ରିପୋର୍ଟରୁ ଖୁଲାସା: ୬ ବର୍ଷରେ ସେନା କିଣିଛି ୯୬୦ କୋଟି ଟଙ୍କାର ଖରାପ ଗୋଳା ବାରୁଦ, ଏହି ଅର୍ଥରେ କିଣା ଯାଇପାରିଥାନ୍ତା ୧୦୦ ଆର୍ଟିଲରି ଗନ

Published By : Prameya-News7 Bureau | September 29, 2020 IST

ନୂଆଦିଲ୍ଲୀ ୨୯।୦୯: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚାରି ମାସରୁ ଉର୍ଦ୍ଧ୍ଵ ସମୟ ହେବ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହି ସମୟରେ ସେନାର ଏକ ଆଭ୍ୟନ୍ତରୀଣ ରିପୋର୍ଟ ସାମ୍ନାକୁ ଆସିଛି ଯାହା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ୬ ବର୍ଷରେ ସରକାରୀ ଅର୍ଡିନାନ୍ସ ଫ୍ୟାକ୍ଟ୍ରିରୁ ଯେତେ ଟଙ୍କାର ଖରାପ ଗୋଳା ବାରୁଦ କ୍ରୟ କରାଯାଇଛି, ସେଥିରେ ସେନାକୁ ପ୍ରାୟ ୧୦୦ ଆର୍ଟିଲରି ଗନ ମିଳିପାରିଥାନ୍ତା। ଏହି ରିପୋର୍ଟ ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି।

୨୦୧୪ ରୁ ୨୦୨୦ ମଧ୍ୟରେ ଯେଉଁ କମ ଗୁଣବତ୍ତାର ଗୋଳା ବାରୁଦ କିଣା ଯାଇଛି, ଏହାର ମୂଲ୍ୟ ପ୍ରାୟ ୯୬୦ କୋଟି ଟଙ୍କା ହେବ। ଏହି ଦାମରେ ୧୫୦-ଏମଏମର ମଧ୍ୟମ ଆର୍ଟିଲରୀ ଗନ ସେନାକୁ ମିଳି ପାରିଥାନ୍ତା। ଉଲ୍ଲେଖନୀୟ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବୋର୍ଡ(ଓଏଫବି)ର ସଞ୍ଚାଳନ ପ୍ରତିରକ୍ଷା ମନ୍ତ୍ରଣାଳୟର ତତ୍ଵାବଧାନରେ ହୋଇଥାଏ। ଏହା ଦୁନିଆର ସର୍ବ ପୁରାତନ ସରକାରୀ ଅର୍ଡିନାନ୍ସ ଉତ୍ପାଦନ ୟୁନିଟ୍‌ ମଧ୍ୟରୁ ଏକ। ଏଠାରୁ ସେନା ପାଇଁ ଗୋଳା ବାରୁଦ ତିଆରି ହୁଏ। ଯେଉଁ ଗୋଳା ବାରୁଦ ନିମ୍ନମାନର ଚିହ୍ନଟ ହୋଇଛି ସେଥିରେ ୨୩-ଏମଏମର ଏୟାର ଡିଫେନ୍ସ ସେଲ, ଆର୍ଟିଲାରୀ ସେଲ, ୧୨୫ ଏମଏମର ଟ୍ୟାଙ୍କ ରାଉଣ୍ଡ ସମେତ ଅଲଗା ଅଲଗା କ୍ୟାଲିବରିର ବୁଲେଟ୍ ସାମିଲ।

ସେନାର ରିପୋର୍ଟ ଅନୁଯାୟୀ ଏହି ଖରାପ ଗୁଣବତ୍ତାର ଗୋଳା ବାରୁଦ କେବଳ ଟଙ୍କା କ୍ଷତି କରି ନାହିଁ ବରଂ ଅନେକ ଘଟଣାରେ ମାନବ ଜତିତ କ୍ଷତି ମଧ୍ୟ ହୋଇଛି। ରିପୋର୍ଟରେ ଦାବି କରାଯାଇଛି ଯେ, ନିମ୍ନମାନର ପ୍ରଡକ୍ସନ କାରଣରୁ ଯେଉଁ ମାନବୀୟ କ୍ଷତି ଘଟିଛି, ତାହା ହାରାହାରି ପ୍ରତି ସପ୍ତାହରେ ଥରେ ଘଟିଛି।

ଏହି ଆଭ୍ୟନ୍ତରୀଣ ରିପୋର୍ଟରେ ଦାବି କରାଯାଇଛି ଯେ, ୨୦୧୪ ପରଠୁ ଖରାପ ଗୁଣବତ୍ତା ଗୋଳା ବାରୁଦ କାରଣରୁ ୪୦୩ ଘଟଣା ଘଟିଛି। କିନ୍ତୁ ପରବର୍ତ୍ତୀ ସମୟରେ ଏଥିରେ ହ୍ରାସ ଘଟିଛି।

୨୦୧୪- ୧୧୪ ଘଟଣା

୨୦୧୭- ୫୩ ଘଟଣା

୨୦୧୮- ୭୮  ଘଟଣା

୨୦୧୯- ୧୬ ଘଟଣା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.