ଲାଲୁଙ୍କ ପୁଅ ତେଜପ୍ରତାପଙ୍କ ଛାଡ଼ପତ୍ର ମାମଲା : ଆଜିଯାଏଁ ଚୁପ୍ ଥିବା ପତ୍ନୀ ଐଶ୍ଚର୍ଯ୍ୟା ଖୋଲିବେ ମୁହଁ

Published By : Prameya-News7 Bureau | November 28, 2018 IST

ପାଟଣା ୨୮/୧୧: ରାଷ୍ଟ୍ରୀୟ ଜନତାଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ବିଧାୟକ ତେଜପ୍ରତାପ ଯାଦବଙ୍କ ଛାଡ଼ପତ୍ର ମାମଲାର ଶୁଣାଣି ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ଆଉମାତ୍ର ୨୪ଘଣ୍ଟା ଭିତରେ ପାଟଣା ପାରିବାରିକ ଅଦାଲତରେ ଏହି ମାମଲାର ଶୁଣାଣି ହେବ। ଛାଡ଼ପତ୍ର ଆବେଦନ ପ୍ରସଙ୍ଗରେ ଏଯାଏଁ ନୀରବତା ଅବଲମ୍ବନ କରିଆସିଥିବା ତେଜପ୍ରତାପଙ୍କ ପତ୍ନୀ ଐଶ୍ଚର୍ଯ୍ୟା ପାରିବାରିକ ଅଦାଲତରେ ନିଜ ପକ୍ଷ ରଖିବେ। ଆସନ୍ତାକାଲି ହେବାକୁ ଥିବା ଏହି ମାମଲାର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି। ଐଶ୍ଚର୍ଯ୍ୟା ଏନେଇ କ’ଣ ମତ ରଖିବେ ତାକୁ ମଧ୍ୟ ସମସ୍ତେ ଅପେକ୍ଷା କରିଛନ୍ତି। ସୂଚନାଯୋଗ୍ୟ ଯେ,ସ୍ତ୍ରୀ ଐଶ୍ଚର୍ଯ୍ୟାଙ୍କୁ ବିବାହର ୬ମାସ ନପୂରୁଣୁ ଛାଡ଼ପତ୍ର ଦେବାପାଇଁ ତେଜପ୍ରତାପ ପାଟଣା ପାରିବାରିକ ଅଦାଲତରେ ଆବେଦନ କରିଥିଲେ। ଛାଡ଼ପତ୍ର ଦେବା ପଛର ମୁଖ୍ୟ କାରଣ ପ୍ରତାରଣା ବୋଲି ତେଜପ୍ରତାପ ଅଦାଲତରେ ଦାଖଲ କରିଥିବା ଆବେଦନରେ ଦର୍ଶାଇଛନ୍ତି। ତେଜପ୍ରତାପଙ୍କ ଛାଡ଼ପତ୍ର ଆବେଦନକୁ ତାଙ୍କ ପରିବାର ସଦସ୍ୟମାନେ ସମର୍ଥନ କରୁନାହାନ୍ତି। ସେଥିପାଇଁ ତେଜପ୍ରତାପ ଅଭିମାନ କରି ଘରକୁ ଆସୁନାହାନ୍ତି। ଆଜିକାଲି ସେ ମଥୁରା ଓ ବୃନ୍ଦାବନରେ ତୀର୍ଥ କରୁଥିବା ଜଣାପଡ଼ିଛି। ପରିବାରର ମଙ୍ଗଳ ପାଇଁ ସେ ଯଜ୍ଞ ଆାଦି ଅନୁଷ୍ଠାନ କରାଉଛନ୍ତି। ଇତିମଧ୍ୟରେ ତେଜପ୍ରତାପଙ୍କ ଭାଇ ତେଜସ୍ବୀ ପ୍ରସାଦ ଏବଂ ମା ରାବଡ଼ୀ ଦେବୀ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣଭାବେ ,କ ବ୍ୟକ୍ତିଗତ ଏବଂ ପାରିବାରିକ ମାମଲା। ପରିବାର ମଧ୍ୟରେ ହିଁ ଏହାର ସମାଧାନ କରାଯିବ। ଆସନ୍ତାକାଲି ପାରିବାରିକ ଅଦାଲତରେ ମାମଲାର ଶୁଣାଣି ଥିବାରୁ ତେଜପ୍ରତାପ ପାଟଣା ଆସିପାରନ୍ତି ବୋଲି ଆଲୋଚନା ହେଉଛି। କେବଳ ସେତିକି ନୁହେଁ; ବର୍ତ୍ତମାନ ପାଟଣା ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିଥିବାରୁ ଅଧିବେଶନରେ ସାମିଲ ହେବାପାଇଁ ମଧ୍ୟ ତେଜପ୍ରତାପ ପାଟଣା ଆସିପାରନ୍ତି। ଅନ୍ୟପକ୍ଷରେ ତେଜପ୍ରତାପଙ୍କ ଶ୍ବଶୁର ତଥା ଐଶ୍ଚର୍ଯ୍ୟାଙ୍କ ପିତା ଚନ୍ଦ୍ରିକା ରାୟ ରାଷ୍ଟ୍ରୀୟ ଜନତା ଦଳର ବିଧାୟକ ଅଛନ୍ତି। ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ଅନୁଷ୍ଠିତ ରାଷ୍ଟ୍ରୀୟ ଜନତା ଦଳ ବିଧାୟକ ଦଳ ବୈଠକରେ କିନ୍ତୁ ସେ ଯୋଗ ଦେଇନାହାନ୍ତି। ଏକଦା ଲାଲୁଙ୍କ ଦୃଢ଼ ଅନୁଗତ ଥିବା ଚନ୍ଦ୍ରିକା ରାୟଙ୍କ ଲାଲୁ ପରିବାର ପ୍ରତି ମୋହଭଙ୍ଗ ହୋଇଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.