ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢୁଛି ବାତ୍ୟା ‘ୟାସ୍‌', ବାଲେଶ୍ଵରଠୁ ୪୨୦ କିମି ଦୂରରେ

Published By : Prameya-News7 Bureau | May 24, 2021 IST

ଭୁବନେଶ୍ବର ୨୪/୫: ଅତି ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି ବାତ୍ୟା ‘ୟାସ୍‌’। ଏବେ ବାତ୍ୟା ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢୁଛି। ପାରାଦୀପଠାରୁ ୫୧୦ କିଲୋମିଟର ଦୂରରେ ରହିଥିବା ବେଳେ ବାଲେଶ୍ଵର ଠାରୁ ୪୨୦ କିମି ଦୂରରେ ଅଛି। ମଙ୍ଗଳବାର ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ଧାରଣ କରିବ ୟାସ୍‌। ଏହାରି ପ୍ରଭାବରେ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳୁଥିବା ବେଳେ ବାତ୍ୟାର ଗତିପଥ, ବେଗ ଏବଂ ଲ୍ୟାଣ୍ଡଫଲ ସମୟ ନେଇ ପ୍ରତି ଥର ନୂଆ ନୂଆ ତଥ୍ୟ ମିଳିବାରେ ଲାଗିଛି।

ବାତ୍ୟା ୨୬ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ମଧ୍ୟରେ ବାଲେଶ୍ଵର  ଆଖପାଖରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ୧୫୫ ରୁ ୧୬୫ କିମି ବେଗରେ ବହିବ। ଏପରିକି ବେଳେ ବେଳେ ଘଣ୍ଟା ପ୍ରତି ୧୮୫ କିମି ବେଗକୁ ମଧ୍ୟ ଛୁଇଁପାରେ। ଏହାରି ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ଵର ଜିଲ୍ଲାରେ ୪ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଉଠିବ। ପାରଦୀପରୁ ଧାମରା ପର୍ଯ୍ୟନ୍ତ ୨ ରୁ ୩ ମିଟର ଉଚ୍ଚରେ ଜୁଆର ଉଠିବ। ବାତ୍ୟା ପ୍ରଭାବରେ କାଲିଠୁ ବର୍ଷା  ବଢିବା ସହ ସନ୍ଧ୍ୟାରୁ ପବନର ବେଗ  ବଢିବ।  ବାତ୍ୟା ପ୍ରକୋପରେ ଚାଳଛପର ଘର, ଗଛ, ବିଜୁଳି ଖୁଣ୍ଟ ଉପୁଡିପାରେ। ବାତ୍ୟା ମୁହଁରେ ଯେଉଁ ସବୁ ଅଞ୍ଚଳ ପଡିବ ସେଠାରେ ଯଥେଷ୍ଟ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି।

{"id":456748,"sizeSlug":"large","linkDestination":"none"}

ବିଶେଷ କରି ଉତ୍ତର ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ବାତ୍ୟାର ପ୍ରଭାବ ଅଧିକ ରହିବ। କିନ୍ତୁ ବାତ୍ୟା ବାଲେଶ୍ଵର ଓ ଭଦ୍ରକରେ ତାଣ୍ଡବଲୀଳା ରଚିପାରେ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଚାରି ଜିଲ୍ଲା ପାଇଁ ହାଇଆଲର୍ଟ ଜାରି କରାଯାଇଛି। ବାତ୍ୟାର ପ୍ରକୋପକୁ ଦୃଷ୍ଟିରେ ରଖି ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।  

ପୁରୀ, ଖୋର୍ଦ୍ଧା, କଟକରେ ୧୦୦ କି.ମି ବେଗରେ ପବନ ବହିପାରେ। ଏହାକୁ ନଜରରେ ରଖି ପାରାଦୀପ, ଧାମରା ପୋର୍ଟକୁ ବିପଦ ସଙ୍କେତ ଜାରି କରାଯାଇଛି। ବାତ୍ୟା ୟାସ୍‌ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଜାରି ରହିଛି। ଜିରୋ କାଜୁଆଲିଟି ଉପରେ ଗୁରୁତ୍ଵାରୋପ କରାଯାଇଛି। ଆଉ ଏକ ପଦକ୍ଷେପ କ୍ରମେ ବାତ୍ୟା ପାଇଁ ରାଜ୍ୟ ସରକାର ମେ ୩୧ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି। ଜରୁରୀ ପରିସ୍ଥିତି ଯୋଗୁ କର୍ମଚାରୀମାଙ୍କୁ ହେଡ୍‌ କ୍ୱାର୍ଟର୍ସ ଛାଡ଼ି ନଯିବା ପାଇଁ ସବୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ପୂର୍ବରୁ ଛୁଟି ନେଇଥିବା ସରକାରୀ କର୍ମଚାରୀମାନଙ୍କର ଛୁଟି ମଧ୍ୟ ବାତିଲ କରିଛନ୍ତି ସରକାର। ଛୁଟିରେ ଥିବା  କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। 

{"id":456749,"sizeSlug":"large","linkDestination":"none"}

ଆସନ୍ତାକାଲି ଠାରୁ ବର୍ଷା ସନ୍ଧ୍ୟାରେ ପବନ ବେଗ ବଢ଼ିବ। ସେଥିପାଇଁ ଜିଲ୍ଲାପାଳମାନଙ୍କୁ ଉଦ୍ଧାର କାର୍ଯ୍ୟ କରିବାକୁ କୁହାଯାଇଛି। କାଲି ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ସାରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଆଜିଠାରୁ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଆଶ୍ରୟସ୍ଥଳୀରେ ସମସ୍ତଙ୍କୁ ମାସ୍କ ଦିଆଯିବାର ବ୍ୟବସ୍ଥା କରାଯାଇଛି। ରନ୍ଧା ଖାଦ୍ୟ ସହ ଛତୁଆ ଓ ବିସ୍କୁଟ ଖାଇବାକୁ ଦିଆଯିବ। ବାତ୍ୟା ବେଳେ ବାହାରକୁ ନବାହାରିବାକୁ ଏସଆରସି ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଅନୁରୋଧ କରିଛନ୍ତି।

{"id":456750,"sizeSlug":"large","linkDestination":"none"}

ଜିଲ୍ଲାମାନଙ୍କରେ ପ୍ରସ୍ତୁତି ଜୋରଦାର ଚାଲିଛି। ୧୨ ହଜାର ବିଦ୍ୟୁତ୍ କମର୍ଚାରୀଙ୍କୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା  ୨୨ଟି ଏନଡିଆରଏଫ, ୫୨ଟି ଓଡ୍ରାଫ୍ ଓ ୧୨୫ ଫାୟାର ଟିମ୍ ଜିଲ୍ଲାଗୁଡ଼ିକୁ ପଠାଯାଇଛି। ଏହା ବାଦ୍ ରାଜ୍ୟରେ ଆଉ ୩୦ଟି ଏନଡିଆରଏଫ ଟିମ ମୁତୟନ କରାଯିବ।  ପାଟନାରୁ ଦୁଇଟି ଓ ବିଜୟୱାଡ଼ାରୁ ୬ଟି ଦଳ ଏବଂ ଆଉ ୨୨ଟି ବିମାନ ଯୋଗେ ଉଦ୍ଧାରକାରୀ ଟିମ ବିଭିନ୍ନ ସ୍ଥାନରୁ ଆସୁଛନ୍ତି। ଆସନ୍ତାକାଲି ସକାଳ ସୁଦ୍ଧା ସେମାନଙ୍କୁ ସବୁ ଜିଲ୍ଲାରେ ମୁତୟନ କରାଯିବ ବୋଲି ଏସଆରସି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.