ଦ୍ବିତୀୟ ପର୍ଯ୍ୟାୟରେ କଟକଣା କୋହଳ କଲେ ରାଜ୍ୟ ସରକାର: ଚାଷୀ ଓ ଶ୍ରମିକଙ୍କ ସମେତ ୧୩ଟି ବିଭାଗକୁ ମିଳିଲା ଅନୁମତି

Published By : Prameya-News7 Bureau | April 13, 2020 IST

ଭୁବନେଶ୍ବର୧୩/୪: ରାଜ୍ୟ ସରକାର ଏପ୍ରିଲ୍‌ ୩୦ଯାଏଁ ଲକଡାଉନ୍‌ ଅବଧି ବଢ଼ାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ତାଲାବନ୍ଦ ସମୟରେ କିଛି କଟକଣାକୁ କୋହଳ କରିଛନ୍ତି । ବିଶେଷ କରି ଏଥିରେ ଚାଷୀ ଓ ଶ୍ରମିକମାନଙ୍କୁ ଗୁରୁତ୍ବ ଦେଇଛନ୍ତି ସରକାର । ସେହିଭଳି କିଛି ନର୍ମାଣ କାର୍ଯ୍ୟ ଉପରେ ମଧ୍ୟ ଲକଡାଉନ୍‌ ନିୟମକୁ କୋହଳ କରାଯାଇଛି ।  ସେପଟେ ସ୍ବାସ୍ଥ୍ୟ, ଖାଦ୍ୟ ଓ ଯୋଗାଣ, ଶିଲ୍ପ, ଖଣି ଭଳି ରାଜ୍ୟର ୧୩ଟି ବିଭାଗ ତା’ର କାର୍ଯ୍ୟ ଜାରି ରଖିବାକୁ ନିର୍ଦେଶନାମା ଜାରି କରିଛି ରାଜସ୍ବ ବିଭାଗ ।

ଏପ୍ରିଲ୍‌ ୩୦ଯାଏଁ ଲକଡାଉନ୍‌ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର । ତେବେ ଏପ୍ରିଲ୍‌ ୧୫ରୁ ଦ୍ବିତୀୟ ପର୍ଯ୍ୟାୟ ତାଲାବନ୍ଦ ସମୟରେ କିଛି କଟକଣାକୁ କୋହଳ କରାଯାଇଛି । ବିଶେଷ କରି ଏଥିରେ ଚାଷୀମାନଙ୍କୁ ଗୁରୁତ୍ବ ଦେଇଛନ୍ତି ସରକାର । ଧାନବୁଣା, ତଳିରୁଆ, ଫସଲ ଅମଳ, ବିହନ ପରିବହନ, ଚାଷ ପାଇଁ ଟ୍ରାକ୍ଟର ବ୍ୟବହାରକୁ ମିଳିଛି ଅନୁମତି । ଏହି ସମୟରେ  କୃଷି ଯନ୍ତ୍ରପାତି ବିକ୍ରୟ ଓ ମରାମତି କେନ୍ଦ୍ର, ରାସାୟନିକ ସାର ଓ ଶୀତଳ ଭଣ୍ଡାର କେନ୍ଦ୍ର ଖୋଲା ରହିବ । ସେହିଭଳି ଖରିଫ୍‌ ଋଣ ଯୋଗାଇଦେବାକୁ ସବୁ ବ୍ୟାଙ୍କ କାର୍ଯ୍ୟ କରିବେ, ଅଫିସ ମଧ୍ୟ ଖୋଲା ରହିବ । ରବି ଧାନ ସଂଗ୍ରହ ପାଇଁ ୧୭ରୁ ୧୮ ଜିଲ୍ଲାରେ ମଣ୍ଡି ଖୋଲା ରହିବ । ଅଣ୍ଡା, ମାଛ, ମାଂସ, ଦୁଗ୍ଧ ଆଦି ଦ୍ରବ୍ୟର ପରିବହନ ଚାଲୁ ରହିବ । ସେହଭଳି ମାଛଖାଦ୍ୟ, ପଶୁ ଖାଦ୍ୟ  ଉତ୍ପାଦନ ଓ ପରିବହନ, ଯୋଗାଣ ଜାରି ରହିବ । ଏହାଛଡ଼ା ପ୍ରାଣୀ ଚିକିତ୍ସାଳୟ ଓ ଟୀକା କରଣ କେନ୍ଦ୍ର ଖୋଲା ରହିବ । ପୋଖରୀ ମାଛ ଚାଷ, ମାଛଧରା, ସାମୁଦ୍ରିକ ମାଛ ଧରା ମଧ୍ୟ ଚାଲୁ ରହିବ । ମାଛ ଯାଆଁଳ ଉତ୍ପାଦନ, ମାଛ ଜାଲ କାରଖାନା, ଗୋଶାଳା, ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଣ ଆଦି ଚାଲୁ ରହିବ ବୋଲି ସ୍ପଷ୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ।

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ୍‌ ସିମୟରେ  ଶ୍ରମିକମାନଙ୍କୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ସରକାର । କିଛି ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ଲକଡାଉନ୍‌ ନିୟମକୁ କୋହଳ କରାଯାଇଛି । ମନରେଗା କାର୍ଯ୍ୟକ୍ରମ ରାଜ୍ୟର ସବୁ ଗ୍ରାମାଞ୍ଚଳରେ ଚାଲୁ ରହିବ । ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ପାଇଖାନା ନିର୍ମାଣ, ବିଜୁ ପକ୍କା ଘର ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ, ପାନୀୟ ଜଳ ଯୋଗାଣ, ନଳକୂପ ମରାମତି କାର୍ଯ୍ୟ, କେନ୍ଦୁପତ୍ର ତୋଳା, କେନ୍ଦୁପତ୍ର ଫଡ଼ି, ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ କାର୍ଯ୍ୟ ଚାଲୁ ରହିବ । ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସମସ୍ତ କାର୍ଯ୍ୟ ଜାରି ରହିବ । ଏହା ଛଡ଼ା ଖାଦ୍ୟ ହୋମ୍‌ ଡେଲିଭରି ଓ ଢ଼ାବା ଚାଲୁ ରହିବ । ତେବେ ଢ଼ାବାରେ ବସି କେହି ଖାଇପାରିବେ ନାହିଁ କେବଳ ପ୍ୟାକିଂ ଖାଦ୍ୟ ନେଇପାରିବେ ।

ସେପଟେ ସ୍ବାସ୍ଥ୍ୟ, ଖାଦ୍ୟ ଓ ଯୋଗାଣ, ଶିଲ୍ପ, ଖଣି ଭଳି ରାଜ୍ୟର ୧୩ଟି ବିଭାଗ ତା’ର କାର୍ଯ୍ୟ ଜାରି ରଖିବାକୁ ନିର୍ଦେଶନାମା ଜାରି କରିଛି ରାଜସ୍ବ ବିଭାଗ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମ୍ୟାନୁଫ୍ୟାକ୍ଚରିଂ, ଓମ୍‌ଫେଡ୍‌, ଓପଲଫେଡ୍‌, ଚିଲିକା ଫ୍ରେସ୍‌, ଫୁଡ୍‌ ଓ ଗ୍ରୋସରି ଦୋକାନ ଖୋଲା ରହିବ । ହୋମ୍‌ ଡେଲିଭଳି କରୁଥିବା ସଂସ୍ଥା ସେମାନଙ୍କ କାର୍ଯ୍ୟ ଜାରି ରଖିବେ। ସେହିଭଳି ବେସରକାରୀ ସିକ୍ୟୁରିଟି ସଂସ୍ଥା ଚାଲିପାରିବ । ଶିଳ୍ପ କ୍ଷେତ୍ରରେ କୋଲ, ପାଓ୍ବାର, ଷ୍ଟିଲ୍‌ ଓ ସାର କାରଖାନା ଚାଲିବା ସହ ଖଣି କାର୍ଯ୍ୟ ଚାଲୁ ରହିବ ବୋଲି ନିର୍ଦେଶ ଦେଇଛି ଗୃହ ବିଭାଗ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.