ଦରବୃଦ୍ଧି କାରଣରୁ ଉପ ନିର୍ବାଚନ ହାରିଲା ବିଜେପି, ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ

Published By : Prameya-News7 Bureau | November 02, 2021 IST

ସିମଲା ୦୨।୧୧: ଦରଦାମ ବୃଦ୍ଧି କାରଣରୁ ଉପ ନିର୍ବାଚନ ହାରିଲା ବିଜେପି। ଏହି କଥା କୌଣସି ବିରୋଧୀ ଦଳର ନେତା କହି ନାହାନ୍ତି, ଖୋଦ୍ ବିଜେପିର ମୁଖ୍ୟମନ୍ତ୍ରୀ ହିଁ ଏହା କହିଛନ୍ତି। ଦରବୃଦ୍ଧି ବିଜେପି ଉପ ନିର୍ବାଚନ ପରାଜୟର ପ୍ରମୁଖ କାରଣ ବୋଲି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି। ହିମାଚଳ ପ୍ରଦେଶରେ ଉପ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ଠାକୁରଙ୍କ ଏହି ବୟାନ ସାମ୍ନାକୁ ଆସିଛି। ଏହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇ ଉଠିଛି।

ଆସନ୍ତାବର୍ଷ ଉତ୍ତର ପ୍ରଦେଶ ସମେତ ଦେଶର ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନ୍ୟପଟେ ମହଙ୍ଗା ମାଡରେ ତ୍ରାହି ତ୍ରାହି ଡାକିଲେଣି ଜନତା।  ତୈଳ ଦର ହୁ ହୁ ହୋଇ ବଢୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ମଧ୍ୟ ଆକାଶଛୁଆଁ ରହିଛି। ଏହା ମଧ୍ୟରେ ଆଜି ୧୩ ରାଜ୍ୟର ବିଧାନସଭାରେ ହୋଇଥିବା ଉପ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଆଉ ଫଳାଫଳରେ ଜନତାଙ୍କ ଅସନ୍ତୋଷର ଝଲକ ମଧ୍ୟ ଦେଖିବାକୁ ମିଳିଛି।

ହିମାଚଳ ପ୍ରଦେଶର ମଣ୍ଡି  ଲୋକସଭା ସହିତ ଅର୍କି, ଫତେହପୁର, ଜୁବଲ-କୋଟଖାଇ ବିଧାନସଭା ଆସନରେ  ହୋଇଥିବା ଉପ ନିର୍ବାଚନରେ ବିଜେପି ପରାସ୍ତ ହୋଇଛି। ଏହା ପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ବଡ ବୟାନ ସାମ୍ନାକୁ ଆସିଛି। ସେ ପରାଜୟ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ବଢୁଥିବା ଦରଦାମ କାରଣରୁ ରାଜ୍ୟରେ  ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିଛି ବୋଲି ଜୟରାମ କହିଛନ୍ତି। ଏମିତି ଫଳାଫଳ ଆଶାନଥିଲା ବୋଲି ସେ କହିଛନ୍ତି।

wp:html /wp:html

ତାଙ୍କର ଏହି ବୟାନ ପରେ ବିଜେପିରେ ଭୂକୁଞ୍ଚନ ସୃଷ୍ଟି ହୋଇଛି। ଅନ୍ୟପଟେ ବିରୋଧୀ ମଧ୍ୟ ଆକ୍ରମଣାତ୍ମକ ହୋଇ ଉଠିଛନ୍ତି। ହିମାଚଳ ପ୍ରଦେଶର କଂଗ୍ରେସ ରାଜ୍ୟ ପ୍ରଭାରୀ ରାଜୀବ ଶୁକ୍ଳା କହିଛନ୍ତି ଯେ, କେନ୍ଦ୍ର ସରକାର ଦେଶର ଅର୍ଥବ୍ୟବସ୍ଥା ଖରାପ କରି ଜନତାଙ୍କ ପକେଟ୍‌ ଲୁଟିବା ଆରମ୍ଭ କରି ଦେଇଛନ୍ତି।

ଶାସକ ଦଳ ପାଖରେ ଦେଖାଇବା ପାଇଁ କିଛି ନମ୍ବର ନାହିଁ। ପେଟ୍ରୋଲ-ଡିଜେଲ୍, ରୋଷେଇ ଗ୍ୟାସ୍ ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଅହେତୁକ ଭାବେ ବଢିଛି। ଜନତା ମହଙ୍ଗା ମାଡରେ ତ୍ରାହି ତ୍ରାହି  ଡାକିଲେଣି। ବିଜେପି ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଛି। ଏହାର ପ୍ରଭାବ ଉତ୍ତର ପ୍ରଦେଶ ନିର୍ବାଚନ ଉପରେ ମଧ୍ୟ ପଡିବ ବୋଲି ରାଜୀବ ଶୁକ୍ଳା କହିଛନ୍ତି।

ଉପ ନିର୍ବାଚନରେ ବିଜେପିର ପରାଜୟର ସିଧାସଳଖ ପ୍ରଭାବ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ରାଜନୈତିକ ଜୀବନ ଉପରେ ପଡିବ। କାରଣ ପୂରା ନିର୍ବାଚନ ତାଙ୍କ ନେତୃତ୍ଵରେ ହିଁ ଲଢାଯାଇଥିଲା। ହେଲେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡିଛି। ଏବେ ଠାକୁରଙ୍କ ମୁଖ୍ୟମନ୍ତ୍ରୀ ଛବି ସହିତ ତାଙ୍କ ରାଜନୈତିକ ଭବିଷ୍ୟତ ଉପରେ ମଧ୍ୟ ସଙ୍କଟ ଦେଖା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.