ACFO ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି : ‘ସରକାରୀ କ୍ବାର୍ଟରରେ ଘଟିଥିଲା ଅଘଟଣ’- ସରଜମିନ୍ ତଦନ୍ତ ପରେ କହିଲେ ଦକ୍ଷିଣାଞ୍ଚଳ ଡିଆଇଜି

Published By : Prameya-News7 Bureau | July 22, 2021 IST

ଗଜପତି ୨୨।୭: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାକୁ ୧୦ଦିନ ବିତିଗଲା । ଏବେବି ଖାଲିପଡ଼ିଛି ପୋଲିସର ହାତ । ପୋଲିସ ତଦନ୍ତ ଜାରି ରଖିଛି। ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାକୁ ଯାଇ ତଦନ୍ତ ଯେତେ ଅଗ୍ରସର ହେଉଛି, ମାମଲା ସେତେ ଜଟିଳ ହେବାରେ ଲାଗିଛି । ଫଳରେ ପୋଲିସ ଘଟଣାର ମୂଳଯାଏଁ ପହଞ୍ଚିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

{"id":484294,"width":748,"height":411,"sizeSlug":"large","linkDestination":"none"}

ପୂର୍ବରୁ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ରୋଷେୟା ମନ୍ମଥ କୁମ୍ଭ, ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଓ ଡିଏଫଓଙ୍କ ନାଁରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପୋଲିସ ବିଦ୍ୟାଭାରତୀଙ୍କୁ ଜେରା କରିବା ପରେ କିଛି ତଥ୍ୟ ହାସଲ କରି ମାମଲାକୁ ନିର୍ଣ୍ଣାୟକ ମୋଡ ଦେବାର ଆଶା ରଖିଥିବା ବେଳେ ବଲାଙ୍ଗୀରରେ ମ୍ୟାରେଜ ପାର୍ଟି କଥା ବାହାରକୁ ଆସିବା ପରେ ଘଟଣା ମଧ୍ୟ ଟାଣି ହୋଇ ଆସିଛନ୍ତି ଆଉ ଜଣେ ତୃତୀୟ ବ୍ୟକ୍ତି । ତେବେ କିଏ ସେହି ତୃତୀୟ ବ୍ୟକ୍ତି, ଯାହା ପାଇଁ ବଲାଙ୍ଗୀର ଯାଇଥିଲେ ବିଦ୍ୟାଭାରତୀ । ସେ ଏବେ ପୋଲିସ ସ୍କାନରରେ । ସତରେ କ’ଣ ତାଙ୍କର ଏ ମାମଲା ସହିତ କିଛି ସମ୍ପର୍କ ରହିଛି କି ? ସେ ଦିଗକୁ ନେଇ ପୋଲିସ ଛାନଭିନ କରିବ କି ? ବିଦ୍ୟା ଭାରତୀଙ୍କ ତୃତୀୟ ବ୍ୟକ୍ତିଙ୍କ ସହ ସମ୍ପର୍କ କ’ଣ ? ଏମିତି ଅନେକ ଦିଗକୁ ନେଇ ପୋଲିସ ତଦନ୍ତ କରିପାରେ । କେମିତି ଓ କେଉଁଠି ଆୟୋଜନ ହୋଇଥିଲା ପାର୍ଟି ? କିଏ କିଏ ପାର୍ଟିରେ ସାମିଲ ହୋଇଥିଲେ ? ପାର୍ଟିର ଉଦ୍ଦେଶ୍ୟ କ’ଣ ରହିଥିଲା ?

{"id":484304,"sizeSlug":"large","linkDestination":"none"}

ଅନ୍ୟପଟେ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଛାନଭିନ୍ ଚାଲିଥିବା ବେଳେ ତଦନ୍ତର ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ । ମୃତ ସୌମ୍ୟରଞ୍ଜନଙ୍କ ପାରଳାଖେମୁଣ୍ଡି ସରକାରୀ ବାସଭବନରେ ସରଜମିନ ତଦନ୍ତ କରିବା ସହ ଏହାହିଁ କ୍ରାଇମ୍ ସ୍ପଟ୍ ବୋଲି ସ୍ପଷ୍ଟ କରିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି । କ୍ରାଇମବ୍ରାଞ୍ଚ ଏସପି ଏବଂ ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା ପରେ ଡିଆଇଜି କହିଛନ୍ତି, ‘ତଦନ୍ତ ସନ୍ତୋଷଜନକ, ପୋଲିସକୁ ବହୁ ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଛି । ସୌମ୍ୟରଞ୍ଜନଙ୍କ ପରିବାରର ଅଭିଯୋଗ ଅନୁଯାୟୀ ଯେଉଁମାନେ ମାମଲା ସହ ସଂପୃକ୍ତ ସମସ୍ତଙ୍କୁ ଜେରା ହେବ । ବାଲେଶ୍ବର ଏବଂ ମୟୂରଭଞ୍ଜରୁ ମଧ୍ୟ ତଦନ୍ତକାରୀ ଟିମ୍ ଫେରିଛନ୍ତି । ତଦନ୍ତ ଠିକ୍ ବାଟରେ ଚାଲିଛି ଏବଂ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଖୁବଶୀଘ୍ର ପର୍ଦ୍ଦାଫାଶ ହେବ ।

{"id":484301,"sizeSlug":"large","linkDestination":"none"}

ସେପଟେ ପରାଳଖେମୁଣ୍ଡି ପୋଲିସକୁ ସହାୟତା କରିବା ପାଇଁ ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ଘଟଣାସ୍ଥଳରୁ ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ସମସ୍ତ ଘଟଣାର ଯାଞ୍ଚ କରିଛି । ଏଥିସହ ଯେଉଁ ସରକାରୀ ବାସଭବନରେ ସୌମ୍ୟଙ୍କ ଅର୍ଦ୍ଧଦଗ୍ଧ ଶରୀର ଉଦ୍ଧାର ହୋଇଥିଲା । ସେଠାରୁ ଯେଉଁ କିଛି ପ୍ରମାଣ ପୋଲିସ ସଂଗ୍ରହ କରିଥିଲା ଏବଂ ପୋଷ୍ଟମର୍ଟମ ରିପୋର୍ଟ, ସାଇଣ୍ଟିଫିକ୍ ରିପୋର୍ଟ ସୌମ୍ୟରଞ୍ଜନଙ୍କ କାର୍ଯ୍ୟାଳୟରୁ ସମ୍ପର୍କିତ ତଥ୍ୟକୁ ତନତନ କରି ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ତଥାପି ବିଭିନ୍ନ ଦିଗରେ ଅନେକଙ୍କୁ ଜେରା କରାଯାଇଥିବା ବେଳେ ଘଟଣାରେ ଡିଏଫଓ ସଂଗ୍ରାମ କେଶରୀ ବେହେରା ନାମରେ ଅଭିଯୋଗ ଥିବା ସତ୍ତ୍ବେ ତାଙ୍କୁ ଜେରା କରାଯାଇ ନଥବାରୁ ଅସ୍ପଷ୍ଟ ହୋଇଛି ମୃତ୍ୟୁର କାରଣ । ଏ ଘଟଣା ଉପରୁ ପର୍ଦ୍ଦା ହଟାଇବାକୁ ପୋଲିସ କେତେଦୂର ସଫଳ ହେଉଛି ଏବଂ କେତେ ଶୀଘ୍ର ସଫଳତା ହାସଲ କରୁଛି ତାହା ହିଁ ଦେଖିବାକୁ ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.