ଟିକସଦାତା ଧ୍ୟାନ ଦିଅନ୍ତୁ ! ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୩୦, ନଚେତ୍ …
25/11/2020 at 4:20 PM

ନୂଆଦିଲ୍ଲୀ ୨୫।୧୧: ଆର୍ଥିକ ବର୍ଷ ୨୦୧୮-୧୯ର ଆୟକର ରିଟର୍ଣ୍ଣ ଭରିବା ପାଇଁ ଆଉ ଛଅ ଦିନ ବାକି ରହିଛି। ନଭେମ୍ବର ୩୦ ପର୍ଯ୍ୟନ୍ତ ଟିକସଦାତା ଆୟକର ରିଟର୍ଣ୍ଣ ଦାଖଲ କରାଯାଇ ପାରିବେ। ଚଳିତ ବର୍ଷ ଚାରି ଥର ତାରିଖ ବଢି ସାରିଛି। କରୋନା ସଂକ୍ରମଣ କାରଣରୁ ପେନାଲ୍ଟି ସହିତ ମାର୍ଚ୍ଚ ୩୧, ଜୁନ ୩୦ ଓ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଦାଖଲ କରିବାର ଅବଧି ବୃଦ୍ଧି କରାଯାଇଛି। କିନ୍ତୁ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଆୟକର ରିଟର୍ଣ୍ଣ ଭରିବାର ସମୟ ସୀମା ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିଛି।
କରୋନା ସଂକ୍ରମଣ କାରଣରୁ ଆୟକର ବିଭାଗ ଆୟକର ରିଟର୍ଣ୍ଣ ଫାଇଲ ଦାଖଲ କରିବାର ତାରିଖ ବୃଦ୍ଧି କରିଥିଲେ। ୨୦୧୮-୧୯ ପାଇଁ ଜୋରିମାନା ସହିତ ମାର୍ଚ୍ଚ ୩୧ ସୁଦ୍ଧା ରିଟର୍ଣ୍ଣ ଫାଇଲ ଦାଖଲ କରାଯିବାର ଥିଲା। ମାତ୍ର ଏହା ପୂର୍ବରୁ ମାର୍ଚ୍ଚ ୨୫ରେ ସମଗ୍ର ଦେଶରେ ଲକ୍ଡାଉନ୍ ଲାଗୁ ହୋଇଗଲା ଏବଂ ଏହା ମେ ୩୧ ପର୍ଯ୍ୟନ୍ତ ଜାରି ରହିଥିଲା। ଏହି କାରଣରୁ ବିଭାଗ ତାରିଖ ବଢାଇ ଜୁନ ୩୦ କରିଥିଲେ। ପୁଣି ସଂକ୍ରମଣ କାରଣରୁ ଅଧିକାଂଶ ଲୋକ ରିଟର୍ଣ୍ଣ ଭରିପାରିନଥିଲେ।
ଏହି କାରଣରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ତାରିଖ ବଢାଯାଇଥିଲା। କିନ୍ତୁ ଏହି ଅବଧିରେ ମଧ୍ୟ ଅନେକ ଲୋକ ଆୟକର ରିଟର୍ଣ୍ଣ ଭରିପାରିନଥିଲେ। ଏଥିପାଇଁ ବିଭାଗ ତାରିଖ ବଢାଇ ନଭେମ୍ବର ୩୦ କରିଛନ୍ତି। ତାରିଖ ବଢିବା ଦ୍ଵାରା ଲୋକଙ୍କୁ ଆଶ୍ଵସ୍ତି ମିଳିଛି ବୋଲି ବରିଷ୍ଠ ଟ୍ୟାକ୍ସ ପରାମର୍ଶଦାତା ଶଶାଙ୍କ ଶ୍ରୀବାବସ୍ତବ କହିଛନ୍ତି।
ସେହି ପରି ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ମଧ୍ୟ ରିଟର୍ଣ୍ଣ ଫାଇଲ୍ କରିବାର ତାରିଖ ବୃଦ୍ଧି କରାଯାଇଛି। ଡିସେମ୍ବର ୩୧ ପର୍ଯ୍ୟନ୍ତ ବିନା କୌଣସି ଜୋରିମାନାରେ ଲୋକ ରିଟର୍ଣ୍ଣ ଦାଖଲ କରି ପାରିବେ। ଯଦି ଏହି ସମୟରେ ଆୟକର ରିଟର୍ଣ୍ଣ ଦାଖଲ ନକରନ୍ତି ତେବେ ସେମାନଙ୍କୁ ଜୋରିମାନା ଦେବାକୁ ପଡିପାରେ।