ଟି-୨୦ ବିଶ୍ଵ କପ୍‌ର ପ୍ରତି ମ୍ୟାଚ୍‌ରେ ରହିବ ଦୁଇଟି ଡ୍ରିଙ୍କ୍ସ ବ୍ରେକ୍, ଇନିଂସ ମଝିରେ ମିଳିବ ଅଢେଇ ମିନିଟ୍‌ର ସମୟ

Published By : Prameya-News7 Bureau | October 10, 2021 IST

ନୂଆଦିଲ୍ଲୀ ୧୦।୧୦: ଆଇସିସି ଆଗାମୀ ଟି-୨୦ ବିଶ୍ଵ କପ୍ ପାଇଁ ଏକ ନୂତନ ନିୟମ ଲାଗୁ କରିଛି। ୟୁଏଇ ଓ ଓମାନରେ ହେବାକୁ ଥିବା ଆଇସିସି ଟୁର୍ଣ୍ଣାମେଣ୍ଟରେ ଡ୍ରିଙ୍କ୍ସ ବ୍ରେକର ନିୟମ କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଦ୍ଵାରା ରବିବାର ଜାରି ବିଜ୍ଞପ୍ତି ଅନୁଯାୟୀ, ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ମ୍ୟାଚ୍‌ର ପ୍ରତି ଇନିଂସରେ ଅଢେଇ ମିନିଟ୍ ବ୍ରେକ୍ ରହିବ। ଅର୍ଥାତ ପ୍ରତି ମ୍ୟାଚ୍‌ରେ ଦୁଇ ଥର ଅଢେଇ ମିନିଟ୍‌ ଏବଂ ମୋଟ୍ ପାଞ୍ଚ ମିନିଟ୍‌ର ବ୍ରେକ୍ ରହିବ।

ଆଇସିସିର ଏହି ନିୟମରେ ଖେଳାଳିଙ୍କୁ ଯେଉଁଠି ରଣନୀତି ପ୍ରସ୍ତୁତ କରିବାର ସୁଯୋଗ ମିଳିବ ସେଠି ପ୍ରଯୋଜକଙ୍କୁ ଆୟରେ ଫାଇଦା ହେବ। ଆଇସିସି ଏହା ବ୍ୟତୀତ ଦୁଇଟି ନୂତନ ନିୟମ ଲାଗୁ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି। ୟୁଏଇ ଓ ଓମାନରେ ଖେଳାଯିବାକୁ ଥିବା ପୁରୁଷ ଟି-୨୦ ବିଶ୍ଵ କପ୍‌ରେ ପ୍ରଥମ ଥର ଡିଆରଏସର ବ୍ୟବହାର କରାଯିବ। ଆଇସିସି ଟୁର୍ଣ୍ଣାମେଣ୍ଟରେ ଏହାର ଉପଯୋଗକୁ ମଞ୍ଜୁରୀ ଦେଇଛି। ଏଥିସହ ଆଗାମୀ ଟୁର୍ଣ୍ଣାମେଣ୍ଟରେ ଡିଆରଏସ ମଧ୍ୟ ସାମିଲ୍ କରାଯିବ।

ଇଏସପିଏନ କ୍ରିକଇନମ୍ଫୋର ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ଦଳ ପ୍ରତ୍ୟେକ ଇନିଂସରେ ଦୁଇଟି ଡିଆରଏସ ନେଇ ପାରିବେ। ଶେଷ ଥର ୨୦୧୬ରେ ଖେଳାଯାଇଥିବା ପୁରୁଷ ଟି-୨୦ ବିଶ୍ଵ କପ୍‌ରେ ଡିଆରଏସ ଉପଯୋଗ କରାଯାଇନଥିଲା।  ହେଲେ ଓ୍ଵେଷ୍ଟଇଣ୍ଡିଜରେ ଖେଳାଯାଇଥିବା ଆଇସିସି ମହିଳା ଟି-୨୦ ବିଶ୍ଵ କପ ୨୦୧୮ରେ ପ୍ରଥମ ଡିଆରଏସର ଉପଯୋଗ ହୋଇଥିଲା। ଏହା ପରେ ୨୦୨୦ରେ ଖେଳାଯାଇଥିବା ମହିଳା ଟି-୨୦ ବିଶ୍ଵ କପ୍‌ରେ ମଧ୍ୟ ଏହି ପ୍ରଣାଳୀର ବ୍ୟବହାର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.