ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରାମର୍ଶଦାତାଙ୍କ ପ୍ରବଳ ଜ୍ଞାନ, କହିଲେ- ତଳ ଆଡୁ ମଧ୍ୟ ପଶିପାରେ କରୋନା
20/04/2020 at 7:02 PM

ଇସଲାମାବାଦ ୨୦।୦୪: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କ୍ୟାବିନେଟ୍ରେ ଅନେକ ମନ୍ତ୍ରୀ ଓ ନେତା ଏମିତି ଅଛନ୍ତି ଯାହାଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଯାଏ। କିଛି ଦିନ ପୂର୍ବେ ଏକ ଟିଭି ସୋରେ ଏମିତି ଏକ ମନ୍ତ୍ରୀଙ୍କ ସାଧାରଣ ଜ୍ଞାନ କେତେ ତାହା ଦେଖିବାକୁ ମିଳିଥିଲା। ଉକ୍ତ ମନ୍ତ୍ରୀଙ୍କ ଜ୍ଞାନକୁ ଲୋକେ ଭୂଲିବା ପୂର୍ବରୁ ଇମ୍ରାନ ଖାନଙ୍କ ମହିଳା ପରାମର୍ଶଦାତା କରୋନା ଭାଇରସ୍କୁ ନେଇ ଏମିତି ବୟାନ ଦେଇଛନ୍ତି, ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି।
ତାଙ୍କ ବୟାନ ଶୁଣି ଅନେକ ଲୋକଙ୍କୁ ହସ ମାଡିଥିବା ବେଳେ କିଛି ଲୋକ ତାଙ୍କ କରୋନା ଭାଇରସ୍ର ଜ୍ଞାନକୁ ନେଇ ମଧ୍ୟ ଆଚମ୍ବିତ ହୋଇ ପଡିଛନ୍ତି। ଏମିତି ନାହିଁ ଯେ, ସେ ଏହି ବୟାନ ଲୁଚାଛପାରେ ଦେଇଛନ୍ତି ଏବଂ ଲୋକେ ଏହାକୁ ରେକର୍ଡ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଛନ୍ତି। ଉକ୍ତ ପରାମର୍ଶଦାତା ମହୋଦୟ ଏକ ମଞ୍ଚରୁ ମାଇକ୍ ମାଧ୍ୟମରେ ଏମିତି ବୟାନ ଦେଇଛନ୍ତି। ସେ ନିଜର ବୟାନରେ କହିଛନ୍ତି ଯେ, ଯଦି ଆପଣ କରୋନାରୁ ରକ୍ଷା ପାଇବା ପାଇଁ ନିଜର ମୁହଁ ଓ ନାକ ଘୋଡାଉଛନ୍ତି, ତେବେ ମଧ୍ୟ ଏଥିରୁ ବଞ୍ଚିବା ସମ୍ଭବ ନୁହଁ।
ଆପଣଙ୍କୁ ନିଜକୁ ରକ୍ଷା କରିବାକୁ ହେଲେ ଶରୀରର ବାକି ଅଙ୍ଗକୁ ମଧ୍ୟ ଢାକିବାକୁ ପଡିବ। ସେ ଏହା ମଧ୍ୟ କହିଛନ୍ତି କରୋନା ଭାଇରସ୍ ତଳ ଆଡୁ ମଧ୍ୟ ପଶି ପାରେ, ଏଥିପାଇଁ ବାକି ଅଙ୍ଗକୁ ମଧ୍ୟ ଢାକି ରଖନ୍ତୁ। ତାଙ୍କର ଏହି ବୟାନକୁ ପାକିସ୍ତାନ ସାମାଜିକ ଗଣମାଧ୍ୟମରେ ଖୁବ୍ ସେୟାର କରାଯାଉଛି। କିଛି ଲୋକ ତ ତାଙ୍କର ମିମ୍ କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି।
ମହିଳା ପରାମର୍ଶଦାତାଙ୍କ ଏହି ବୟାନକୁ ନେଇ ଲୋକେ ବ୍ୟଙ୍ଗ କରିବା ଆରମ୍ଭ କରିଛନ୍ତି। ଅନେକ ମଜାକିଆ ଢଙ୍ଗରେ ଟିପ୍ପଣୀ ମଧ୍ୟ କରୁଛନ୍ତି। ଉଲ୍ଲେଖଯୋଗ୍ୟ କରୋନା ଭାଇରସ୍ରୁ ରକ୍ଷା ପାଇଁ ମୁହଁରେ ମାସ୍କ ଲଗାଇବା, ହ୍ୟାଣ୍ଡ ସାନିଟାଇଜ୍ ବ୍ୟବହାର କରିବା, ସାମାଜିକ ଦୂରତ୍ଵର ପାଳନ କରିବା ଏବଂ ହାତକୁ ମୁହଁରେ ନଛୁଇଁବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି।