ଖଲ୍ଲିକୋଟ: ଅଧିକାରୀଙ୍କ ନାକ ତଳେ ଗଢି ଉଠିଛି ମାଳ ମାଳ ବେଆଇନ ଇଟାଭାଟି, ପ୍ରଶାସନ ନିରବ ଦ୍ରଷ୍ଟା

Published By : Prameya-News7 Bureau | April 03, 2021 IST

ଖଲ୍ଲିକୋଟ ୦୩।୦୪:  ଖଲ୍ଲିକୋଟ ତହସିଲରେ ପୋଡା ମାଟି ଇଟା ଭାଟି ଶହ ଶହ ସଂଖ୍ୟାରେ ବେଆଇନ ଭାବେ ଗଢି ଉଠିଥିବା ବେଳେ ଖରାଦିନେ ଏହା ଜନ ଜୀବନ କୁ ଅସ୍ତବ୍ୟସ୍ତ କରିଦେଲାଣି । ଦିନକୁ ଦିନ ପୋଡା ଇଟା ମାଫିଆଙ୍କ ରାଜ ବଢୁଥିବା ବେଳେ ଜିଲ୍ଲା ପ୍ରସାଶନ ଓ ସ୍ତାନୀୟ ପ୍ରସାଶନର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶାସନର ନାକ ତଳେ ଏତେ ସଂଖ୍ୟାରେ ବେଧଡକ ମାଟି ଇଟା ଭାଟି ଗଢି ଉଠିଥିଲେ ମଧ୍ୟ ନିଦା ବିଷ୍ଣୁ ପାଲଟିଛନ୍ତି ଅଧିକାରୀ।

ଖଲ୍ଲିକୋଟ ତହସିଲର ବିଭିନ୍ନ ଗ୍ରାମରେ ମାଳ ମାଳ ବେଆଇନ ପୋଡା ଇଟା ଭାଟି ଗଢିଉଠୁଛି । ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶ କ୍ରମେ ସରକାର ଏହାକୁ ସମ୍ପୁର୍ଣ୍ଣ ବେଆଇନ ଘୋଷଣା କରିଥିଲେ ହେଁ ଏହି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ପ୍ରଶାସନକୁ ଚାଲେଞ୍ଜ ଦେଇ ମାଫିଆ ମାନେ ସକ୍ରିୟ ହୋଇ ଥିବାର ଦେଖାଯାଉଛି। ଯାହାଫଳରେ ପରିବେଶ ପ୍ରଦୂଶଣ ସହ ମୃତିକା କ୍ଷୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

ଗ୍ରୀଷ୍ମର ପ୍ରବାହ ବଢୁଥିବା କାରଣରୁ ପୋଡା ଇଟା ଭାଟିରେ ନିଆଁ ଲାଗିବା ଦ୍ୱାରା ସ୍ଥାନୀୟ ଅଂଚଳରେ ଗ୍ରୀଷ୍ମର ପ୍ରକୋପ ଦ୍ଵିଗୁଣିତ ହେଉଛି। ଜନବସତି ନିକଟରେ ହୋଇଥିବା ପୋଡା ଇଟା ଭାଟିର ଧୂଆଁ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି । ପୋଡା ଇଟା ଭାଟି ହେବା ଦ୍ୱାରା ମାଫିଆ ମାନେ ଇଟା ପୋଡିବା ପାଇଁ ସ୍ଥାନୀୟ ଅଞ୍ଚଳର ଜଙ୍ଗଲ ସଫା କରିବାକୁ ଲାଗିଲେଣି। ଇଟାଭାଟିକୁ ନେଇ ସ୍ତାନୀୟ ଅଂଚଳର ସାଧାରଣ ଜନତା, ଲୋକ ପ୍ରତିନିଧି ଓ ସାମାଜିକ କର୍ମୀ ସ୍ୱର ଉଠାଇଲେ ମଧ୍ୟ ପ୍ରଶାସନ ଏହାକୁ ରୋକିବା ପାଇଁ କୌଣସି ଦୃଷ୍ଟି ଦେଉନାହାନ୍ତି ଦେଖିବାକୁ ମିଳୁଛି।

{"id":432614,"width":834,"height":464,"sizeSlug":"large","linkDestination":"none"}

ପୋଡା ଇଟାଭାଟି ବହୁଳ ମାତ୍ରାରେ ଖଲ୍ଲିକୋଟ ଅଂଚଳର ବାଦପଲ୍ଲୀ, କୈରାସି, ମାଣିକ୍ୟପୁର, ସାକରପୋଇ, ଖଲ୍ଲିକୋଟ, ଡମିରିଆ ଭଳି ଖଲ୍ଲିକୋଟ ତହସିଲ ଅଂଚଳର ଅନେକ ଗ୍ରାମରେ ଦେଖିବାକୁ ମିଳୁଛି  ।  ଏ ନେଇ ସ୍ତାନୀୟ ତହସିଲଦାରଙ୍କୁ ଯୋଗା ଯୋଗ କରିବା ପରେ ତହସିଲଦାର ପ୍ରାୟ ୨୦ଲକ୍ଷର ରାଜସ୍ୱ ଆଦାୟ କରିଛନ୍ତି ବୋଲି କହିଛନ୍ତି  । ଯାହାକୁ ନେଇ ସ୍ତାନୀୟ ଜନସାଧାରଣ ପ୍ରଶ୍ନ କରିଛନ୍ତି ଯେ ରାଜସ୍ୱ ଆଦାୟ କରିଦେଲେ ପରିବେଶ ପ୍ରଦୂଷଣକୁ ରୋକି ହେଉଛି କି ?

ସ୍ଥାନୀୟ ଅଞ୍ଚଳରେ ବହୁ ବେକାର ଯୁବକ ଆତ୍ମନିର୍ଭରଶୀଳ ହେବା ପାଇଁ ବ୍ୟାଙ୍କରୁ ରୁଣ ଆଣିବା ସହ ବିଭିନ୍ନ ସୂତ୍ରରୁ ଅର୍ଥ ସଂଗ୍ରହ କରି ଫ୍ଲାଇ ଆସ ଇଟା ନିର୍ମାଣ ୟୁନିଟ ସ୍ଥାପନ କରିଛନ୍ତି ।କିନ୍ତୁ ବେଆଇନ ପୋଡା ଇଟା ଏହି ଅଞ୍ଚଳରେ ପ୍ରଚୁର ଭାବେ ବିକ୍ରି ହେଉଥିବାରୁ ଏହି ଫ୍ଲାଇ ଆସ ୟୁନିଟ ଗୁଡିକ ବନ୍ଦ ହେବାକୁ ବସିଲାଣି ।ୟୁନିଟ କରିଥିବା ବ୍ୟକ୍ତି ମାନେ ବ୍ୟାଙ୍କ ଋଣ ସମେତ ଅନ୍ୟାନ୍ୟ କରଜ ଶୁଝି ନ ପାରି ହତାଶ ହୋଇ ପଡିଛନ୍ତି । ଋଣ ଶୁଝିବା ପାଇଁ ବ୍ୟାଙ୍କରୁ ବାରମ୍ବାର ନୋଟିସ ଯାଉଥିବା ସତ୍ତ୍ୱେ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ଫ୍ଲାଇ ଆସ ଇଟା ବିକ୍ରି ହୋଇ ନ ପାରିବାରୁ ବିଭିନ୍ନ ଆର୍ଥିକ ଓ ମାନସିକ ଦୁର୍ଗତି ମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳୁଛି ।

ସେହିପରି ବେଆଇନ ପୋଡା ଇଟା ବୋଝେଇ ଯାନବାହନ ଗୁଡିକ ବିଭିନ୍ନ ସ୍ଥାନକୁ ଇଟା ପରିବହନ କରୁଥିବା ବେଳେ ବୋଝେଇ ଇଟା ଉପରେ ପାଲ ନ ଘୋଡ଼ାଇ ଯାତାୟତ କରୁଥିବା ଯୋଗୁଁ ବିଭିନ୍ନ ସମୟରେ ଇଟା ଖସି ପଥଚାରୀ ମାନେ ଆହତ ହୋଇ ଥିବାର ଘଟଣା ନଜରକୁ ଆସିଛି । କିଛିଦିନ ତଳେ ଖଲ୍ଲିକୋଟ ଥାନା ପକ୍ଷରୁ ୬ଗୋଟି ଇଟା ଗାଡିକୁ ଧରି ଡ୍ରାଇଭର ସହ ମାଲିକ ମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲେ । କିନ୍ତୁ ଏଭଳି କାର୍ଯ୍ୟାନୁଷ୍ଠାନ ଆଉ ଦେଖିବାକୁ ମିଳୁ ନ ଥିବା ବେଳେ ପ୍ରଶାସନ ଓ ବେଆଇନ ଇଟାଭାଟି ମାଲିକ ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହୋଇ ଥିବାର ସାଧାରଣରେ ଚର୍ଚ୍ଚା ହେଉଛି ।

ଏବେ ବି ସବୁ ଅଂଚଳରେ ବେଆଇନ ପୋଡା  ଇଟାଭାଟି ଚାଲୁ ରହିଥିବା ବେଳେ କିଛି ସ୍ବେଚ୍ଛାସେବୀ ପ୍ରଶାସନର ଏହି ଭୂମିକକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ର ଦ୍ୱାରସ୍ଥ ହେବାକୁ ମନସ୍ଥ କରିଥିବା ପ୍ରକାଶ କରିଛନ୍ତି । ପ୍ରଶାସନ ଏହାକୁ ରୋକିବା ପାଇଁ ଆବଶ୍ୟକ ଦୃଷ୍ଟି ନ ଦେଲେ ଚଳିତ ଗ୍ରୀଷ୍ମ ଋତୁରେ ସ୍ଥାନୀୟ ଅଞ୍ଚଳରେ ଅଂଶୁଘାତ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.