ଗଞ୍ଜାମ ଜିଲ୍ଲାରେ ୩ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ପ୍ରଶାସନିକ ଅଧିକାରୀ

Published By : Prameya-News7 Bureau | January 25, 2021 IST

ଗଞ୍ଜାମ ୨୫।୦୧: ଯେଉଁ ସ୍କୁଲରୁ ମଣିଷ ହୋଇଛ ଏବେ ସେହି ସ୍କୁଲ କଥା ଭାବ। ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କର। ସ୍କୁଲର ଭିତ୍ତିଭୂମି ବିକାଶରେ ସାମିଲ ହୋଇ ଶୈକ୍ଷିକ ପରିବେଶରେ ଉନ୍ନତିରେ ଭାଗିଦାରୀ ହୁଅ । ଏମିତି ଆହ୍ଵାନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ହାଇକୋର୍ଟର ବିଚାରପତି, ସମସ୍ତ ମନ୍ତ୍ରୀ, ସମସ୍ତ ସାଂସଦ ଏବଂ ବିଧାୟକଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ନିଜେ ପଢିଥିବା ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ମର୍ମସ୍ପର୍ଶୀ ଆହ୍ଵାନକୁ ୨୪ ଘଣ୍ଟା ନପୂରୁଣ ଏହାର ପ୍ରଭାବ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। ଜିଲ୍ଲାର ତିନୋଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି।

ସୂଚନା ଅନୁଯାୟୀ, ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍‌ ବାଲକ୍ରୀଷ୍ଣ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ଜି.ନୂଆଗାଁସ୍ଥିତ ଡ. ସଦାନନ୍ଦ ତ୍ରିପାଠୀ ବିଦ୍ୟାପୀଠକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେହି ପରି  ବ୍ରହ୍ମପୁରସ୍ଥିତ କୋର୍ଟପେଟା ସହିଦ ଲକ୍ଷ୍ମଣ ନାୟକ ପୌର ଉଚ୍ଚ ବିଦ୍ୟାଳୟକୁ ଓଡ଼ିଶା ରାଜ୍ୟ ମେଡ଼ିକାଲ ନିଗମ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଯାମିନୀ ଷଡ଼ଙ୍ଗୀ ଏବଂ ଛତ୍ରପୁରସ୍ଥିତ ଅନ୍‌ସ୍ଳୋ ସ୍କୁଲକୁ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ।

ଆମ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣି ସରକାରୀ ବିଦ୍ୟାଳୟ ଗୁଡିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସ୍କୁଲ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଓଡିଆ ସାମିଲ ହୋଇ  ସେମାନେ ପଢିଥିବା ବିଦ୍ୟାଳୟର କାୟାକଳ୍ପରେ ସାମିଲ ହୋଇଛନ୍ତି । ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନରେ ମୁଖ୍ୟଶାସନ ସଚିବଙ୍କ ଠୁ ଆରମ୍ଭ କରି ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇ ସେମାନଙ୍କ ପସନ୍ଦର ସ୍କୁଲକୁ ନିଜର ପୋଷ୍ୟସ୍କୁଲ ଭାବେ ଗ୍ରହଣ କରିଛନ୍ତି । ସେପଟେ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ସ୍ବାଗତ କରିଥିବା ବେଳେ ବିଜେପି ପ୍ରଶ୍ନ ଉଠାଇଛି । ଏହା ଦ୍ବାରା ବେଶୀ କିଛି ଲାଭ ମିଳିବନି ବୋଲି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.