ରାଜ୍ୟରେ ମହିଳା ଭୋଟ୍ ହାର ବୃଦ୍ଧି କେଉଁ ଦଳକୁ ଦେଇଛି ଫାଇଦା ଜାଣନ୍ତୁ

Published By : Prameya-News7 Bureau | April 13, 2019 IST

ଭୁବନେଶ୍ବର ୧୩|୪: ରାଜ୍ୟରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମହିଳା ଭୋଟରଙ୍କ ସଂଖ୍ୟା ବଢିଛି । ମହିଳାଙ୍କ ଭୋଟ୍ ଦାନ ହାର ୭୪.୪୩ ପ୍ରତିଶତ ହୋଇଥିବାବେଳେ ପୁରୁଷଙ୍କ ଭୋଟର ହାର ୭୩.୦୯ ପ୍ରତିଶତ ରହିଛି । ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ଏବେ ରାଜନୈତିକ ଅଙ୍କକଷା ଜୋର ଧରିଛି । ମହିଳା ମତଦାନ ବୃଦ୍ଧି ପାଇବା କେଉଁ ରାଜନୈତିକ ଦଳକୁ ଫାଇଦା ଦେବ ତାକୁ ନେଇ ଚାଲିଛି ହିସାବ ନିକାଶ । କହିବା ବାହୁଲ୍ୟ ଉଭୟ ବିଜେଡି ଓ ବିଜେପି ଚଳିତ ନିର୍ବାଚନରେ ଯୁବକ, ମହିଳା ଓ ଚାଷୀଙ୍କୁ ଫୋକସ୍ କରିଛନ୍ତି । କଂଗ୍ରେସ ମଧ୍ୟ ଏଥିରେ ପଛରେ ପଡିନାହିଁ । କିନ୍ତୁ ରାଜ୍ୟର ମହିଳା ଭୋଟର କାହା ଆଡକୁ ଅଧିକ ଆକର୍ଷିତ ହୋଇଥିବେ ତାହା ଏବେ ସମସ୍ତଙ୍କ ପାଇଁ ମାନସମନ୍ଥନର ବିଷୟ ହୋଇଛି ।

{"id":103047}

ମହିଳାମାନଙ୍କୁ ନଜରରେ ରଖି ୨୦୦୦ମସିହାରୁ ବିଜେଡି ସରକାର ମିଶନ ଶକ୍ତି, ସେଲ୍ଫ ହେଲପ ଗ୍ରୁପ୍ ଜରିଆରେ ମହିଳାଙ୍କୁ ଏକାଠି କରିବା ସହ ନିଜ ଆଡକୁ ଆକର୍ଷିତ କରିବାରେ ଲାଗିଛି । ଏପରିକି ନିର୍ବାଚନୀ ଇସ୍ତାହାରରେ ବିଜେଡି ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ୫ହଜାର କୋଟି ଟଙ୍କାର ସରକାରୀ କାମ ସୃଷ୍ଟି କରିବ ବୋଲି କହିଛି । କେବଳ ସେତିକି ନୁହେଁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ମିଶନ ଶକ୍ତିର ବଡ ବଡ ସଭା ଆୟୋଜନ କରି ସେମାନଙ୍କ ବିଶ୍ବାସଭାଜନ ହେବା ପାଇଁ ଉଦ୍ୟମ କରିଛନ୍ତି । ନିର୍ବାଚନ ଅବ୍ୟବହିତ ପୂର୍ବରୁ ଅଙ୍ଗନଓ୍ବାଡୀ କର୍ମୀ ଓ ସହାୟିକାଙ୍କ ପାଇଁ ବଡ ପ୍ୟାକେଜ୍ ଘୋଷଣା କରିଛନ୍ତି । କେବଳ ସେତିକି ନୁହେଁ ନିକଟରେ କଳାହାଣ୍ଡିରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଗରିବ ଝିଅଙ୍କ ବାହାଘର ବେଳେ ତାଙ୍କୁ ୨୫ହଜାର ଟଙ୍କାର ସହାୟତା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।  ଏହାକୁ ଆଖି ଆଗରେ ରଖି ବିଜେଡି ଆଶା କରୁଛି ଯେ,ମହିଳା ଭୋଟ୍ ହାର ବୃଦ୍ଧି ପାଇବା ବିଜେଡି ସପକ୍ଷରେ ଯିବ । ବିଜେଡି ଏଭଳି ଆଶା କରିବା ମଧ୍ୟ କିଛି ଅସ୍ବଭାବିକ ନୁହେଁ ।

{"id":103048}

ଅପରପକ୍ଷରେ ମହିଳାଙ୍କୁ ନିଜ ଆଡକୁ ଆକର୍ଷିତ କରିବା କ୍ଷେତ୍ରରେ ବିଜେପି ମଧ୍ୟ ପଛରେ ପଡିନାହିଁ । ଉଜ୍ବ୍ବଳା ଯୋଜନା ମାଧ୍ୟମରେ ମହିଳାଙ୍କୁ ମାଗଣା ଗ୍ୟାସ୍ କନେକସନ ଦେବାଠୁ ଆରମ୍ଭ କରି ସ୍ବାସ୍ଥ୍ୟ ସହାୟିକାମାନଙ୍କ ଭତ୍ତା ବୃଦ୍ଧି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ସେହିଭଳି ସୁକନ୍ୟା ଯୋଜନା ଦ୍ବାରା ମହିଳାଙ୍କ ସମସ୍ୟା ପ୍ରତି ବିଜେପି ଉଦବିଗ୍ନ ବୋଲି ପ୍ରଚାର କରିବାରେ ସକ୍ଷମ ହୋଇଛି । ଏମିତି ଦେଖିଲେ ରାଜ୍ୟ ସରକାର ମହିଳାଙ୍କ ପାଇଁ ଯେମିତି ଯୋଜନା ପରେ ଯୋଜନା କରିଛନ୍ତି କେନ୍ଦ୍ରରେ କ୍ଷମତାସୀନ ବିଜେପି ମହିଳାଙ୍କ ଲାଗି ଯୋଜନାର ଲମ୍ବା ତାଲିକା ରଖିଛି । ସେଥିପାଇଁ ବିଜେପି ମଧ୍ୟ ଆଶବାଦୀ ମହିଳା ଭୋଟ୍ ହାର ବୃଦ୍ଧି ଯୋଗୁଁ ତାଙ୍କୁ ଫାଇଦା ମିଳିବ ।

{"id":103050,"width":580,"height":435}

କଂଗ୍ରେସ କଥା ଯଦି ବିଚାରକୁ ନିଆଯିବ ତେବେ କଂଗ୍ରେସ ମଧ୍ୟ ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକାର ମନଛୁଆଁ ଯୋଜନା ବିଷୟରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଅପରପକ୍ଷରେ କୁନ୍ଦୁଲି, ବେବିନା, ଇତିଶ୍ରୀ ଏବଂ ଦାରିଙ୍ଗିବାଡି ଆଶ୍ରମ ସ୍କୁଲରେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣାରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ କଂଗ୍ରେସ ମହିଳାଙ୍କ ପାଇଁ ସମ୍ବେଦନଶୀଳ ବୋଲି ବାର୍ତ୍ତା ଦେବାକୁ ଉଦ୍ୟମ କରିଛି । ଅପରପକ୍ଷରେ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଟିକେଟ୍ ଦେବା କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦେବା ପାଇଁ ବିଭିନ୍ନ ପ୍ରଦେଶ କଂଗ୍ରେସକୁ ନିର୍ଦ୍ଦେଶ ଦେଇ ରାହୁଲ ଗାନ୍ଧି ମହିଳାଙ୍କ ମନ ଜିତିଥିବା କଥାକୁ ଏଡାଇ ଦେଇ ହେବନାହିଁ । ତେଣୁ କଂଗ୍ରେସ ମଧ୍ୟ ବେଶ୍  ଆଶାବାଦୀ ମହିଳା ଭୋଟ୍ ହାର ବୃଦ୍ଧି ପ୍ରସଙ୍ଗରେ ।

{"id":103051}

ତିନୋଟି ଯାକ ରାଜନୈତିକ ଦଳ ମହିଳାମାନଙ୍କ ପାଇଁ କରିଥିବା ଯୋଜନାକୁ ଆଖି ଆଗରେ ରଖି ନିଜ ସପକ୍ଷରେ ଯୁକ୍ତି କରିଛନ୍ତି । କିନ୍ତୁ ବାସ୍ତବରେ ମହିଳାମାନେ ଯେଉଁ ଯୋଜନାରୁ ସିଧାସଳଖ ଓ ନଗଦ ଲାଭ ପାଉଛନ୍ତି ସେ ଆଡକୁ ଯେ ଢଳିଛନ୍ତି ଏହା ନିଃସନ୍ଦେହ । ଏହି ମହିଳାମାନଙ୍କୁ ଆଧାର କରି ନିଜ ନିର୍ବାଚନୀ ସଫଳତାର ଆକଳନ କରୁଛନ୍ତି ସଂପୃକ୍ତ ଯୋଜନା ପ୍ରଣୟନ କରିଥିବା ଦଳମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.