କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟିଲେ ଶ୍ରୀକାନ୍ତ ଜେନା, ଗଣେଶ୍ବର ବେହେରାଙ୍କ ନେତୃତ୍ବରେ ଗଠିତ ହେଲା ୧୦ ଜଣିଆ କମିଟି

Published By : Prameya-News7 Bureau | December 06, 2018 IST

ଭୁବନେଶ୍ବର ୬|୧୨: କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ହଟିଲେ । ଶ୍ରୀକାନ୍ତଙ୍କ ସ୍ଥାନରେ ଗଣେଶ୍ବର ବେହେରା କଂଗ୍ରେସ ବିଧାନସଭା ଇସ୍ତାହାର କମିଟିର ଅଧ୍ୟକ୍ଷ ହୋଇଛନ୍ତି । ଏଆଇସିସି ଅଧ୍ୟକ୍ଷ ଏହି ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏଥିସହ ୧୦ ଜଣିଆ ନୂଆ ଇସ୍ତାହାର କମିଟିକୁ ମଧ୍ୟ ଅନୁମୋଦନ ମିଳିଛି । ନୂଆ ଇସ୍ତାହାର କମିଟିରେ ରହିଛନ୍ତି ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ, ଶ୍ୟାମସୁନ୍ଦର ହାଂସଦା, ମେରୀ ସୁରୀନ, ଲିଆକତ ଅଲ୍ଲୀ , ନଟବର ଖୁଣ୍ଟିଆ, ସତ୍ୟ ପ୍ରକାଶ ନାୟକ ଏବଂ ବିସ୍ମୟ ମହାପାତ୍ର । ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସରେ ପୁଣି ଏକ ପ୍ରକାର ଗୋଷ୍ଠୀ ବିବାଦ ସୃଷ୍ଟି ହୋଇଛି । ନିରଞ୍ଜନଙ୍କ ନେତୃତ୍ବକୁ ଶ୍ରୀକାନ୍ତ ଜେନା ଗ୍ରହଣ କରିପାରୁନାହାଁନ୍ତି । ଏପରିକି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଜରିଆରେ ସେ ଦଳ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରିଆସୁଛନ୍ତି ବୋଲି ଆଲୋଚନା ହେଉଛି  । ଆଜି ଭୁବନେଶ୍ବର ସ୍ବାଧୀନତା ସଂଗ୍ରାମୀ ପଡିଆଠାରେ କୃଷ୍ଣଚନ୍ଦ୍ର ସଗରିଆ ଆୟୋଜନ କରିଥିବା ସମାବେଶରେ କଂଗ୍ରେସର ଅନ୍ୟ କୌଣସି ନେତା ଯୋଗ ଦେଇନଥିବାବେଳେ ଶ୍ରୀକାନ୍ତ ଜେନା ଯୋଗ ଦେଇଛନ୍ତି । ସଗରିଆଙ୍କ ଏଭଳି ସମାବେଶକୁ କଂଗ୍ରେସ ବିଶୃଙ୍ଖଳିତ ଆଚରଣ ବୋଲି ବିବେଚନା କରୁଥିବାବେଳେ ସେଠାରେ ଶ୍ରୀକାନ୍ତଙ୍କ ଉପସ୍ଥିତି ସମସ୍ତଙ୍କୁ ଚକିତ କରିଛନ୍ତି । ଶ୍ରୀକାନ୍ତ କହିଛନ୍ତି ଯେ, ଏହି ସମାବେଶକୁ ପ୍ରଦେଶ କଂଗ୍ରେସର ସଭାପତି ନିରଂଜନ ପଟ୍ଟନାୟକଙ୍କୁ ମଧ୍ୟ ଡକାଯାଇଥିଲା । ତେବେ ସେ ଆସିଲେନାହିଁ । କଂଗ୍ରେସ ବିଧାନସଭା ଇସ୍ତଫା କମିଟିରୁ ଶ୍ରୀକାନ୍ତଙ୍କୁ ହଟାଯିବାପରେ ଏବେ କଂଗ୍ରେସ ମଧ୍ୟରେ ଚାଲିଥିବା ଅନ୍ତଯୁଦ୍ଧ ଧୀରେ ଧୀରେ ପଦାରେ ପଡିବାରେ  ଲାଗିଛି । ଅପରପକ୍ଷରେ  ଶ୍ରୀକାନ୍ତ ଜେନା କହିଛନ୍ତି ଯେ, ତାଙ୍କୁ ଇସ୍ତାହାର କମିଟିରୁ ବାହାର କରାଯାଇଥିବାରୁ ସେ ଖୁସୀ । କାରଣ କୌଣସି ପଦ ପଦବୀରେ ନରହିବା ପାଇଁ ସେ ଦଳୀୟ କର୍ତ୍ତୃପକ୍ଷଙ୍କୁ ଆଗରୁ ଜଣାଇସାରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.