ଖତରନାକ ଗ୍ୟାଙ୍ଗଷ୍ଟରକୁ ଫିଲ୍ମ ଷ୍ଟାଇଲରେ ବିବାହ କଲେ ମହିଳା କନେଷ୍ଟବଳ ପାୟଲ, ହେବ କାର୍ଯ୍ୟାନୁଷ୍ଠାନ…
10/08/2019 at 6:45 PM

ଗୌତମବୁଦ୍ଧନଗର୧୦|୮: ଏହି ଘଟଣା ସଂପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଘଟଣା କୌଣସି ଫିଲ୍ମ କାହାଣୀଠାରୁ ବି କମ୍ ନୁହେଁ। ଉତ୍ତର ପ୍ରଦେଶ ପୋଲିସର ମହିଳା କନେଷ୍ଟବଳ ପାୟଲ ଫିଲ୍ମ ଷ୍ଟାଇଲରେ ବିବାହ କରିଛନ୍ତି। ଗ୍ରେଟର ନୋଇଡା କୋର୍ଟରେ ଗ୍ୟାଙ୍ଗଷ୍ଟର ରାହୁଲ ଥାରସାନା ସହ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ଯେଉଁ କୋର୍ଟରେ ଗ୍ୟାଙ୍ଗଷ୍ଟର ରାହୁଲର ମାମଲା ଶୁଣାଣି ଥିଲା।
ସୂଚନଯୋଗ୍ୟ ଯେ,ବ୍ୟବସାୟୀ ମନମୋହନ ଗୋୟଲଙ୍କ ହତ୍ୟା ଅଭିଯୋଗରେ ୨୦୧୪ ମସିହା ମେ ୯ ତାରିଖରେ ରାହୁଲକୁ ଗିରଫ କରାଯାଇଥିଲା। ହତ୍ୟା ଓ ଲୁଣ୍ଠନ ଭଳି ଅନେକ ମାମଲା ରାହୁଲ ନାଁରେ ରହିଛି।
ମହିଳା କନେଷ୍ଟବଳ ପାୟଲଙ୍କର ପ୍ରଥମ ପୋଷ୍ଟିଂ ସୁରଜପୁର କୋର୍ଟରେ ହୋଇଥିଲା। ସେହି କୋର୍ଟରେ ଗ୍ୟାଙ୍ଗଷ୍ଟର ରାହୁଲ ସହ ପାୟଲଙ୍କ ଦେଖା ହୋଇଥିଲା । ପ୍ରଥମେ ବନ୍ଧୁତା ଓ ତା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା । ଜେଲ ଭିତରେ ହେଉ କିମ୍ବା ବାହାରେ ମହିଳା କନେଷ୍ଟବଳ ରାହୁଲଙ୍କ ସହ ସଂପର୍କ ରଖୁଥିଲେ। ଏହା ମଧ୍ୟରେ ଉଭୟଙ୍କ ସଂପର୍କ ନିବିଡ଼ ହୋଇଯାଇଥିଲା। ଗ୍ୟାଙ୍ଗଷ୍ଟର ରାହୁଲକୁ ଏବେ ମହିଳା କନେଷ୍ଟବଳ ପାୟଲ ବିବାହ କରିଛନ୍ତି।
ବର୍ତ୍ତମାନ ସମୟରେ ରାହୁଲ ସୋସିଆଲ ମିଡିଆରେ ସେହି ବାହାଘର ଫଟୋ ପୋଷ୍ଟ କରିଛି। ବାହାଘର କେବେ ହୋଇଥିଲା ଓ କେଉଁ ସ୍ଥାନରେ ହୋଇଥିଲା ଏହାକୁ ଗ୍ୟାଙ୍ଗଷ୍ଟାର ରାହୁଲ ଗୋପନ ରଖିଛି। ପାୟଲ ଡ୍ୟୁଟି କରୁଥିବା ଗୌତମବୁଦ୍ଧନଗର ଥାନାର ଅଧିକାରୀ ମଧ୍ୟ ବାହାଘରର ଟେର ପାଇନଥିଲେ। ଏନେଇ ଏସପି ରାଜବର୍ଦ୍ଧନ ସିଂହ କହିଛନ୍ତି, ମହିଳା କନେଷ୍ଟବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।