ସମ୍ ହସ୍ପିଟାଲ୍‌ର ଆଉ ଏକ ସଫଳତା: ଦୀର୍ଘ ଚିକିତ୍ସା ପରେ ସ୍ୱାଭାବିକ ହେଲେ ସାଇ ସମ୍ପୂର୍ଣ୍ଣା, ୨୫ ସପ୍ତାହରେ ଜନ୍ମ ଶିଶୁକନ୍ୟା ଥିଲେ ସବୁଠୁ କମ୍ ଓଜନର

Published By : Prameya-News7 Bureau | June 05, 2020 IST

ଭୁବନେଶ୍ୱର, ୦୫|୦୬:  ମାତ୍ର ୫୦୫ ଗ୍ରାମ୍ ଓଜନର ଜନ୍ମ ନେଇଥିବା ଶିଶୁ ଦୁଇ ବର୍ଷ ପରେ ଏବେ ଶାରୀରିକ ଏବଂ ମାନସିକସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ । ଗତ ୨୦୧୮ ମେ ମାସରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଜନ୍ମ ଗ୍ରହଣ କରିଥିବା ଏହି ଶିଶୁଟି ନବଜାତ ଶିଶୁରୋଗ ବିଶେଷଜ୍ଞଙ୍କ ଚିକିତ୍ସା ଏବଂ ଆପ୍ରାଣ ଚେଷ୍ଟା ଫଳରେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛି ।   

ଓଡ଼ିଶାରେ ଏତେ କମ୍ ଓଜନ ନେଇ ଜନ୍ମ ଗ୍ରହଣ କରିଥିବା ଶିଶୁ ସୁସ୍ଥ ହେବା ପ୍ରଥମ ଏବଂ ଏକ ଅସାଧାରଣ ଘଟଣା । ଶିଶୁଟିର ପିତାମାତାଙ୍କ ବିବାହର ୧୬ ବର୍ଷ ପରେ ଏକ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଥିଲା । ବିଭିନ୍ନ ଶାରୀରିକ ସମସ୍ୟା ନେଇ ଅସୁସ୍ଥ ଥିବା ଅନୁସୂୟାଙ୍କର ପୂର୍ବରୁ ୫ଟି ଗର୍ଭ ନଷ୍ଟ ହୋଇଥିଲା । ଗର୍ଭଧାରଣର ମାତ୍ର ୨୫ ସପ୍ତାହରେ ଜନ୍ମ ଗ୍ରହଣ କରିଥିଲା ଝିଅ ସାଇ ସମ୍ପୂର୍ଣ୍ଣା ଦାସ । ତେବେ କୁନି ଝିଅଟିର ଓଜନ ମାତ୍ର ୫୦୫ ଗ୍ରାମ ଥିବାରୁ ଏହା ଡାକ୍ତରମାନଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା । ଜନ୍ମ ପରେ ସମ୍ ହସ୍ପିଟାଲର ନବଜାତ ଶିଶୁରୋଗ ଚିକିତ୍ସା ବିଭାଗ ଶିଶୁ କନ୍ୟାଟିର ଚିକିତ୍ସା ଓ ଯତ୍ନ ନେବା ଆରମ୍ଭ କରିଥିଲେ । ଦୀର୍ଘ ୬ ମାସ ଏନ୍‌ଆଇସିୟୁରେ ଭେଂଟିଲେଟରରେ ରହିଥିଲା ଶିଶୁ କନ୍ୟାଟି ।

ଶିଶୁଟିର ଚିକିତ୍ସା ଦାୟିତ୍ୱ ନେଇଥିଲେ ନବଜାତ ଶିଶୁରୋଗ ଚିକିତ୍ସା ବିଭାଗର ମୁଖ୍ୟ ଡଃ ଜଗଦୀଶ ପ୍ରସାଦ ସାହୁଙ୍କ ସମେତ ଡଃ ଦେବାଶିଷ ନନ୍ଦ, ଡଃ ରତନ ଦାସ, ଡଃ ଭଗୀରଥି ମଲ୍ଲିକ, ଡଃ ରୋଜାଲିନ୍ ରାଉତ, ଡଃ ପାୟଲ ପ୍ରଧାନ, ଡଃ ବିନୀତ ପାଣିଗ୍ରାହୀ ଏବଂ ନର୍ସିଂ ଷ୍ଟାଫ ଦୀପ୍ତି, ବିଷ୍ଣୁ, କବିତା ଓ ମଧୁ । ସେମାନଙ୍କର ଉଦ୍ୟମ ଓ ଉତମ ଚିକିତ୍ସା ଫଳରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିପାରିଥିଲା ।

ଏକ ଛୋଟ ଶିଶୁ ଜନ୍ମ ହେବା ମୁଁ କେବେ ଦେଖି ନଥିଲି ଏବଂ ଓଡ଼ିଶାରେ ଜନ୍ମ ଲାଭ କରିଥିବା ଶିଶୁ ମାନଙ୍କ ମଧ୍ୟରେ ଏହି ଶିଶୁଟି ସର୍ବନିମ୍ନ ଓଜନର ବୋଲି, ଡଃ ସାହୁ କହିଛନ୍ତି । ସାଧରଣତଃ ନିର୍ଦ୍ଧାରିତ ସମୟ ପୂର୍ବରୁ ଏବଂ କମ୍ ଓଜନ ନେଇ ଜନ୍ମ ନେଇଥିବା ଶିଶୁମାନଙ୍କର ଶାରୀରିକ ସମେତ ମାନସିକ ବିକାଶ ଠିକ୍ ଭାବେ ହୋଇନଥାଏ । ତେବେ ଶିଶୁଟିକୁ ବର୍ତମାନ ଦୁଇ ବର୍ଷ ପୂରିଥିବା ବେଳେ ସେ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି ଡଃ ସାହୁ କହିଛନ୍ତି । ଏପରିକି ଗତ ଦୁଇ ବର୍ଷ ଧରି ସମ୍ ହସ୍ପିଟାଲ୍‌ରେ ନବଜାତ ଶିଶୁରୋଗ ଚିକିତ୍ସା ବିଭାଗ ପକ୍ଷରୁ ତାହାର ଜନ୍ମଦିନ ମଧ୍ୟ ପାଳନ କରାଯାଉଛି । ଶିଶୁର ଚିକିତ୍ସା ଏବଂ ଉତ୍ତମ ଯତ୍ନ ନିମନ୍ତେ ତାର ପିତାମାତା ସମ୍ ହସ୍ପିଟାଲ୍‌ର ଡାକ୍ତରୀ ଟିମ୍‌କୁ ଅଶେଷ ଧନ୍ୟବାଦ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.