Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଲୋକ ଦେଖିବା ଆଗରୁ ଆଖି ବୁଜିବେ: ଭାରତରେ ୨୦୩୦ ସୁଦ୍ଧା ୬୮ ଲକ୍ଷ ଶିଶୁ କନ୍ୟାଙ୍କୁ ଗର୍ଭରେ ମାରି ଦିଆଯିବ- ରିପୋର୍ଟ

22/08/2020 at 5:11 PM

ନୂଆଦିଲ୍ଲୀ ୨୨।୦୮: ୨୦୧୭ ରୁ ୨୦୩୦ ମଧ୍ୟରେ ଭାରତରେ ୬୮ ଲକ୍ଷ କମ ଶିଶୁ କନ୍ୟା ଜନ୍ମ ହେବେ। ସାଉଦି ଆରବର କିଙ୍ଗ ଅବଦୁଲ୍ଲା ୟୁନିଭର୍ସିଟି ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଏକ ଅଧ୍ୟୟନରେ ଏହି ଆକଳନ କରାଯାଇଛି। ଏହା ପଛରେ ଥିବା କାରଣ  ବିଷୟରେ କୁହାଯାଇଛି ଯେ ଏବେ ମଧ୍ୟ ଲିଙ୍ଗ ଜାଣିବା ପରେ ମହିଳା ଗର୍ଭରେ ଥିବା ଶିଶୁ କନ୍ୟାର ଗର୍ଭପାତ କରାଇ ଦେଉଛନ୍ତି।

theguardian.comରେ ଛପି ଥିବା ରିପୋର୍ଟ ଅନୁଯାୟୀ, ଗବେଷକଙ୍କ କହିବା କଥା ୨୦୧୭ ରୁ ୨୦୩୦ ମଧ୍ୟରେ ଉତ୍ତର ପ୍ରଦେଶରେ ୨୦ ଲକ୍ଷ କମ ଶିଶୁ କନ୍ୟା ଜନ୍ମ ହେବେ। ଅର୍ଥାତ ୟୁପିରେ ସବୁଠୁ ଅଧିକ ଗର୍ଭପାତ ଦେଖିବାକୁ ମିଳିବ। ସବୁଠୁ ଅଧିକ ଝିଅଙ୍କ ଅଭାବ  ଭାରତର ଏହି ରାଜ୍ୟରୁ ହିଁ ଦେଖିବାକୁ ମିଳିବ। ଜନସଂଖ୍ୟାର ଘନତ୍ଵ ହାର ଓ ଲୋକଙ୍କ ପୁଅ ଓ ଝିଅ ଚାହିଁବା ଆଧାରରେ ଗବେଷକ ଭାରତର ୨୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଅଧ୍ୟୟନ କରି ଏହାର ଆକଳନ କରିଛନ୍ତି।

ଉତ୍ତର ଭାରତରେ ସ୍ଥିତ ୧୭  ରାଜ୍ୟରେ ଅଭିଭାବକ ପୁଅ ଚାହୁଁଥିବା ଅଧିକ ଦେଖିବାକୁ ମିଳିଛି। ଏହି ଅଧ୍ୟୟନର ରିପୋର୍ଟ ଚଳିତ ସପ୍ତାହରେ ପ୍ଲସ୍ ଓ୍ଵାନ ଜର୍ଣ୍ଣାଲରେ ପ୍ରକାଶ ପାଇଛି। ଅଧ୍ୟୟନରେ ଏହା ମଧ୍ୟ ଯୁକ୍ତି ଉପସ୍ଥାପନ କରାଯାଇଛି ଲିଙ୍ଗଗତ ସମାନ ପାଇଁ ଭାରତରେ କଡା ନୀତି ଲାଗୁ କରିବାର ଆବଶ୍ୟକତା ରହିଛି।

୧୯୯୪ରେ ଭାରତରେ ଆଇନ ପ୍ରଣୟନ କରି ଗର୍ଭରେ ବଢୁଥିବା ଶିଶୁର ଲିଙ୍ଗ ନିରୂପଣ କରାଯିବା ବେଆଇନ ଦର୍ଶାଯାଇଥିଲା। ମାତ୍ର ଦେଶର ଅନେକ ଭାଗରେ ଏହି ଆଇନକୁ ଲାଗୁ କରିବା ନେଇ ଅସାମଞ୍ଜ୍ୟସ ଦେଖିବାକୁ ମିଳିଛି। ଦେଶର ଅଧିକାଂଶ ଭାଗରେ ଲିଙ୍ଗ ଅନୁପାତ ଖରାପ ହେବାରେ ଲାଗିଛି। ସଂପ୍ରତି ଭାରତରେ ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୯୦୦ରୁ ୯୩୦ ରହିଛି।

   Related Posts