ଭାରତରେ ଏପର୍ଯ୍ୟନ୍ତ ମିଳିନି କରୋନାର କମ୍ୟୁନିଟି ସଂକ୍ରମଣ ଅଭିଯୋଗ: ICMR
19/03/2020 at 6:46 PM

ନୂଆଦିଲ୍ଲୀ ୧୯।୩: ଚୀନ ଉହାନରୁ ବ୍ୟାପୀଥିବା କରୋନା ଭାଇରସ ଏବେ ସମଗ୍ର ବିଶ୍ୱକୁ ବ୍ୟାପିଯାଇଛି। ସଂକ୍ରମଣ ଭାରତକୁ ଆସିସାରିଥିବା ବେଳେ ଦେଶରେ ଏପର୍ଯ୍ୟନ୍ତ କମ୍ୟୁନିଟି ସଂକ୍ରମଣର ଗୋଟିଏବି ପ୍ରମାଣ ମିଳିନଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛନ୍ତି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢିଚାଲିଛି। ହେଲେ କୌଣସି ଠାରେ ଜଣକ ଯୋଗୁ ପୁରା ଅଞ୍ଚଳ ସଂକ୍ରମିତ ହୋଥିବା ନେଇ ଅଭିଯୋଗ ହୋଇ ନାହିଁ।

ଆଇସିଏମଆରଙ୍କ ସୂଚନା ଅନୁସାରେ ଦେଶର ପୃଥକ ପୃଥକ ଅଞ୍ଚଳରୁ ପ୍ରାୟ ୧ ହଜାର ସାମ୍ପଲ ସଂଗ୍ରହ ହୋଇଛି। ଏଥିରୁ ଏବେ ଦେଶରେ କରୋନା ଦ୍ୱିତୀୟ ପର୍ଯ୍ୟାୟରେ ଥିବାର ସୂଚନା ମିଳୁଛି। ଯେଉଁମାନଙ୍କର ସାମ୍ପଲ ସଂଗ୍ରହ ହୋଇଛି ସେମାନେ ନିକଟ ଅତୀତରେ ବିଦେଶରୁ ଫେରି ନାହାନ୍ତି କି କୌଣସି ସଂକ୍ରମିତ ଲୋକଙ୍କ ସଂସ୍ଫର୍ସରେ ଆସି ନାହାନ୍ତି। ଏଥିରୁ ଦେଶରେ କରୋନା ଏବେ ଜଣକଠାରୁ ସହଜରେ ଅନ୍ୟ ଜଣକୁ ବ୍ୟାପିବାର ପରିସ୍ଥିତି ସୃଷ୍ଟି କରିନଥିବା କହିଛନ୍ତି ଆଇସିଏମଆର।

ସଂଗୃହୀତ ସାମ୍ପଲ ଦେଶର ଅଲଗା ଅଲଗା ପ୍ରୟୋଗଶାଳାକୁ ପଠାଯାଇଛି। ତେବେ ଆଇଏମଆରଙ୍କ ଏହା ସମ୍ପୂର୍ଣ୍ଣ ରିପୋର୍ଟ ନୁହେଁ । ସାରା ଦେଶରେ ଏପର୍ଯ୍ୟନ୍ତ ମୋଟ ୧୭୫ଟି ପଜେଟିଭ ମାମଲା ମିଳିଛି। ଗତ ୨ ଦିନରେ ପଜେଟିଭ୍ ଲୋକଙ୍କ ସଂଖ୍ୟାବଢିଛି। ହେଲେ ପରିସ୍ଥିତି ଏତେ ଉଦବେଗଜନକ ନାହିଁ। ଦେଶରେ ଗୁରୁବାର ଆଉ ଜଣେ କରୋନା ପଜେଟିଭଙ୍କ ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତକଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ତେବେ ସର୍ବାଧିକ ପଜେଟିଭ ମାମଲା ମହାରାଷ୍ଟ୍ର୍ରେ ମିଳିବା ଏବେ ଚିନ୍ତାଜନକ ହୋଇଛି।