ଲକଡାଉନବେଳେ ଭାଇଚାରାର ଉଦାହରଣ ସୃଷ୍ଟି କଲେ ମୁସଲମାନ୍ ସମ୍ପ୍ରଦାୟର ଲୋକେ : ପରିବାର ଲୋକଙ୍କ ଅନୁପସ୍ଥିତିରେ କଲେ ହିନ୍ଦୁ ମହିଳାଙ୍କ ଅନ୍ତିମ ସଂସ୍କାର

Published By : Prameya-News7 Bureau | April 16, 2020 IST

ଭୋପାଳ ୧୬/୪: ମଧ୍ୟପ୍ରଦେଶ ସମେତ ଦେଶବ୍ୟାପି କରୋନା ଭାଇରସର ମାମଲା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଏହି ସଙ୍କଟ ସମୟରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଭ୍ରାତୃତ୍ବର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି।

କରୋନା ସଂକ୍ରମଣ ଉପରେ ଲଗାମ ଲଗାଇବା ପାଇଁ ଦେଶବ୍ୟାପି ପୁଣି ଥରେ ୧୯ଦିନର ଲକଡାଉନ୍ କରାଯାଇଛି। ଏହି ଲକଡାଉନ୍ ଯୋଗୁଁ କୌଣସି ବ୍ୟକ୍ତି ନିଜ ଘରୁ ବାହାରି ପାରୁନାହାନ୍ତି। ଏପରି ପରିସ୍ଥିତିରେ ଭୋପାଳର ଟିଲାଜମାଲପୁରା ଅଞ୍ଚଳରେ ଜଣେ ହିନ୍ଦୁ ମହିଳାଙ୍କ ମୃତ୍ୟୁ ହୋଇଥିଲା।

ଲକଡାଉନ୍ ପାଇଁ ମୃତକ ମହିଳାଙ୍କ କୌଣସି ସମ୍ପର୍କୀୟ ଶୋକରେ ସାମିଲ ହୋଇପାରିନଥିଲେ। ଏପରି ପରିସ୍ଥିତିରେ ମୁସଲିମ୍ ସମ୍ପ୍ରଦାୟର ଲୋକେ ପୂରାପୂରି ହିନ୍ଦୁ ରୀତିନୀତି ଅନୁସାରେ ମହିଳାଙ୍କ ଅନ୍ତିମ ସଂସ୍କାର କରିଥିଲେ। ଏପରିକି ଅନ୍ତିମ ଯାତ୍ରାରେ ମଧ୍ୟ ‘ରାମ ନାମ ସତ୍ୟ ହେ’ କହିଥିଲେ।

ମହିଳାଙ୍କ ଅନ୍ତିମ ଯାତ୍ରାରେ ସାମିଲ ଟିଲାଜମାଲପୁରା ବାସିନ୍ଦା କହିଥିଲେ ଯେ, ମୃତକ ମହିଳା ଏବଂ ତାଙ୍କ ସ୍ବାମୀ କ୍ଷମା ରାମଦେବ ଅଞ୍ଚଳରେ ରୁହନ୍ତି। ଗତ କିଛି ଦିନ ହେବ ମହିଳା ଭୋପାଳର ହମିଦିଆ ହସ୍ପିଟାଲରେ ଭର୍ତ୍ତି ଥିଲେ। ତାଙ୍କୁ ଟିବି ରୋଗ ହୋଇଥିଲା। ମଙ୍ଗଳବାର ରାତି ପାଖାପାଖି ୪ଟାବେଳେ ମହିଳାଙ୍କ ମୃତ୍ୟୁ ହୋଇଥିଲା।

ଏହା ପରେ ସକାଳେ ମୃତକଙ୍କ ସ୍ବାମୀ ସମ୍ପର୍କୀୟଙ୍କୁ ସୂଚନା ଦେଇଥିଲେ। କିନ୍ତୁ, ଲକଡାଉନ୍ ପାଇଁ କୌଣସି ସମ୍ପର୍କୀୟ ଶୋକରେ ସାମିଲ ହୋଇପାରିନଥିଲେ। ଯାହା ଫଳରେ ତାଙ୍କ ସାହିରେ ରହୁଥିବା ଇରଫାନ୍,ପପ୍ପୁ,ନଦୀମ୍,ଅକବର,ରଫିକ୍,ମୋହସିନ୍,ମୌନିସ୍ ଆଦି ଲୋକ ଆସି ହିନ୍ଦୁ ନିୟମର ପାଳନ କରି ମହିଳାଙ୍କ ଅନ୍ତିମ ସଂସ୍କାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.