Wednesday, June 19, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୋର୍ଦ୍ଧା ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟାକାଣ୍ଡ: ବିଜେଡି ଆଡକୁ ଆଙ୍ଗୁଠି ଉଠାଇଲେଣି ବିଜେପି ଓ କଂଗ୍ରେସ

ଭୁବନେଶ୍ବର୧୫|୪: ନିର୍ବାଚନ ପୂର୍ବରୁ ଫୁଟିଛି ଗୁଳି । ଗଡ଼ିଛି ଖୋର୍ଦ୍ଧା ବିଜେପି ନେତା ମଙ୍ଗୁଳି ଜେନାଙ୍କ ମୁଣ୍ଡ । ଏହି ଘଟଣାକୁ ନେଇ ବିଜେପି ୬ ଘଣ୍ଟିଆ ଖୋର୍ଦ୍ଧା ବନ୍ଦ ପାଳନ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ଆଡ଼କୁ ଉଠାଇଛନ୍ତି ଆଙ୍ଗୁଳି ।

ସେପଟେ କଂଗ୍ରେସ ମୁଖିଆ ମଧ୍ୟ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ।  ମୁଖ୍ୟମନ୍ତ୍ରୀ ଘଟଣାର ନିନ୍ଦା କରି କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି । ସେପଟେ ୪ଟି ଟିମ୍ ଗଠନ କରି ତଦନ୍ତ ଚଳାଇଥିବା ପୋଲିସର ହାତ ଏବେ ବି ଖାଲି ।

ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟାକୁ ନେଇ ଉଠୁଛି ପଡ଼ୁଛି ଖୋର୍ଦ୍ଧା । ଖାଲି ଖୋର୍ଦ୍ଧା କାହିଁକି ସାରା ରାଜ୍ୟରେ ଏବେ ଏହାକୁ ନେଇ ଆକ୍ସନ-ରିଆକ୍ସନ । ମଙ୍ଗୁଳିଙ୍କୁ କିଏ ହତ୍ୟା କଲା, କାହିଁକି କଲା, ଏଥିରେ ରାଜନୈତିକ ହାତ ରହିଛି ନା ଏହା ବ୍ୟକ୍ତିଗତ ଶତ୍ରୁତା, ତାହାର ଖୋଳତାଡ଼ ଆରମ୍ଭ ହୋଇଛି ।

ମଙ୍ଗୁଳିଙ୍କ ହତ୍ୟାର ପ୍ରତିବାଦରେ ସକାଳ ୮ରୁ ଦିନ ୨ ଯାଏଁ ୬ ଘଣ୍ଟିଆ ଖୋର୍ଦ୍ଧା ବନ୍ଦ ଡାକରା ଦେଇଥିଲା ବିଜେପି। ସହରର ଦୋକାନ ବଜାର ବନ୍ଦ ରହିବା ସହ ଜାତୀୟ ରାଜପଥ ୧୬ ଓ ୫୭ ମଧ୍ୟ ଅବରୋଧ କରାଯାଇଥିଲା । ଖୋର୍ଦ୍ଧା ଥାନା ଆଗରେ ଧାରଣାରେ ବସିଥିଲେ ବିଜେପି କର୍ମୀ ।

ଅପରାଧୀଙ୍କୁ ତୁରନ୍ତ ଧରିବା ନେଇ ଏସପି ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ହଟିଥିଲା ବିଜେପି । କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ବରେ ୪ଟି ଟିମ୍ ଗଠନ କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ କରୁଛି ପୋଲିସ୍ ।

ତେବେ ଏହି ଘଟଣାକୁ ରାଜନୈତିକ ଶତ୍ରୁତା ସହ ଯୋଡ଼ିଛି ବିଜେପି । ବିଜୁ ଜନତା ଦଳ ଆଡ଼କୁ ଆଙ୍ଗୁଳି ଉଠାଇଛି ଦଳ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଘଟଣାକୁ ନିନ୍ଦା କରିବା ସହ ହାରିବା ଭୟରେ ଶାସକ ଦଳ ରକ୍ତମୁଖା ହୋଇଥିବା ଅଭିଯୋଗ କରିଛନ୍ତି ।

ଜନତା ବୁଲେଟର ଜବାବ୍ ବାଲଟରେ ଦେବେ ବୋଲି କହିଛନ୍ତି ।ପ୍ରେଦେଶ କଂଗ୍ରେସର ସଭାପତି ମଧ୍ୟ ବିଜେଡି ଆଡକୁ ଆଙ୍ଗୁଠି ଉଠାଇଛନ୍ତି ।ଘଷିପୁରାରେ ଶାସକ ଦଳର ଗୁଣ୍ଡାରାଜ ଚାଲିଛି ବୋଲି କହିଛନ୍ତି ।   ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘଟଣାର ଦୃଢ ନିନ୍ଦା କରିଛନ୍ତି  ।

ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ବାଚନ କମିଶନଙ୍କୁ ଅପିଲ୍ କରିଛନ୍ତି । ବିଜେଡିର ଖୋର୍ଦ୍ଧା ପ୍ରାର୍ଥୀ ଜିତୁ ମିତ୍ର ବି ଘଟଣାକୁ ନିନ୍ଦା କରି ପ୍ରତିକ୍ରିୟା ରଖିଛନ୍ତି ।

ମଙ୍ଗୁଳି ଜେନାଙ୍କ ମୃତଦେହକୁ ବିଜେପି କାର୍ଯ୍ୟାଳୟ ଅଣାଯାଇଥିଲା। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ନିର୍ବାଚନ ପୂର୍ବରୁ ଏଭଳି ହିଂସା  ସାରା ରାଜ୍ୟକୁ ସ୍ତବ୍ଧ କରିଛି । ସେପଟେ ଘଟଣାର ପ୍ରତିବାଦ କରିବାକୁ ଯାଇ ମୁହଁରେ କଳାପଟି ବାନ୍ଧି ବିଜେପିର ଏକ ଟିମ୍ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ୍ ହୋଇଛି ।

332 Views

   ସମ୍ବନ୍ଧିତ ଖବର