ବିଶ୍ୱ କ୍ରିକେଟରେ ଆଜିର ଦିନରେ ଭାରତ ରଚିଥିଲା ଇତିହାସ, ସ୍ମୃତି ଏବେ ବି ତାଜା...

Published By : Prameya-News7 Bureau | June 25, 2021 IST

ନୂଆଦିଲ୍ଲୀ ୨୫।୦୬: ୨୫ଜୁନ୍‌ ୧୯୮୩ରେ ଭାରତୀୟ କ୍ରିକେଟ୍‌ ଇତିହାସ ରଚିଥିଲା । ଯାହାକି କେବେ ବି ହେଲେ ଭୁଲି ହେବ ନାହିଁ । ୩୮ବର୍ଷ ତଳେ ଆଜିର ଦିନରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ବିଜୟୀ ହୋଇଥିଲା । କ୍ରିକେଟ୍‌ର ମକ୍କା କୁହାଯାଉଥିବା ଲଡର୍ସରେ ଏହି ଇତିହାସ ରଚିଥିଲା ଭାରତୀୟ କ୍ରିକେଟ୍‌ ଟିମ୍‌ । ସେତେବେଳର ବିଶ୍ୱ ବିଜୟୀ ଥିବା ଓ୍ୱେଷ୍ଟଇଣ୍ଡିଜ୍‌ ଟିମ୍‌କୁ ୪୩ରନ୍‌ରେ ପରାସ୍ତ କରି ନିଜର କ୍ରିକେଟ୍‌ ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ହାତେଇଥିଲା କପିଲ୍‌ ଦେବଙ୍କ ଟିମ୍‌ । ପୁରା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍‌ର ପ୍ରଦର୍ଶନ ଏତେ ବି ଭଲ ନଥିଲା, କିନ୍ତୁ ବିଶ୍ୱକପ୍‌ ଫାଇନାଲରେ ଓ୍ୱେଷ୍ଟଇଣ୍ଡିଜ୍‌କୁ ହରାଇ ଭାରତ ସମସ୍ତଙ୍କୁ ଚକିତ କରିଦେଇଥିଲା । ସେତେବେଳ କ୍ରିକେଟ୍‌ ଜଗତର ଦୁଇଟି ସର୍ବଶ୍ରେଷ୍ଠ ଟିମ୍‌ ଥିଲା ଇଂଲଣ୍ଡ ଏବଂ ଓ୍ୱେଷ୍ଟଇଣ୍ଡିଜ୍‌ । ଏହି ଦୁଇ ଦଳକୁ ହରାଇ ଭାରତ ବିଶ୍ୱକପ୍‌ ବିଜୟୀ ହୋଇଥିଲା ।

{"id":470871,"sizeSlug":"large","linkDestination":"none"}

୧୯୮୩ ବିଶ୍ୱକପ୍‌ ପୂର୍ବରୁ ଓ୍ୱେଷ୍ଟଇଣ୍ଡିଜ୍‌ ଦୁଇ ଥର ବିଶ୍ୱକପ୍‌ ବିଜୟୀ ହୋଇଥିଲା । ୧୯୭୫ ଓ ୧୯୭୯ରେ ହୋଇଥିବା ଦୁଇଟି ଦିନିକିଆ ବିଶ୍ୱକପ୍‌ରେ ଓ୍ୱେଷ୍ଟଇଣ୍ଡିଜ୍‌ କପ୍‌ ହାତେଇଥିଲା । ତେବେ ୧୯୮୩ ବିଶ୍ୱକପ୍‌ରେ ଓ୍ୱେଷ୍ଟଇଣ୍ଡିଜ୍‌ ଟିମ୍‌ ଟସ୍‌ ଜିତି ପ୍ରଥମେ ଭାରତୀୟ ଟିମ୍‌କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୫୪.୪ (ସେତେବେଳେ ୬୦ଓଭରର ମ୍ୟାଚ୍‌ ଖେଳାଯାଏ)ରେ ମାତ୍ର ୧୮୩ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଭାରତ ପକ୍ଷରୁ କୃଷ୍ଣାମାଚାରୀ ଶ୍ରୀକାନ୍ତ ସର୍ବାଧିକ ୩୮ରନ୍‌ କରିଥିଲେ, ଯାହାପରେ ଫାଇନାଲରେ ସର୍ବାଧିକ କୌଣସି ଖେଳାଳିଙ୍କ ବ୍ୟକ୍ତିଗତ ସ୍କୋର ଥିଲା ।  

{"id":470874,"sizeSlug":"large","linkDestination":"none"}

ଭାରତର ୧୮୩ରନ୍‌ରେ ଅଲ୍‌ଆଉଟ୍‌ ହେବା ପରେ ପଡିଆକୁ ଓହ୍ଲାଇଥିଲା ଓ୍ୱେଷ୍ଟଇଣ୍ଡିଜ୍‌ ଦଳ । ଇଣ୍ଡିଜ୍‌ ଟିମ୍‌ ସାମ୍ନାରେ ଏହା କୌଣସି ବଡ ଲକ୍ଷ୍ୟ ନଥିଲା । କିନ୍ତୁ ବଲବୀନ୍ଦର ସିଂହ ସଂନ୍ଧୁଙ୍କ ବଲ୍‌ରେ ଓ୍ୱେଷ୍ଟଇଣ୍ଡିଜ୍‌ର ଗାର୍ଡେନ୍‌ ଗ୍ରୀନିଜଙ୍କୁ ଆଉଟ୍‌ କରି ଭାରତକୁ ଜବରଦସ୍ତ ସଫଳତା ଦେଇଥିଲେ । ମାତ୍ର ୫ରନ୍‌ର ସ୍କୋରରେ ଓ୍ୱେଷ୍ଟଇଣ୍ଡିଜ୍‌ ଟିମ୍‌କୁ ଝଟ୍‌କା ଲାଗିଥିଲା । କିନ୍ତୁ ଏହାପରେ ଭିଭିଆନ୍‌ ରାଚର୍ଡସ ଧୁଆଁଧାର ବ୍ୟାଟିଂ କରି ୩୩ରନ୍‌ କରିଦେଇଥିଲେ । କ୍ରିଜ୍‌ରେ ଦବ୍‌ଦବା ଜମାଇସାରିଥିବା ରାଚାର୍ଡସଙ୍କୁ ମଦନ ଲାଲ୍‌ଙ୍କ ଓଭରର ଏକ ବଲ୍‌କୁ ଖେଳିବାକୁ ଯାଇ ମିଡ୍‌ ଓ୍ୱେକଟ୍‌ ପଟକୁ ଖେଳିଦେଇଥିଲେ । କପିଲ ଦେବ ପଛକୁ ଦୌଡି ଦୌଡି ଏକ ଅଦ୍ଭୁତ କ୍ୟାଚ୍‌ଟି ଧରିଥିଲେ । ସେତେବେଳେ ଇଣ୍ଡିଜ୍‌ ଟିମ୍‌କୁ ୫୭ରନ୍‌ରେ ତୃତୀୟ ଝଟ୍‌କା ଲାଗିଥିଲ । ସେହି ଓ୍ୱିକେଟ୍‌ ସହିତ ଭାରତୀୟ କ୍ରିକେଟ ଟିମ୍‌ର ଜୋସ୍‌ ବଢିଯାଇଥିଲା । ରିଚାଡର୍ସଙ୍କ ଆଉଟ ହେବା ପରେ ଓ୍ୱେଷ୍ଟଇଣ୍ଡିଜ୍‌ ଟିମ୍‌ ପାରି ଭୁଷୁଡିବା ଆରମ୍ଭ ହୋଇଯାଇଥିଲା ।

{"id":470873,"sizeSlug":"large","linkDestination":"none"}

ଗୋଟିଏ ସମୟରେ ୭୬ରନ୍‌ରେ ୬ ଓ୍ୱିକେଟ ହରାଇଥିଲା ଇଣ୍ଡିଜ୍‌ । କିନ୍ତୁ ପୁରା ଟିମ୍‌ ୫୨ ଓଭରରେ ୧୪୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଇଣ୍ଡିଜ୍‌ର ଶେଷ ଓ୍ୱିକେଟ୍‌ ଭାବରେ ମାଇକେଲ୍‌ ହୋଲ୍‌ଡିଂ ଆଉଟ ହୋଇଥିଲେ । ଯାହାପରେ ଲଡର୍ସ ଗ୍ରାଉଣ୍ଡରେ ଭାରତ ବିଜୟର ଉତ୍ସବ ମନାଇଥିଲା । ମଦନ ଲାଲ୍‌ଙ୍କ ୩୧ରନ୍‌ରେ ତିନି ଓ୍ୱିକେଟ୍‌, ମହିନ୍ଦର ଅମରନାଥଙ୍କ ୧୨ରନ୍‌ରେ ତିନି ଓ୍ୱିକେଟ୍‌ ଓ ସନ୍ଧୁଙ୍କ ୩୨ରନ୍‌ରେ ଦୁଇ ଓ୍ୱିକେଟ୍‌ ନେଇ ଲଏଡଙ୍କ ଏହି ଧୁରନ୍ଧର ଟିମ୍‌କୁ ହରାଇ ଭାରତ ବିଶ୍ୱବିଜୟୀ ହୋଇଥିଲା । ଯାହାକି ଭାରତ ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ହାତେଇଥିଲା ଟିମ୍‌ ଇଣ୍ଡିଆ ।  ମହିନ୍ଦର ଅମରନାଥ ସେମିଫାଇନାଲ୍‌ରେ ପରେ ଫାଇନାଲ୍‌ରେ ମଧ୍ୟ ନିଜର ଅଲ୍‌ରାଉଣ୍ଡର ପ୍ରଦର୍ଶନ (୨୬ରନ୍‌ ଏବଂ ୩ ଓ୍ୱିକେଟ୍ ) ଦେଖାଇଥିଲେ, ସେଥିପାଇଁ ତାଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ’ ଦିଆଯାଇଥିଲା । ଏହି ବିଶ୍ୱକପ୍‌ ବିଜୟର ୨୮ବର୍ଷ ପରେ ମାନେ ୨୦୧୧ରେ ଭାରତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‌ ହାତେଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.