ବିଶ୍ବରେ ବଢ଼ୁଛି ଭାରତୀୟ ଝିଅଙ୍କ ଦବଦବା, ଏହି କ୍ଷେତ୍ରରେ ବହୁ ପଛରେ ଆମେରିକା, ବ୍ରିଟେନ, ଫ୍ରାନ୍ସ

Published By : Prameya-News7 Bureau | November 02, 2021 IST

ନୂଆଦିଲ୍ଲୀ ୦୨/୧୧: ବିଶ୍ବରେ ଭାରତୀୟ ଝିଅଙ୍କ ସଫଳତା ବୃଦ୍ଧି ପାଉଛି। ପୁଅଙ୍କ ତୁଳନାରେ ଝିଅମାନେ କିର୍ତ୍ତୀମାନ ସ୍ଥାପନ କରୁଛନ୍ତି। ଆମେରିକା, ବ୍ରିଟେନ୍‌, ଜର୍ମାନୀ ଏବଂ ଫ୍ରାନ୍ସ ଭଳି ଦେଶକୁ ପଛରେ ପକାଇ ଭାରତର ଝିଅମାନେ ସାଇନ୍ସ, ଟେକନୋଲୋଜି, ଇଞ୍ଜିନିୟରିଂ ଏବଂ ମ୍ୟାଥମାଟିକ୍ସ (ଷ୍ଟେମ୍‌) କ୍ଷେତ୍ରରେ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି । ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶେଷ କରି ଷ୍ଟେମ୍‌ ଫିଲ୍ଡରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବଢ଼ିଛି । ତଥ୍ୟ କହୁଛି, ଗତ ୩ ବର୍ଷ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୧୨.୯ ଲକ୍ଷରୁ ଖସି ଆସି ୧୧.୯ ଲକ୍ଷରେ ପହଞ୍ଚିଥିବା ବେଳେ ମହିଳାଙ୍କ ସଂଖ୍ୟା ୧୦ ଲକ୍ଷରୁ ବଢ଼ି ୧୦.୬ ଲକ୍ଷ ହୋଇଛି । ବିଶ୍ବ ବ୍ୟାଙ୍କର ଡାଟା ଅନୁସାରେ, ଷ୍ଟେମ୍‌ କ୍ଷେତ୍ରରେ ଭାରତୀୟ ମହିଳାଙ୍କ ସଂଖ୍ୟା ୪୩ ପ୍ରତିଶତ ଥିବା ବେଳେ ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ଫ୍ରାନ୍ସର ଝିଅମାନଙ୍କ ସଂଖ୍ୟା ଯଥାକ୍ରମେ ୩୪, ୩୮, ୨୭ ଏବଂ ୩୨ ପ୍ରତିଶତ ରହିଛି ।

ଲଭଲୀ ପ୍ରୋଫେସନାଲ୍‌ ୟୁନିଭର୍ସିଟିର ଅତିରିକ୍ତ ଡିନ୍‌ ତଥା ବାୟୋସାଇନ୍ସର ପ୍ରଫେସର ନୀତା ରାଜ ଶର୍ମା କହିଛନ୍ତି ଯେ, ଭାରତ ସରକାରଙ୍କ ବହୁ ଯୋଜନା ଯଥା କିରନ୍‌ ଏବଂ ଓ୍ବିମେନ୍‌ ସାଇଣ୍ଟିଷ୍ଟ ସ୍କିମ୍‌ ଯୋଗୁଁ ଝିଅମାନେ ଷ୍ଟେମ୍‌ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି। ଏହା ବ୍ୟତୀତ ଅନଲାଇନ୍‌ କୋର୍ସ ମଧ୍ୟ ଝିଅମାନଙ୍କୁ ଆହୁରି ପଢ଼ିବାକୁ ଏବଂ ଜାଣିବାକୁ ପ୍ରୋସାହନ ଦେଉଛି। ଉଚ୍ଚ ଶିକ୍ଷାରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏପରିକି ବୈଜ୍ଞାନିକ, ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚାକିରି ଆରମ୍ଭ କରୁଥିବା ମହିଳାଙ୍କୁ ଆମେରିକାରେ ପ୍ରମୁଖ ସଂସ୍ଥାରେ ୩-୬ ମାସ ସହଯୋଗ ଅନୁସନ୍ଧାନ ପାଇଁ ଅବସର ଦିଆଯାଉଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ଇଣ୍ଡୋ-ୟୁଏସ୍‌ ଫେଲୋଶିପ୍‌ ଆରମ୍ଭ କରିଛନ୍ତି । ୯ରୁ ଦ୍ବାଦଶ ଶ୍ରେଣୀର ମେଧାବୀ ଛାତ୍ରୀଙ୍କ ପାଇଁ ବିଜ୍ଞାନ ଜ୍ୟୋତି ମଧ୍ୟ ଆରମ୍ଭ ହୋଇଛି।

କେବଳ ସେତିକି ନୁହେଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କ ଯୋଗଦାନ ବୃଦ୍ଧି ପାଇଛି ବୋଲି ସମାଜସେବୀ ସଞ୍ଜୟ କୁମାର କହିଛନ୍ତି। ୨୦୧୯-୨୦ରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ମୋଟ ୩.୮୫ କୋଟି ଛାତ୍ରୀ ଆଡମିସନ ନେଇଥିଲେ। ୨୦୧୮-୧୯ ତୁଳନାରେ ଛାତ୍ରୀଙ୍କ ସଂଖ୍ୟାରେ ୧୧.୩୬ ଲକ୍ଷ (୩.୦୪ ପ୍ରତିଶତ) ବୃଦ୍ଧି ହୋଇଥିଲା। ୨୦୧୪-୧୫ରେ ଏହି ସଂଖ୍ୟା ୩.୪୨ କୋଟି ଥିଲା। ୨୦୧୫-୧୬ ଏବଂ ୨୦୧୯-୨୦ ମଧ୍ୟରେ ଉଚ୍ଚ ଶିକ୍ଷା ପାଇଁ ନାମାଙ୍କନ କରିଥିବା ଛାତ୍ରୀଙ୍କ ସଂଖ୍ୟା ୧୮.୨ ପ୍ରତିଶତ ବୃଦ୍ଧି ଘଟିଛି । ଏବେ ଝିଅମାନଙ୍କ ନାମାଙ୍କନ ୨୭.୩ ପ୍ରତିଶତରେ ପହଞ୍ଚିଥିବା ବେଳେ ତାଙ୍କ ତୁଳନାରେ ପୁଅଙ୍କ ନାମାଙ୍କନ ୨୬.୯ ପ୍ରତିଶତରେ  ଅଟକି ରହିଛି।

{"id":537480,"width":791,"height":527,"sizeSlug":"full","linkDestination":"none"}

ସେହିଭଳି କମର୍ସ (ବାଣିଜ୍ୟ) ପାଠ୍ୟକ୍ରମରେ ଏବେ ଛାତ୍ରୀଙ୍କ ଯୋଗଦାନ ବୃଦ୍ଧି ପାଇଛି। ୫ ବର୍ଷ ପୂର୍ବରୁ ବିକମ୍‌ ପାଠ୍ୟକ୍ରମରେ ୧୦୦ ପୁଅଙ୍କ ତୁଳନାରେ ୯୦ ଛାତ୍ରୀ ଆଡମିସନ ନେଉଥିଲେ। ୨୦୧୯-୨୦ରେ ସମଗ୍ର ଦେଶରେ ମୋଟ ୪୧.୬ ଲକ୍ଷ ଛାତ୍ରଛାତ୍ରୀ ବିକମ୍‌ ପାଇଁ ଆଡମିସନ୍‌ ନେଇଥିଲେ। ସେଥିମଧ୍ୟରେ ୨୧.୩ ଲକ୍ଷ ପୁଅ ଏବଂ ୨୦.୩ ଲକ୍ଷ ଝିଅ ଥିଲେ।  ଏହାର ଅର୍ଥ ଏବେ କମର୍ସ କ୍ଷେତ୍ରରେ ମଧ୍ୟ ପୁଅ ଏବଂ ଝିଅଙ୍କ ଅନୁପାତ ପ୍ରାୟ ସମାନ ହୋଇଛି ବୋଲି କହିହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.