ବକ୍ସିଂ ଡେ ଟେଷ୍ଟରେ ଧିମା ବୋଲିଂ ପାଇଁ ଅଷ୍ଟ୍ରେଲିଆ ଟିମକୁ ଜରିମାନା, ଟେଷ୍ଟ ଚାମ୍ପିୟନସିପର ପଏଣ୍ଟ ବି କଟିଲା
29/12/2020 at 5:50 PM

ମେଲବର୍ଣ୍ଣ ୨୯/୧୨ : ବକ୍ସିଂ ଡେ ଟେଷ୍ଟରେ ଭାରତ ଠାରୁ ଶୋଚନୀୟ ପରାଜୟ ପରେ ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା ଲାଗିଛି । ଭାରତଠାରୁ ୮ ଓ୍ବିକେଟରେ ପରାସ୍ତ ହେବା ପରେ ଧିମା ବୋଲିଂ ଅଷ୍ଟ୍ରେଲିଆକୁ ତଣ୍ଡ ଗଣିବାକୁ ପଡିଛି । ନିର୍ଦ୍ଧାରିତ ସମୟରେ ନିୟମ ଠାରୁ କମ ଓଭର ବୋଲିଂ କରିଥିବାରୁ ଦଣ୍ଡସ୍ବରୂପ ମ୍ୟାଚ୍ ଫିର ୪୦ ପ୍ରତିଶତ କଟାଯାଇଛି । କେବଳ ଏତିକି ନୁହେଁ, ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ ପାଇଁ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲ ୪ ପଏଣ୍ଟ କାଟିଛନ୍ତି ICC ମ୍ୟାଚ ରେଫରି ଡେଭିଡ୍ ବୁନ୍ ।
ମ୍ୟାଚ ରେଫରି ଡେଭିଡ୍ ବୁନ୍ ଜାଣିବାକୁ ପାଇଥିଲେ ଯେ, ଅଷ୍ଟ୍ରେଲିଆ ଟିମ ନିର୍ଦ୍ଧାରିତ ସମୟ ଠାରୁ ୨ ଓଭର କମ ବୋଲିଂ କରିଥିଲା । ଯାହା ଫଳରେ କଙ୍ଗାରୁ ଟିମକୁ ଏହି ଦଣ୍ଡ ମିଳିଛି । ଆଇସିସି ତାର ବୟାନରେ କହିଛି ଖେଳାଳୀ ଏବଂ ଖେଳାଳୀମାନଙ୍କ ସହଯୋଗୀ ଷ୍ଟାଫ୍ ସହ ଜଡିତ ଆଇସିସି ଆଚାର ସଂହିତା ନିୟମ ୨.୨୨ ଅନୁଯାୟୀ, ନିର୍ଦ୍ଧାରିତ ସମୟ ଠାରୁ ଏକ ଓଭର କମ ବୋଲିଂ କଲେ ମ୍ୟାଚ ଫି ର ୨୦ ପ୍ରତିଶତ କଟାଯାଇଥାଏ ।
ଏହା ବାଦ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଖେଳିବା ପାଇଁ ନିୟମ ୧୬.୧୧.୨ ଅନୁସାରେ, ନିର୍ଦ୍ଧାରିତ ସମୟ ଠାରୁ ଗୋଟିଏ ଓଭର କମ ବୋଲିଂ କଲେ ୨ ପଏଣ୍ଟ କାଟିଦିଆଯିବ । ତେଣୁ ଅଷ୍ଟ୍ରେଲିଆ ଟିମ ନିର୍ଦ୍ଧାରିତ ସମୟ ଠାରୁ ୨ ଓଭର କମ ବୋଲିଂ କରିଥିବାରୁ ମ୍ୟାଚ ଫିର ୪୦ ପ୍ରତିଶତ ଏବଂ ପଏଣ୍ଟ ଟେବୁଲରୁ ୪ ପଏଣ୍ଟ କଟାଯାଇଛି ।
ICC କହିଛି, ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ୍ ଅପରାଧ ସ୍ବୀକାର କରିନେଇଛନ୍ତି । ସେଥିପାଇଁ ଔପଚାରିକ ଶୁଣାଣିହେବାର ଆବଶ୍ୟକତା ନାହିଁ । ପଡିଆ ଅମ୍ପାୟାର ବ୍ରୁସ୍ ଆକ୍ସନଫୋର୍ଡ ଓ ପୋଲ ରିଫେଲ, ତୃତୀୟ ଅମ୍ପାୟାର ପୋଲ ଓ୍ବିଲସନ୍ ଏବଂ ଚତୁର୍ଥ ଅମ୍ପାୟାର ଗେରାଡ୍ ଏବୁଡ୍ ଏହି ଅଭିଯୋଗ ଆଣିଥିଲେ । ଏହାର ଶୁଣାଣି ପରେ ଅଷ୍ଟ୍ରେଲିଆ ଟିମକୁ ଦଣ୍ଡିତ କରାଯାଇଛି ।
ବିଶ୍ବ ଟେଷ୍ଟ ଚାମ୍ପିୟନସିପ ପାଇଁ ଅଷ୍ଟ୍ରେଲିଆ ବର୍ତ୍ତମାନ ୦.୭୬୬ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି । ସେହିଭଳି ଭାରତ ୦.୭୨୨ ପଏଣ୍ଟ ସହ ଦ୍ବିତୀୟ ଏବଂ ନ୍ୟୁଜିଲାଣ୍ଡ ୦.୬୨୫ ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନରେ ଅଛି ।