ଫିଲ୍ମ କାହାଣୀ ନୁହେଁ, ସତ ଘଟଣା : ବିଧବା ବୋହୁ ପାଇଁ ବର ଠିକ କରିବା ସହ କନ୍ୟାଦାନ କଲେ ଶ୍ୱଶୁର

Published By : Prameya-News7 Bureau | November 29, 2018 IST

ଡେରାଡୁନ ୨୯/୧୧ : ଆପଣ ଫିଲ୍ମରେ ହିଁ ଦେଖିଥିବେ ଯେ, କୌଣସି ଶ୍ୱଶୁର ନିଜର ବିଧବା ବୋହୁ ପାଇଁ ବରପାତ୍ର ଠିକ କରିବା ସହ ତାର କନ୍ୟାଦାନ ମଧ୍ୟ କରନ୍ତି | ତେବେ ଡେରାଡୁନଠାରେ ଘଟିଛି ଏଭଳି ଏକ ସତ ଘଟଣା | ଶାଶୁ ଓ ଶ୍ୱଶୁର ପିତା ମତ ଭଳି ବିଧବା ବୋହୁକୁ ଅନ୍ୟତ୍ର ବିବାହ କରାଇଛନ୍ତି | ଘଟଣା କଣ ପଢନ୍ତୁ ପୁରା କାହାଣୀ : ଡେରାଡୁନ ଅନ୍ତର୍ଗତ ବାଲୋଵାଲାର ଏହି ଘଟଣା | ଏଠାରେ ବିଜୟ ଚାନ୍ଦ ଓ କମଳାଙ୍କ ପରିବାର ବସବାସ କରନ୍ତି | ୨୦୧୪ ମସିହାରେ ବିଜୟ ଚାନ୍ଦଙ୍କ ବଡ ପୁଅ ସନ୍ଦୀପ ଚାନ୍ଦଙ୍କ ବିବାହ କବିତାଙ୍କ ସହ ହୋଇଥିଲା | ପରିବାରରେ ଖୁସି ଓ ଆନନ୍ଦ ରାଜୁତି କରୁଥିଲା | ତେବେ ୨୦୧୫ ମସିହାରେ ହରିଦ୍ୱାର ଠାରେ ଏକ ସଡକ ଦୁର୍ଘଟଣାରେ ସନ୍ଦୀପଙ୍କର ମୃତ୍ୟୁ ହୋଇଥିଲା | ବିଜୟ ଚାନ୍ଦଙ୍କ ପରିବାର ଉପରେ ସତେ ଯେମିତି ପାହାଡ ଭାଙ୍ଗି ପଡିଥିଲା | ତେବେ ବିଜୟ ଚାନ୍ଦ ହାରିଯାଇନଥିଲେ ବା ବିଧବା ବୋହୁ କବିତାଙ୍କୁ ହରିବାକୁ ଦେଇନଥିଲେ | ଇତିମଧ୍ୟରେ କବିତାଙ୍କ ସହମତି କ୍ରମେ ବିଜୟ ଚାନ୍ଦ ଓ କମଳା ଚାନ୍ଦ କବିତାଙ୍କ ପାଇଁ ବରପାତ୍ର ଖୋଜିବା ଆରମ୍ଭ କରିଦେଇଥିଲେ | ଋଷିକେଶ ନିବାସୀ ତେଜପାଲ ସିଂହଙ୍କୁ କବିତାଙ୍କ ପାଇଁ ସେମାନେ ପସନ୍ଦ କରିଥିଲେ | ଉଭୟ ପରିବାରର ସହମତି କ୍ରମେ କବିତା ଏବଂ ତେଜପାଲଙ୍କ ବିବାହ ଲଗ୍ନ ସ୍ଥିର ହୋଇଥିଲା | ପରମ୍ପରା ଅନୁସାରେ କବିତାଙ୍କ ପିତା କନ୍ୟାଦାନ କରିବା କଥା | କିନ୍ତୁ ନିର୍ଧାରିତ ତିଥିରେ କବିତା ଓ ତେଜପାଲଙ୍କ ବିବାହ ଅନୁଷ୍ଠିତ ହୋଇଥିଲା | କନ୍ୟାଦାନ କରିଥିଲେ କବିତାଙ୍କ ଶ୍ୱଶୁର ବିଜୟ ଚାନ୍ଦ | କେବଳ ସେତିକି ନୁହେଁ ବିବାହ ପାଇଁ ସମସ୍ତ ଖର୍ଚ୍ଚ ମଧ୍ୟ ବିଜୟ ଚାନ୍ଦ ବହନ କରିଥିଲେ | ବିବାହ ପରେ କବିତା କହିଛନ୍ତି ଯେ, ସେ କେବେ ବି ତାଙ୍କ ଶାଶୁ ଶ୍ୱଶୁରଙ୍କୁ ଏକଲା ଛାଡି ଚାଲିଯିବାକୁ ଚାହିନାହାନ୍ତି | ଶାଶୁ ଶ୍ୱଶୁର ତାଙ୍କୁ ନିଜ ବାପା-ମାଙ୍କ ଠାରୁ ବି ଅଧିକ ସ୍ନେହ ଓ ଶ୍ରଦ୍ଧା ଦେଇଛନ୍ତି | ଯେତେବେଳେ ଯାହା ଦରକାର ତାହା ଯୋଗେଇ ଦେଇଛନ୍ତି ବୋଲି କବିତା ସ୍ୱୀକାର କରିଛନ୍ତି | ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ମା ଓ ବାପାଙ୍କ ପାଖକୁ ଚାଲିଯିବା କଥା | କିନ୍ତୁ ଏହା କରିଥିଲେ ଶାଶୁ ଶ୍ୱଶୁର ଅଧିକ ଭାଙ୍ଗି ପଡ଼ିଥାନ୍ତେ ବୋଲି କହିଛନ୍ତି | ଅପରପକ୍ଷରେ କବିତାଙ୍କ ଶ୍ୱଶୁର ବିଜୟ ଚାନ୍ଦ କହିଛନ୍ତି ଯେ, କବିତା ତାଙ୍କ ଝିଅ ଭଳି | ପୁଅର ମୃତ୍ୟୁ ପରେ କବିତାଙ୍କୁ ନିଜ ମା ବାପାଙ୍କ ପାଖକୁ ପଠାଇଦେବା ପାଇଁ ସମସ୍ତେ ପ୍ରବର୍ତାଇଥିଲେ | ଏପରିକି କବିତା ପରିବାର ପାଇଁ ଏକ ଅମଙ୍ଗଳ ଅଶୁଭ ବୋଲି ମଧ୍ୟ କହିଥିଲେ | କିନ୍ତୁ କବିତାଙ୍କୁ ଝିଅ ବୋଲି ମାନିନେଇ ଗୋଟିଏ ଝିଅ ପାଇଁ ଯାହା କରିବା କଥା ତାହା ହିଁ ସେ କବିତାଙ୍କ ପାଇଁ କରିଛନ୍ତି ବୋଲି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.