କରୋନା ଆତଙ୍କ ବେଳେ ମାତିଲା ମସ୍ତିଷ୍କ ଜ୍ୱର, ୨ ଶିଶୁ ଅସୁସ୍ଥ
28/03/2020 at 6:35 PM

ମୁଜାଫରପୁର ୨୮।୩: ଗତବର୍ଷ ବ୍ୟାପିଥିବା ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ (ଏଇଏସ୍) ବା ମସ୍ତିଷ୍କ ଜ୍ୱର ପୁଣି ଥରେ ବିହାରରେ ତାର ଉପସ୍ଥିତି ଜାହିର କରିଛି। ଜ୍ୱର ବ୍ୟାପିବା ଆରମ୍ଭ ହେବାମାତ୍ରେ ୨ଟି ଶିଶୁ ଅସୁସ୍ଥ ହୋଇପଡିଥିବା ବେଳେ ସେମାନଙ୍କୁ ଶ୍ରୀକୃଷ୍ଣ ମେଡିକାଲ କଲେଜ ଓ ହସ୍ପିଟାଲ (ଏସକେଏମସିଏଚ୍)ରେ ଭର୍ତ୍ତି କରାଯାଇଥିବା ସୁପରିଣ୍ଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି।

ଗତବର୍ଷ ଏହି ସମୟ ବେଳକୁ ହସ୍ପିଟାଲ ଏଇଏସ୍ ପୀଡିତ ଶହ ଶହ ଶିଶୁ ଭର୍ତ୍ତି ହୋଇଥିଲେ। ଯଦିଓ ଚଳିତବର୍ଷ ରୋଗୀଙ୍କ ସଂଖ୍ୟା ଏତେ ନାହିଁ, ତେବେ ୨ ଜଣଙ୍କୁ ଏବେ ଆଇସିୟୁରେ ରଖି ସ୍ୱତନ୍ତ୍ର ଚିକିତ୍ସା କରାଯାଉଥିବା ମେଡିକାଲ ସୁପରିଣ୍ଟେଣ୍ଡଣ୍ଟ ଏସ.କେ.ସାହୀ କହିଛନ୍ତି। ଗତବର୍ଷ ମସ୍ତିଷ୍କ ଜ୍ୱର ଯୋଗୁ ସାରା ରାଜ୍ୟରେ ୨୦୦ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଏସକେଏମସିଏଚ୍ରେ ୧୨୦ ଜଣ ପ୍ରାଣ ହରାଇଥିଲେ।

ତେବେ ଚଳିତବର୍ଷ ରୋଗୀଙ୍କ ସଂଖ୍ୟା ବଢି ନଥିଲେ ମଧ୍ୟ ସକଦା ବ୍ଲକରୁ ଗୋଟିଏ ୩ ବର୍ଷର ପୁଅ ଓ ପୂର୍ବଚମ୍ପାରନ ଚିରୟା ଗାଁର ଏକ ଶିଶୁ କନ୍ୟା ମସ୍ତିଷ୍କ ଜ୍ୱରରେ ମେଡିକାଲ କଲେଜକୁ ଆସିଛନ୍ତି। କିଛି ଦିନ ପୂର୍ବରୁ ପୁଅଟି ଥଣ୍ଡା ଜ୍ୱରରେ ଆକ୍ରାନ୍ତ ଥିଲା। ତେବେ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରୁ ତାକୁ ଏସକେଏମସିଏଚ୍ ରେଫର କରାଯାଇଛି। ତେବେ ଏଇଏସ୍ ଲାଗି ସତର୍କ ରହିବା ଲାଗି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସ୍ୱାସ୍ଥ୍ୟ ବିଭାଗକୁ ଅଗ୍ରୀମ ସତର୍କ କରାଇଦେଇଛନ୍ତି।

ସେପଟେ ସନିବାର ବିହାରରେ ଆଉ ୨ଟି କରୋନା ନମୁନା ପଜେଟିଭ ମିଳିଥିବା ଜଣାପଡିଛି। ଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ଏନଏମସିଏଚ୍ ଆଇସୋଲେସନ ୱାର୍ଡରେ ଥିବା ଜନୈକା ମହିଳାଙ୍କ ରିପୋର୍ଟ ପଜେଟିଭ ମିଳିଛି। ଆରଏମଆରଆଇକୁ ୯୦ଜଣଙ୍କ ନମୁନା ପରୀକ୍ଷଣ ଲାଗି ପଠାଯାଇଥିବା ବେଳେ ୮୯ ଜଣଙ୍କ ନେଗେଟିଭ ଆସିଛି।