କ୍ରୀଡା ହଷ୍ଟେଲ ଛାତ୍ରଛାତ୍ରୀଙ୍କ ଭତ୍ତା ବୃଦ୍ଧି : ମାସକୁ ଛାତ୍ରଙ୍କୁ ମିଳିବ ୩ଶହ, ଛାତ୍ରୀଙ୍କୁ ୫ଶହ

Published By : Prameya-News7 Bureau | October 29, 2019 IST

ଭୁବନେଶ୍ବର ୨୯।୧୦:  କ୍ରୀଡା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ମାସିକ ଭତ୍ତା ବୃଦ୍ଧି ହୋଇଛି । 5-T କାର୍ଯ୍ୟକ୍ରମ ଅନୁଯାୟୀ, କ୍ରୀଡା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇ ସେମାନଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଅଧିକ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ କ୍ରୀଡା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଏବଂ ଜାତୀୟ ସ୍ତରରେ ପଦକ ବିଜେତାଙ୍କ ପାଇଁ ଭତ୍ତା ବୃଦ୍ଧି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

କ୍ରୀଡା ହଷ୍ଟେଲରେ ଛାତ୍ରୀମାନଙ୍କ ପାଇଁ ମାସିକ ଭତ୍ତାକୁ ୨୦୦ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଛାତ୍ର ମାନଙ୍କ ପାଇଁ ଭତ୍ତା ମାସିକ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

National Sports Federation ଦ୍ବାରା ସ୍ବୀକୃତି ପ୍ରାପ୍ତ ବା ତତୁଲ୍ୟ ସ୍ତରର କ୍ରୀଡା ପ୍ରତିଯୋଗିତାରେ ଭାଗ ନେବା ପାଇଁ ସହର ବାହାରକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ୩୦୦ ଟଙ୍କା ଭତ୍ତା ଦିଆଯିବ।

ଜାତୀୟ ସ୍ତରର ପ୍ରତିଯୋଗିତା (Sports Federation, Khelo India Games or SGFI or Recognised University Level Competition) ରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା କ୍ରୀଡାବିତମାନଙ୍କୁ ଏକ ବର୍ଷ ପାଇଁ ମାସିକ ୧୦୦୦ ଟଙ୍କା ଏବଂ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିବା କ୍ରୀଡାବିତ୍‌ ମାନଙ୍କୁ ମାସିକ ଯଥାକ୍ରମେ ୫୦୦ ଓ ୩୦୦ ଟଙ୍କା ଏକ ବର୍ଷ ପାଇଁ ଭତ୍ତା ଦିଆଯିବ। କ୍ରୀଡା ହଷ୍ଟେଲରେ ରହିଥିବା ଛାତ୍ର ଓ ଛାତ୍ରୀମାନେ ସେମାନଙ୍କ ମାସିକ ଭତ୍ତା ସହିତ ଏହି ଅତିରିକ୍ତ ଭତ୍ତା ପାଇପାରିବେ ।

ଯଦି ମେଡାଲ ଜିତିଥିବା ଜଣେ କ୍ରୀଡାବିତ୍ ଏକ ଜାତୀୟ ରେକର୍ଡ ସୃଷ୍ଟି କରନ୍ତି ଏବଂ ସେହି ରେକର୍ଡ ଏକବର୍ଷ ମଧ୍ୟରେ ଭଙ୍ଗ ନହୁଏ, ତେବେ ସେହି କ୍ରୀଡାବିତଙ୍କୁ ଏକବର୍ଷ ପର୍ଯ୍ୟନ୍ତ ମାସିକ ୫୦୦୦ ଟଙ୍କା ଅତିରିକ୍ତ ଭତ୍ତା ଦିଆଯିବ।

ଜାତୀୟ ଦଳରେ ଭାଗ ନେବା ପାଇଁ ମନୋନୀତ କ୍ରୀଡାବିତମାନଙ୍କୁ ମଧ୍ୟ ଏକ ବର୍ଷ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏଁ ଭତ୍ତା ମିଳିବ। କ୍ରୀଡା ବିଭାଗର କୋଚ୍‌ ମାନଙ୍କ ପାଇଁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପାରଦର୍ଶିତା ଭିତ୍ତିରେ କ୍ରୀଡା ବିଭାଗ ଏକ ସ୍ବତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ନୀତି ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.