୋକ୍ତି ଦେଇନାହିଁ । ବୁମରାହଙ୍କ ସ୍କାନିଂ ବେଳେ ପେଟରେ ସମସ୍ୟା ଥିବା ସୂଚନା ମିଳିଛି । ତେବେ ଏହା ପରେ ଇଂଲଣ୍ଡ ବିପକ୍ଷରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଥିବାରୁ କୌଣସି ରିସ୍କ୍ ନେବାକୁ ଚାହିଁବନି ଟିମ୍ ମ୍ୟାନେଜମେଣ୍ଟ ।

ସିଡନୀ ଟେଷ୍ଟରେ ଫିଲଡିଂ କରୁଥିବା ବେଳେ ବୁମରାହଙ୍କ ପେଟରେ ଆଘାତ ଲାଗିଥିଲା ବୋଲି ବିସିସିଆଇ ସୂତ୍ରରୁ ସୂଚନା ମିଳିଛି । ତେବେ ୧୫ ଜାନୁୟାରୀରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟ ପାଇଁ ଦଳରେ ମହମ୍ମଦ ସିରାଜ, ନବଦୀପ ସୈନୀ, ଶାର୍ଦୁଲ ଠାକୁର ଏବଂ ଟି. ନଟରାଜନ ପେସ୍ ବୋଲିଂ ଆଟାକ୍ ସମ୍ଭାଳି ପାରନ୍ତି ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.