ସେୟାର ବଜାରରେ ହାହାକାର, ମାତ୍ର କିଛି ମିନିଟ୍ରେ ବୁଡିଗଲା ନିବେଶକଙ୍କ ୮ ଲକ୍ଷ କୋଟିରୁ ଅଧିକ ଟଙ୍କା
12/03/2020 at 1:01 PM

ମୁମ୍ବାଇ ୧୨। ୩: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସ୍କୁ ମହାମାରୀ ଘୋଷଣା କରିବା ପରେ ବିଶ୍ୱ ବଜାରରେ ଉପୁଜିଥିବା ପରିସ୍ଥିତିର ପ୍ରଭାବ ଏବେ ଘରୋଇ ବଜାରରେ ବି ପଡିଛି। ଫଳରେ ଗୁରୁବାର ବଜାର ଖୋଲିବାର ମାତ୍ର କିଛି ସମୟରେ ନିବେଶକଙ୍କର ୮ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ବୁଡିଯାଇଛି।

ବିଶ୍ୱ ଆର୍ଥିକ ବଜାରରେ ଉଠାପକା ମଧ୍ୟରେ ସେନସେକ୍ସ ୨ହଜାର ୫୦୦ ଅଙ୍କ ପର୍ଯ୍ୟନ୍ତ ଖସିଆସିଛି। ଯାହା ଏବେ ଦେଶର କମୋଡିଟି ବଜାରକୁ ବି ପ୍ରଭାବିତ କରିଛି। ସକାଳେ ବିଶ୍ୱବଜାରରୁ ମିଳୁଥିବା ସଙ୍କେତରୁ ଘରୋଇ ବଜାର ହ୍ରାସ ସହ ଖୋଲିଥିଲା। ଓପ୍ନିଂ ସେନସେକ୍ସ ୧୨୦୦ ପଏଣ୍ଟରୁ ଅନେକ ତଳେ ଖୋଲିଥିବା ବେଳେ ଦେଖୁ ଦେଖୁ ୨ହଜାର ୫୦୦ ପଏଣ୍ଟ ତଳକୁ ଚାଲିଯାଇଛି।

ବିଏସଇରେ ବୁଧବାର କାରବାର ୧୩୭ ଲକ୍ଷ କୋଟି ଟଙ୍କାରେ ସମାପ୍ତ ହୋଇଥିଲା। ତେବେ ଗୁରୁବାର ସକାଳେ ମାର୍କେଟ ୧୨୮ଲକ୍ଷ କୋଟିରେ ଖୋଲିବା ନିବେଶଙ୍କୁ ନିରାଶ କରିଛି। ବ୍ୟବସାୟୀଙ୍କ ଅନୁସାରେ କେବଳ ବିଶ୍ୱ ବାଜରର ପ୍ରଭାବ ନୁହେଁ ଲଗାତାର ବିଦେଶୀ ପାଣ୍ଠି ବାହାରିଯିବା ନିବେଶକଙ୍କୁ ପ୍ରଭାବିତ କରିଛି। ସେୟାର ବଜାର ସୂଚନା ଅନୁସାରେ ବିଦେଶୀ ସଂସ୍ଥାଗତ ନିବେଶକମାନେ କେବଳ ବୁଧବାର ୩୫୧୫.୩୮ କୋଟି ଟଙ୍କାର ଇକ୍ୱିଟି ବିକ୍ରି କରିଦେଇଛନ୍ତି। ଗୁରୁବାର କାରବାର ଆରମ୍ଭରେ ବିଏସଇରେ ୧,୭୮୯ ସେୟାରରେ ହ୍ରାସ ଦେଖାଯାଇଥିଲା। ତେବେ ୧୫୨ ସେୟାର ଅଭିବୃଦ୍ଧିସହ କାରବାର କରୁଛି।