ପରମ୍ପରା/ଏଠାରେ ବିବାହ ପୂର୍ବରୁ ବର-କନ୍ୟାଙ୍କୁ ରାତି ବିତାଇବାକୁ ପଡ଼ିଥାଏ ଜଙ୍ଗଲରେ : ଏହା ପରେ ହୋଇଥାଏ ବିବାହ

Published By : Prameya-News7 Bureau | September 20, 2019 IST

ଛତିଶଗଡ଼ ଏବଂ ମଧ୍ୟ ପ୍ରଦେଶ ଆଦିବାସୀମାନେ ସମଗ୍ର ଭାରତରେ ବେଶ୍ ଜଣାଶୁଣା। ଏହି ଆଦିବାସୀ ଅଞ୍ଚଳକୁ ବିଦେଶରୁ ମଧ୍ୟ ବିଶେଷଜ୍ଞମାନେ ଗବେଷଣା କରିବା ପାଇଁ ଆସିଥାଆନ୍ତି। ଆଦିବାସୀଙ୍କ ପରମ୍ପରା ଲୋକଙ୍କ ପାଇଁ ସବୁଠୁ ଅଧିକ ରୋଚକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମାନଙ୍କ ବିବାହର ଏକ ପରମ୍ପରା ବିଷୟରେ କହିବୁ।

ବୈଗା ଜନଜାତିରେ ବିଭିନ୍ନ ପ୍ରକାରର ବିବାହ ସମାରୋହ ହୋଇଥାଏ । ତେବେ ସବୁଠୁ ରୋଚକ ପରମ୍ପରା ଦଶରହା ହୋଇଥାଏ। ଏହି ପ୍ରଥା ଅନୁସାରେ ଗୋଟିଏ ଗାଁର ଯୁବକ-ଯୁବତୀ ଅନ୍ୟ ଗାଁକୁ ଯାଇ ସେଠାକାର ଯୁବକ ଯୁବତୀଙ୍କ ସହ ରାତିସାରା ନାଚିଥାଆନ୍ତି। ସେଠାରେ ନୃତ୍ୟ ସମୟରେ ସେମାନେ ନିଜ ଜୀବନସାଥୀ ବାଛିଥାଆନ୍ତି। ନୃତ୍ୟ ସମୟରେ ଯୁବକ-ଯୁବତୀ ପରସ୍ପରକୁ ପ୍ରେମ ନିବେଦନ କରିଥାଆନ୍ତି। ଏହା ପରେ ପରସ୍ପରକୁ ପସନ୍ଦ କରିଥିବା ଯୁବକ-ଯୁବତୀ ଜଙ୍ଗଲକୁ ଯାଇ ରାତି କଟାଇଥାଆନ୍ତି ଏବଂ ସକାଳେ ଆସି ନିଜ ବାପା ମାଆଙ୍କଠୁ ଆଶୀର୍ବାଦ ନେଇ ଦାମ୍ପତ୍ୟ ଜୀବନର ଆରମ୍ଭ କରିଥାଆନ୍ତି।

ଦଶରହା ହୋଲିର ଠିକ୍ ପରେ ଆସୁଥିବା ପରମ୍ପରା ଅଟେ, ଯେଉଁଥିରେ ପାଖାପାଖି ମାସେ ଯାଏଁ ବୈଗା ଯୁବକ-ଯୁବତୀ ଅନ୍ୟ ଗାଁକୁ ଯାଇ ନୃତ୍ୟ କରିଥାଆନ୍ତି। ଏହି ବିବାହକୁ ଗ୍ରାମୀଣ ଭାଷାରେ ‘ଭାଗା ଲେ ଭାଗି’ ମଧ୍ୟ କୁହାଯାଇଥାଏ।

ଏହି ପରମ୍ପରା ପାଶ୍ଚାତ୍ୟ ସଭ୍ୟତା ସହ ମେଳ ଖାଇଥାଏ । ଏଠାକାର ବୟସ୍କ ଆଦିବାସୀମାନେ ଏହି ପରମ୍ପରାକୁ ସାମାଜିକ ନିୟମ ହିସାବରେ ଗ୍ରହଣ କରିଛନ୍ତି । ବିବାହଯୋଗ୍ୟ ଯୁବକ ଓ ଯୁବତୀଙ୍କୁ  ପରମ୍ପରା ସମ୍ପର୍କରେ ପୂର୍ବରୁ ସୂଚନା ଦେଇଦିଆଯାଇଥାଏ।

ଆଦିବାସୀ ସମାଜରେ ମହିଳାଙ୍କୁ ଅତ୍ୟନ୍ତ ସମ୍ମାନ ପ୍ରଦାନ କରାଯାଇଥାଏ। ଏଠାରେ ସେମାନଙ୍କୁ ନିଜ ପାଇଁ ଜୀବନସାଥୀ ବାଛିବା ସହ ବିବାହ ପୂର୍ବରୁ ତାଙ୍କ ସହ ସମ୍ପର୍କ ସ୍ଥାପନ କରିବାର ମଧ୍ୟ ଅନୁମତି ଦିଆଯାଇଥାଏ। ଏହା ବିଷୟରେ ପରିବାର ଲୋକ ଜାଣିବା ପରେ ଉଭୟଙ୍କର ବିବାହ କରାଇ ଦିଆଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.